ଏସ୍ଏଚ୍-୧୦ ଓ ଏନ୍ଏଚ୍-୪୯ରେ ଓଭରଲୋଡିଂ ଆତଙ୍କ ଦୁର୍ଘଟଣା ଆଶଙ୍କା ବଢ଼ୁଛି, କଠୋର କାର୍ଯ୍ୟାନୁଷ୍ଠାନ ଦାବି
Overloading truck may create problem
ଏସ୍ଏଚ୍-୧୦ ଓ ଏନ୍ଏଚ୍-୪୯ରେ ଓଭରଲୋଡିଂ ଆତଙ୍କ


ଝାରସୁଗୁଡ଼ା, ୧୭ ସେପ୍ଟେମ୍ବର (ହି.ସ.) - ଝାରସୁଗୁଡ଼ା ଜିଲ୍ଲାର ରାଜ୍ୟ ରାଜପଥ-୧୦ ଓ ଜାତୀୟ ରାଜପଥ-୪୯ରେ ବେଆଇନ ଓଭରଲୋଡିଂ ପରିବହନକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ଓଭରଲୋଡିଂ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାଣ ନିର୍ଦ୍ଦେଶ ଦେଇଥିବା ସତ୍ୱେ ରାଜପଥଗୁଡ଼ିକରେ ଏହା ଉପରେ ରୋକ୍ ଲାଗିନଥିବା ଅଭିଯୋଗ ହୋଇଛି।

ଏହି ଦୁଇ ରାଜପଥରେ ବିଭିନ୍ନ ଭାରୀଯାନରେ କୋଇଲା ସମେତ ଅନ୍ୟାନ୍ୟ ସାମଗ୍ରୀ ନିର୍ଦ୍ଧାରିତ କ୍ଷମତାଠାରୁ ଅଧିକ ପରିମାଣରେ ପରିବହନ କରାଯାଉଥିବା ଅଭିଯୋଗ ରହିଛି। ଓଭରଲୋଡିଂ ଯୋଗୁଁ ଗାଡ଼ିରୁ ସାମଗ୍ରୀ ରାସ୍ତା ଉପରେ ଖସିପଡ଼ିବା ସହ ଯାତାୟାତରେ ସମସ୍ୟା ଓ ଦୁର୍ଘଟଣାର ଆଶଙ୍କା ବଢ଼ୁଛି। ଏଥିସହ ସାଧାରଣ ଯାତ୍ରୀ ଓ ଦୁଇଚକିଆ ଚାଳକମାନେ ଅସୁବିଧାର ସମ୍ମୁଖୀନ ହେଉଥିବା କୁହାଯାଇଛି।

ଓଭରଲୋଡିଂ ରୋକିବା ଦିଗରେ ପରିବହନ ବିଭାଗ ପକ୍ଷରୁ ନିୟମିତ ଯାଂଚ ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ବୋଲି ଜିଲ୍ଲାବାସୀ ଦାବି କରିଛନ୍ତି। ଜନସୁରକ୍ଷା ଦୃଷ୍ଟିରୁ ନିୟମ ଉଲ୍ଲଂଘନକାରୀ ଭାରୀଯାନ ବିରୋଧରେ କଠୋର ପଦକ୍ଷେପ ନେବା ସହ ରାସ୍ତା ଉପରେ ସାମଗ୍ରୀ ଖସିପଡ଼ିବା ଭଳି ଘଟଣାକୁ ରୋକିବାକୁ ମଧ୍ୟ ଦାବି ହୋଇଛି।

ଏ ସମ୍ପର୍କରେ ଝାରସୁଗୁଡ଼ା ଜିଲ୍ଲା ପରିବହନ ଅଧିକାରୀ ଗୌରହରୀ ହାଁସଦାଙ୍କ ମତାମତ ପାଇଁ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଗ୍ରହଣ କରିନଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande