

କନ୍ଧମାଳ , ୧୭ ସେପ୍ଟେମ୍ବର (ହି.ସ.) କନ୍ଧମାଳ ଜିଲ୍ଲାରେ ଆଜିଠାରୁ ଏକ ମାସବ୍ୟାପୀ ସେବା ସଂକଳ୍ପ ଅଭିଯାନ ୨୦୨୬ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ସନ୍ଧ୍ୟାରେ ଫୁଲବାଣୀସ୍ଥିତ ଐତିହାସିକ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ‘ଆଶୀର୍ବାଦର ଦୀପ’ ପ୍ରଜ୍ଜ୍ୱଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଗୁରୁତ୍ୱପୂର୍ଣ୍ଣ ସମାରୋହରେ ମାନ୍ୟବର ଫୁଲବାଣୀ ବିଧାୟକ ଶ୍ରୀ ଉମା ଚରଣ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦଭୂଷଣ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ଵ) ଶ୍ରୀ ଭକ୍ତ ବନ୍ଧୁ ଜନାର୍ଦ୍ଦନ ଦଳେଇ, ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ) ଶ୍ରୀ କୁଶଳ ଚନ୍ଦ୍ର ନାଏକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଶମ୍ଭୁନାଥ ନନ୍ଦୀ, ଫୁଲବାଣୀ ଉପଜିଲ୍ଲାପାଳ ଶ୍ରୀ ଭିକାରୀ ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ନଳିନୀକାନ୍ତ ସାହୁ, ଫୁଲବାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୋମ୍ୟରଞ୍ଜନ ପାତ୍ର, ଜିଲ୍ଲା ପ୍ରକଳ୍ପ ସଂଯୋଜକ, ମିଶନ ଶକ୍ତି ଶ୍ରୀ ରାମ ତାଣ୍ଡି ଜିଲ୍ଲା ପ୍ରକଳ୍ପ ପରିଚାଳକ ହେମନ୍ତ ବାଗ ଏବଂ ପ୍ରଶାସନର ବରିଷ୍ଠ ପଦାଧିକାରୀମାନେ,ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ ଏବଂ ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ମନ୍ଦିର ପରିସରରେ ବୃକ୍ଷ ଚାରା ରୋପଣ ମଧ୍ୟ କରାଯାଇଥିଲା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୫ ବର୍ଷର ନିରବଚ୍ଛିନ୍ନ ଜନସେବା, ସୁଶାସନ ତଥା ‘ବିକଶିତ ଭାରତ ୨୦୪୭’ ସଂକଳ୍ପର ପ୍ରତୀକ ସ୍ୱରୂପ ଜିଲ୍ଲାର ସମସ୍ତ ପରିବାର, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ କଲ୍ୟାଣକାରୀ ଯୋଜନାର ହିତାଧିକାରୀଙ୍କୁ ନିଜ ନିଜ ଘରେ ‘ଆଶୀର୍ବାଦର ଦୀପ’ ଜାଳିବାକୁ ଉତ୍ସାହିତ କରାଯାଇଛି।
ଏହି ସେବା ସଂକଳ୍ପ ପର୍ବ ସେପ୍ଟେମ୍ବର ୧୭ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୧୭ ପର୍ଯ୍ୟନ୍ତ ସମଗ୍ର ଜିଲ୍ଲାରେ ପାଳିତ ହେବ।
ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ‘ସ୍ୱପ୍ନର ଭାରତ’ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଆୟୋଜନ ହେବ। ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ୨୫ ବର୍ଷର ବିକାଶ ଗାଥାକୁ ନେଇ ‘ନମୋ ସେବା ଗାଥା’ ପରିବେଷଣ କରାଯିବ। ଅଙ୍ଗନବାଡ଼ି ଓ ଆଶା କର୍ମୀ ତଥା ଶିଶୁ-ମାତୃକଲ୍ୟାଣ ସମ୍ପର୍କିତ ସମ୍ବର୍ଦ୍ଧନା ସଭା ଓ ପୁଷ୍ଟିକର ଖାଦ୍ୟ ବିତରଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ପ୍ରତ୍ୟେକ ବ୍ଲକରେ ‘ସରକାର ଆପଣଙ୍କ ଦୁଆରେ’ ଅଧୀନରେ ହିତାଧିକାରୀଙ୍କୁ ସମସ୍ତ ସରକାରୀ ଯୋଜନାର ସୁଫଳ ଯୋଗାଇ ଦିଆଯିବ।
ଶେଷରେ ସମାଜର ପ୍ରତ୍ୟେକ ବର୍ଗଙ୍କୁ ରକ୍ତଦାନ, ବୃକ୍ଷରୋପଣ ଏବଂ ସ୍ୱଚ୍ଛତା ଭଳି ୨୫ଟି ସେବାମୂଳକ କାର୍ଯ୍ୟକ୍ରମରେ ସାମିଲ ହୋଇ ଏହି ଅଭିଯାନକୁ ସଫଳ କରିବା ପାଇଁ ଅତିଥିମାନେ ଆହ୍ୱାନ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ