
ସୁବର୍ଣ୍ଣପୁର, ୧୭ ସେପ୍ଟେମ୍ବର(ହି.ସ.) – ସୁବର୍ଣ୍ଣପୁର ଜିଲ୍ଲାର ସୁରେଶ୍ୱରୀ ମନ୍ଦିର ପରିସରରେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ପକ୍ଷରୁ ‘ସେବା ସଂକଳ୍ପ ଅଭିଯାନ’ର ପ୍ରଥମ ଦିନର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅଭିଯାନ ଆଜି ୧୭ ସେପ୍ଟେମ୍ବରରୁ ୧୭ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ପାଳନ କରାଯିବ। ପ୍ରଥମ ଦିନର କାର୍ଯ୍ୟକ୍ରମରେ ସ୍ୱଂୟସହାୟକ ଗୋଷ୍ଠୀର ମହିଳାମାନେ ଯୋଗଦେଇ ରଙ୍ଗୋଲି ପ୍ରସ୍ତୁତି, କେକ୍ କାଟିବା ଏବଂ ଦୀପ ପ୍ରଜ୍ୱଳନ ଭଳି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସୁବର୍ଣ୍ଣପୁର ଜିଲ୍ଲାରେ ସେବା ସଂକଳ୍ପ ଅଭିଯାନରେ ମୋଟ ୧,୪୪,୬୨୩ଟି ଦୀପ ପ୍ରଜ୍ୱଳନ କରାଯିବା। ଆଜି ସକାଳୁ ମା’ ସୁରେଶ୍ୱରୀଙ୍କ ପୀଠରେ ୧,୦୦୦ ଗୋଟି ଦୀପ ପ୍ରଜ୍ୱଳନ କରାଯାଇଥିଲା। ମାସ ବ୍ୟାପି ଅଭିଯାନରେ ପ୍ରତ୍ୟେକ ବିଏଲ୍ଏଫ୍, ଜିଏଲ୍ଏଫ୍ ଏବଂ ଡ଼ିଏଲ୍ଏଫ୍, ମନ୍ଦିର, ଦେବାଳୟ ଓ ଗୃହମାନଙ୍କରେ ଦୀପ ପ୍ରଜ୍ୱଳନ କରାଯିବ। ଏହି ଅବସରରେ ଅତିଥି ଭାବରେ ଭାରପ୍ରାପ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୋଭାବର୍ଦ୍ଧନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ମିଶନ ଶକ୍ତି ବିଶ୍ୱଜିତ ପରିଡ଼ା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରୀତି ସୁନା ଏବଂ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ପ୍ରକଳ୍ପ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସ୍ୱଂୟ ସହାୟକ ଗୋଷ୍ଠୀର ମହିଳାମାନେ ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କ ସେବା ଓ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ରହିଥିବା ବାର୍ତା ପ୍ରଦାନ କରିଥିଲେ। ଏହି ବାର୍ତାକୁ ନେଇ ସୁରେଶ୍ୱରୀ ମନ୍ଦିର ପରିସରରେ ‘ସେବା ସଂକଳ୍ପ ଅଭିଯାନ’ର ପ୍ରଥମ ଦିନର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ