
କେନ୍ଦ୍ରାପଡା , 17 ସେପ୍ଟେମ୍ବର (ହି.ସ.)ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ତଥା ଓଡ଼ିଶାର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଵାରୁଅ ସ୍ଥିତ ଭାବଗ୍ରାହୀ କଳା ନିକେତନ ଆନୁକୁଲ୍ୟରେ ଏବଂ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହାୟତାରେ ଚିର ସବୁଜ ଅକ୍ଷୟ ମହାନ୍ତି କକ୍ଷରେ ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ଗୀତିକାର, ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭବ୍ୟ ମହୋତ୍ସବରେ ସତୀର୍ଥର ସଭାପତି କବି ଅମର ପ୍ରସାଦ ରାଉତ ମୁଖ୍ୟ ଅତିଥି, ସମାଜସେବୀ ହରିଶ୍ଚନ୍ଦ୍ର ଜେନା ମୁଖ୍ୟ ବକ୍ତା ଏବଂ ସମ୍ମାନୀତ ଅତିଥି ଭାବରେ ଗାୟକ ଅଜୟ ମହାନ୍ତି, କବି ଅଶୋକ ସାହୁ ରେଡିଓ ଭାବଗ୍ରାହୀର ମୁଖ୍ୟ ଟ୍ରଷ୍ଟି ଶ୍ରୀମତୀ ଧୀରାମଣି ପରିଡ଼ା ଯୋଗଦେଇ ନୂଆଁଖାଇ ପର୍ବର ବିଶେଷତ୍ବ ସମ୍ପର୍କରେ ଆଲୋଚନା କରିଥିଲେ। କଳା ନିକେତନର ପ୍ରତିଷ୍ଠାତା ବିମଳ ପରିଡ଼ା ଅତିଥି ପରିଚୟ ଏବଂ ସ୍ଵାଗତ ଭାଷଣ ପ୍ରଦାନ ପୂର୍ବକ ଜଗଜ୍ଜନନୀ ମା ସମଲେଶ୍ବରୀଙ୍କ ଉଦ୍ଦେଶ୍ୟରେ ସମର୍ପିତ ନୂଆଁଖାଇ ପର୍ବ ଆଜି କେବଳ ପଶ୍ଚିମ ଓଡ଼ିଶା ନୁହେଁ ବରଂ ସମଗ୍ର ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଏକ ଗଣପର୍ବ ଭାବରେ ପାଳିତ ହେଉଛି ବୋଲି ସୂଚନା ଦେଇଥିଲେ। ଆରମ୍ଭରେ ସମଲେଶ୍ଵରୀଙ୍କ ଫଟୋ ଚିତ୍ର ସମେତ ଲୋକକବି ଭାବଗ୍ରାହୀ ପରିଡ଼ା, କବି ପତ୍ନୀ ସରୋଜିନୀ ପରିଡ଼ା, ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତି ଏବଂ ଭିକାରୀ ବଳଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ। ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ପରେ ହେନାଞ୍ଜଳି ଜେନା ସାଥିମାନେ ନୂଆଁଖାଇ ଶୀର୍ଷକ ସ୍ଵାଗତ ସଙ୍ଗୀତ ଗାଇଥିଲେ। ଭାବଗ୍ରାହୀ କଳା ନିକେତନ ଏବଂ ମହ୍ଲାର ଅର୍କେଷ୍ଟ୍ରାର ନୃତ୍ୟ ଶିଳ୍ପୀ ରଶ୍ମିତା ସୂତାର, ଅଙ୍କିତା ପରିଡ଼ା, ରତ୍ନ ମଞ୍ଜରୀ ପରିଡ଼ା, ପ୍ରତୀକ୍ଷା ନାୟକ, ଅଙ୍କିତା ସାହୁ ,ଅର୍ପିତା ସାହୁ, ଲିଜାରାଣୀ ପ୍ରଧାନ ପ୍ରମୁଖ କଳାକାରମାନେ ଚିତ୍ତାକର୍ଷକ ଓଡ଼ିଶୀ, ସମ୍ବଲପୁରୀ ଏବଂ ଆଧ୍ୟାତ୍ମିକ ନୃତ୍ୟ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାଗବତ ଷଡ଼ଙ୍ଗୀ,ବିକ୍ରମ ସାମଲ, ସରସ୍ଵତୀ ସ୍ଵାଇଁ, ଶିବରାଜ ରାଉତ୍, ଭାରତୀ ପରିଡ଼ା , ସୁରେନ୍ଦ୍ର ରାଉତ୍, ମାଳତୀ ଓଝା, ସରସ୍ଵତୀ ଜେନା, ସବିତା ସ୍ଵାଇଁ, ଆରତୀ ସ୍ବାଇଁ, ଉର୍ମିଳା ସୂତାର,ନୀତିନ୍ ମହାନ୍ତି , ଉପେନ୍ଦ୍ର ପାଢ଼ୀ, ଅମର ବିଶ୍ବାଳ, ରଞ୍ଜନ ବରାଳ, ବଳରାମ ମଲିକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଞ୍ଚାଳନରେ ସହଯୋଗ କରିଥିଲେ। କଣ୍ଠଶିଳ୍ପୀ ବିମଳ ପରିଡ଼ା ଅକ୍ଷୟ ମହାନ୍ତିଙ୍କ କାଳଜୟୀ ସମ୍ବଲପୁରୀ ଢୋଲ ପାରେ ଵଜା ଗୀତ ଗାଇଥିଲେ । ଶେଷରେ ନାଟ୍ୟକାର ଭୀମସେନ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ରବି