
କେନ୍ଦ୍ରାପଡ଼ା , 17 ସେପ୍ଟେମ୍ବର (ହି.ସ.) ରାଜ୍ୟବ୍ୟାପୀ “ସେବା ସଂକଳ୍ପ ପର୍ବ” ପାଳନର ଶୁଭାରମ୍ଭ ଅବସରରେ ଆଜି ସନ୍ଧ୍ୟାରେ କେନ୍ଦ୍ରାପଡ଼ା ସ୍ଥିତ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପରିସରରେ ଜିଲ୍ଲାସ୍ତରୀୟ ‘ଆଶୀର୍ବାଦର ଦୀପ’ କାର୍ୟ୍ୟକ୍ରମ ଶ୍ରଦ୍ଧା ଓ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ରଘୁରାମ ଆର. ଆୟର ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ଆଶୀର୍ବାଦର ଦୀପ’ପ୍ରଜ୍ୱଳନ କରିଥିଲେ। ଏହି କାର୍ୟ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଶୋଶାଙ୍କ ଶେଖର ସେଠୀ, ପୂର୍ବତନ ସଭାପତି କିଶୋର କୁମାର ପଣ୍ଡା, ରାଜ୍ୟ ଉପସଭାପତି ତଥା ଜିଲ୍ଲା ପ୍ରଭାରୀ ଅଶୋକ କୁମାର ମିଶ୍ର, ସାଧାରଣ ସଂପାଦକ ଅମିତାବ ସୁଆର, ନିର୍ବାଚନ ମଣ୍ଡଳୀ ନେତ୍ରୀ ଗୀତାଞ୍ଜଳୀ ସେଠୀ, ଗଗନ ବିହାରୀ ସାହୁ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତି, କେନ୍ଦ୍ରାପଡ଼ା ମୁନିସିପାଲିଟିର ନିର୍ବାହୀ ଅଧିକାରୀ ତ୍ରିନାଥ ବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକିର ମୋହନ ମାଝୀ, ଡିପିସି, ମିଶନ ଶକ୍ତି ଆରତୀ ସାହୁଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ଜନପ୍ରତିନିଧି, ଶ୍ରଦ୍ଧାଳୁ ଓ ବହୁ ସଂଖ୍ୟକ ସାଧାରଣ ଜନସାଧାରଣ ଉପସ୍ଥିତ ଥିଲେ। ଏହି କାର୍ୟ୍ୟକ୍ରମ ୧୭ ସେପ୍ଟେମ୍ବର ୨୦୨୬ ଠାରୁ ୧୭ ଅକ୍ଟୋବର ୨୦୨୬ ପର୍ୟ୍ୟନ୍ତ ପାଳିତ ହେବାକୁ ଥିବା “ସେବା ସଂକଳ୍ପ ପର୍ବ”ର ଏକ ଅଂଶବିଶେଷ। ସେବା, ସମର୍ପଣ, ଜନସେବା ଓ ଜନକଲ୍ୟାଣର ଭାବନାକୁ ଆହୁରି ସୁଦୃଢ଼ କରିବା ଏହି ପର୍ବର ମୁଖ୍ୟ ଉଦ୍ଦେଶ୍ୟ।‘ଆଶୀର୍ବାଦର ଦୀପ’ ପ୍ରଜ୍ୱଳନ ଅବସରରେ ଜିଲ୍ଲାପାଳ ଶ୍ରୀ ଆୟରଙ୍କ ସମେତ ଉପସ୍ଥିତ ଅଧିକାରୀ, ଜନପ୍ରତିନିଧି, ଶ୍ରଦ୍ଧାଳୁ ଓ ସାଧାରଣ ଜନସାଧାରଣ ଦୀପ ପ୍ରଜ୍ୱଳନ କରି ସମାଜରେ ସେବା, ସହଯୋଗ, ସମର୍ପଣ ଓ ମାନବିକତାର ଆଲୋକ ପ୍ରସାର ପାଇଁ ସଂକଳ୍ପବଦ୍ଧ ହୋଇଥିଲେ।‘ଆଶୀର୍ବାଦର ଦୀପ’ କାର୍ୟ୍ୟକ୍ରମ କେବଳ ଜିଲ୍ଲା ସ୍ତରରେ ସୀମିତ ନରହି ଆଜି ଜିଲ୍ଲାର ବିଭିନ୍ନ ବ୍ଲକ, ପଞ୍ଚାୟତ, ଗ୍ରାମାଞ୍ଚଳ ଏବଂ ଘରେ ଘରେ ମଧ୍ୟ ପାଳନ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଶକ୍ତିଶ୍ରୀ ଲେଙ୍କା, ରଂଜନ ପତି, ନିହାରିକା ନାୟକ, ଲକ୍ଷ୍ମୀକାନ୍ତ ସାହୁ, ପ୍ରମୋଦ ମହାନ୍ତି, ସୁବାସ ସାହୁ, ଝିଲ୍ଲୀ ଦାଶ, ଗୀତାଞ୍ଜଳୀ ପ୍ରଧାନ ସମେତ ବହୁ ମହିଳା, ସ୍ଥାନୀୟ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଯୁବକ-ଯୁବତୀ, ବିଭିନ୍ନ ସାମାଜିକ ସଂଗଠନ ଓ ସାଧାରଣ ଜନସାଧାରଣଙ୍କ ସହଭାଗିତାରେ ଦୀପ ପ୍ରଜ୍ୱଳନ କାର୍ୟ୍ୟକ୍ରମ ଆୟୋଜିତ ହୋଇଛି।ଏହି ଅବସରରେ ସମାଜର ପ୍ରତ୍ୟେକ ବର୍ଗଙ୍କୁ “ସେବା ସଂକଳ୍ପ ପର୍ବ” ସହ ଯୋଡ଼ି ଏହାକୁ ଏକ ଜନଆନ୍ଦୋଳନର ରୂପ ଦେବା ପାଇଁ ଆହ୍ୱାନ କରାଯାଇଛି। ଜନସାଧାରଣଙ୍କ ସକ୍ରିୟ ସହଭାଗିତା ଓ ସହଯୋଗ ମାଧ୍ୟମରେ ସେବା, ସମର୍ପଣ ଓ ଜନକଲ୍ୟାଣର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବା ସହିତ ସମାଜରେ ଏକତା, ସହଯୋଗ ଓ ସାମୂହିକ ଦାୟିତ୍ୱବୋଧକୁ ଆହୁରି ମଜବୁତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।ଆସନ୍ତା ୧୭ ଅକ୍ଟୋବର ୨୦୨୬ ପର୍ୟ୍ୟନ୍ତ “ସେବା ସଂକଳ୍ପ ପର୍ବ” ଅବସରରେ ବିଭିନ୍ନ ସେବାମୂଳକ, ଜନକଲ୍ୟାଣମୂଳକ ଓ ସଚେତନତାମୂଳକ କାର୍ୟ୍ୟକ୍ରମ ଜିଲ୍ଲାର ବିଭିନ୍ନ ସ୍ତରରେ ଆୟୋଜିତ ହେବ। ଏହି ସମସ୍ତ କାର୍ୟ୍ୟକ୍ରମରେ ଜନସାଧାରଣଙ୍କ ସକ୍ରିୟ ଅଂଶଗ୍ରହଣ ଏବଂ ସହଭାଗିତା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆହ୍ୱାନ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ରବି