
ମାଲକାନଗିରି, ୧୭ ସେପ୍ଟେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲାର ୩୨୬ ନଂ ଜାତୀୟ ରାଜପଥ ଏବେ ମରଣଯନ୍ତା ପାଲଟିଛି । ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ, ପ୍ରତିଦିନ ଘଟୁଛି ଦୁର୍ଘଟଣା । କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୯୬ ଗ୍ରାମ ନିକଟରେ ଏଭଳି ଦୁର୍ଘଟଣା ନିତିଦିନିଆ ହୋଇପଡିଛି । ରାସ୍ତାରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିବାରୁ ଗତ ବୁଧବାର ଏମଭି-୧୨୭ ଗ୍ରାମର ୭୦ ବର୍ଷୀୟ ବୃଦ୍ଧ ନଟବର ସରଦାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଏମଭି-୭୯ ମେଡିକାଲରେ ଚିକିତ୍ସା କରାଯାଉଛି ।
ସ୍ଥାନୀୟ ଲୋକଙ୍କ ଅଭିଯୋଗ, ବାରମ୍ବାର କହିଲେ ବି ରାସ୍ତା ମରାମତି ହେଉନି । ତୁରନ୍ତ ରାଜପଥ ମରାମତି ନ ହେଲେ ଆଗକୁ ଆହୁରି ବଡ଼ ଦୁର୍ଘଟଣା ଘଟିବ ବୋଲି ସ୍ଥାନୀୟ ବାସିନ୍ଦା ଆଶଙ୍କା କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ