
ପୁଣି ରେକର୍ଡ ଭାଙ୍ଗିଲେ ସଚିନ ବେହେରା
ନୂଆପଡ଼ା,୧୭ ସେପ୍ଟେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ଲର୍କା ଗ୍ରାମର ଗର୍ବିତ ସନ୍ତାନ ତଥା ‘ନି-ଷ୍ଟ୍ରାଇକର ଅଫ୍ ଇଣ୍ଡିଆ’ ଭାବେ ପରିଚିତ ସଚିନ ବେହେରା ପୁଣି ଏକ ନୂତନ ରେକର୍ଡ ସ୍ଥାପନ କରିଛନ୍ତି। ଗୋଟିଏ ଗୋଡ଼ରେ ୧ କିଲୋଗ୍ରାମ ଓଜନର ଆଙ୍କଲ ୱେଟ୍ ପିନ୍ଧି ମାତ୍ର ଗୋଟିଏ ମିନିଟରେ ୧୦୩ ଥର ଫୁଲ୍-କଣ୍ଟାକ୍ଟ ନି-ଷ୍ଟ୍ରାଇକ୍ କରି ସେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ନିଜ ନାମ ଲିପିବଦ୍ଧ କରିଛନ୍ତି। ଭୁବନେଶ୍ୱର ସ୍ଥିତ ଓଭରଅଲ୍ ସ୍ପୋର୍ଟସ୍ ଏକାଡେମୀ ପରିସରରେ ଏହି ରେକର୍ଡ ପ୍ରୟାସ ଅନୁଷ୍ଠିତ ହୋଇଥିଲା। ଏହାର ସ୍ୱୀକୃତିପତ୍ର ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଇ-ମେଲ୍ ଯୋଗେ ସଚିନଙ୍କୁ ପ୍ରଦାନ କରାଯାଇଛି। ସଚିନ ଲର୍କା ଗ୍ରାମର ଲକ୍ଷ୍ମୀ ପ୍ରସାଦ ବେହେରା ଓ ଆରତୀ ବେହେରାଙ୍କ ସୁଯୋଗ୍ୟ ସୁପୁତ୍ର। ସେ ନୂଆପଡ଼ା ଜିଲାର ପ୍ରଥମ ଗିନିଜ୍ ୱାର୍ଲ୍ଡ ରେକର୍ଡଧାରୀ ବୋଲି ଜଣାପଡ଼ିଛି। ୨୦୧୯ ମସିହାରେ ଗୋଟିଏ ମିନିଟରେ ୧୩୭ ଥର ନି-ଷ୍ଟ୍ରାଇକ୍ କରି ସେ ପ୍ରଥମ ଗିନିଜ୍ ୱାର୍ଲ୍ଡ ରେକର୍ଡ ସ୍ଥାପନ କରିଥିଲେ। ପରେ ୨୦୨୨ ମସିହାରେ ମଧ୍ୟ ସେ ଦ୍ୱିତୀୟ ବିଶ୍ୱ ରେକର୍ଡ ସ୍ଥାପନ କରିଥିବା ଜଣାଯାଇଛି। ସଚିନ ଭୁବନେଶ୍ୱର ସ୍ଥିତ ହାଇ-ଟେକ୍ ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲରୁ ଫିଜିଓଥେରାପିରେ ସ୍ନାତକ (ବିପିଟି) ଡିଗ୍ରୀ ହାସଲ କରିଛନ୍ତି। ବର୍ତ୍ତମାନ ସେ ସେହି ଅନୁଷ୍ଠାନରେ ଅର୍ଥୋପେଡିକ୍ ବିଭାଗରେ ସ୍ନାତକୋତ୍ତର (ଏମପିଟି) ଅଧ୍ୟୟନ କରୁଛନ୍ତି। ତାଙ୍କ ଏହି ସଫଳତା ପଛରେ ହାଇ-ଟେକ୍ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସର ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀଙ୍କ ସହଯୋଗ ଓ ପ୍ରେରଣା ପାଇଁ ସଚିନ କୃତଜ୍ଞତା ଜଣାଇଛନ୍ତି। ରେକର୍ଡ ପ୍ରୟାସ ସମୟରେ ବିଶେଷଜ୍ଞ ସାକ୍ଷୀ ଭାବେ ସୌମ୍ୟ ରଞ୍ଜନ ଦାସ ଓ ଅନ୍ତର୍ଯ୍ୟାମୀ ବେହେରା, କିକ୍ ପ୍ୟାଡ୍ ସହାୟକ ଭାବେ କୃପାସିନ୍ଧୁ ବାରିକ ଏବଂ ଟାଇମ୍ କିପର୍ ଭାବେ ସନ୍ଦୀପ ପଟ୍ଟନାୟକ ଉପସ୍ଥିତ ଥିଲେ। ସଚିନଙ୍କ ଏହି ନୂତନ ସଫଳତା ପାଇଁ ଲର୍କା ଗ୍ରାମ ସମେତ ନୂଆପଡ଼ା ଜିଲ୍ଲାର ବିଭିନ୍ନ ମହଲରୁ ତାଙ୍କୁ ଅଭିନନ୍ଦନ ଜଣାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ