
ମାଲକାନଗିରି, ୧୭ ସେପ୍ଟେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୪ତମ ଜନ୍ମଦିବସ ଅବସରରେ ମାଲକାନଗିରି ଜିଲ୍ଲାରେ 'ଏକ ପେଡ୍ ମା କେ ନାମ୍ ଏବଂ ସେବା ସଂକଳ୍ପ ଅଭିଯାନର ଭବ୍ୟ ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ମାଲକାନଗିରି ବନ ବିଭାଗ ପକ୍ଷରୁ ଜିଲ୍ଲାବ୍ୟାପୀ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ବୃକ୍ଷରୋପଣ କାର୍ଯ୍ୟକ୍ରମ ସମ୍ପର୍କରେ ମାଲକାନଗିରି ଏସିଏଫ୍ଓ ସୂଚନା ଦେଇ କହିଛନ୍ତି ଯେ, ସେପ୍ଟେମ୍ବର ୧୭ ତାରିଖରେ ଜିଲ୍ଲାର ବିଭିନ୍ନ ଇକୋ କ୍ଲବ୍ ସ୍କୁଲ୍, ଭିଏସଏସ ଗ୍ରାମ ଏବଂ ପବିତ୍ର ଜଙ୍ଗଲ ସ୍ଥଳଗୁଡ଼ିକରେ ବୃକ୍ଷରୋପଣ ଉପରେ ମୁଖ୍ୟ ଧ୍ୟାନ ଦିଆଯାଇଛି। ଜୈବ ବିବିଧତା ବଜାୟ ରଖିବା ପାଇଁ ସ୍ଥାନୀୟ ପ୍ରଜାତିର ଗଛଗୁଡ଼ିକୁ ପ୍ରାଥମିକତା ଦିଆଯାଉଛି। ଏହା ସହିତ ବରଗଛର ପରିବେଶୀୟ ଓ ସାଂସ୍କୃତିକ ମହତ୍ତ୍ବକୁ ଦୃଷ୍ଟିରେ ରଖି ଏକ ସ୍ବତନ୍ତ୍ର ବରଗଛ ବନ୍ଧୁ ଅଭିଯାନ ମଧ୍ୟ ଆରମ୍ଭ କରାଯାଇଛି।
ଅନ୍ୟପଟେ, ଜବାହର ନବୋଦୟ ବିଦ୍ୟାଳୟ କ୍ୟାମ୍ପସରେ ଆୟୋଜିତ କାର୍ଯ୍ୟକ୍ରମରେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶତାଧିକ ଛାତ୍ରଛାତ୍ରୀଙ୍କ ସହ ମିଶି ବୃକ୍ଷରୋପଣ କରିଛନ୍ତି। ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମାସବ୍ୟାପୀ 'ସେବା ସଂକଳ୍ପ ଅଭିଯାନ'ରେ ସାମିଲ ହୋଇ ଜିଲ୍ଲାବାସୀଙ୍କ ସେବାରେ ସମର୍ପିତ ହେବାକୁ ବିଧାୟକ ଆହ୍ବାନ ଦେଇଛନ୍ତି।
ଏହି ସମାରୋହରେ ମାଲକାନଗିରି ଏସିଏଫ୍ଓ ପ୍ରିୟଙ୍କା ମୋହୁକା, ରେଞ୍ଜର ରମେଶ ଚନ୍ଦ୍ର ରାଉତ, ନବୋଦୟ ବିଦ୍ୟାଳୟର ପ୍ରିନ୍ସିପାଲ, ବନ ବିଭାଗର ସମସ୍ତ କର୍ମଚାରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ସ୍କୁଲର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।
ସଜାଗ ନାଗରିକ, ବନ ବିଭାଗ ଓ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ଏହି ସକ୍ରିୟ ସହଭାଗିତା ସାରା ଜିଲ୍ଲାରେ ପରିବେଶ ସୁରକ୍ଷା ଓ ସାମାଜିକ ସେବା କ୍ଷେତ୍ରରେ ଏକ ସକାରାତ୍ମକ ବାର୍ତ୍ତା ସୃଷ୍ଟି କରିଛି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ