
ଖଡ଼ିଆଳ ଏନ୍ଏସି ପକ୍ଷରୁ ‘ସ୍ୱଚ୍ଛତା ହିଁ ସେବା’ ଓ ଦୀପଦାନ ଉତ୍ସବ
ନୂଆପଡ଼ା,୧୭ ସେପ୍ଟେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ପକ୍ଷରୁ ଏନ୍ଏସି କାର୍ଯ୍ୟାଳୟ ପରିସରରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିବସ ଉପଲକ୍ଷେ ଦୀପଦାନ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଖଡ଼ିଆଳ ଏନ୍ଏସି ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନର ୨୫ ବର୍ଷକୁ ଭାରତର ସ୍ୱର୍ଣ୍ଣିମ ଅଧ୍ୟାୟ ଭାବେ ଅଭିହିତ କରିବା ସହ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ତାଙ୍କ ଅବଦାନ ସମ୍ପର୍କରେ ଉଲ୍ଲେଖ କରିଥିଲେ।
କାର୍ଯ୍ୟକ୍ରମରେ ନିର୍ବାହୀ ଅଧିକାରୀ ସ୍ଵାଧୀନ କେତନ ମହାରଣା, ଖଡ଼ିଆଳ ବିଡିଓ ମିଳନ କୁମାର ଝାଙ୍କରଙ୍କ ସମେତ ଏନ୍ଏସିର ସମସ୍ତ କାଉନସିଲର ଓ କର୍ମଚାରୀ ଉପସ୍ଥିତ ଥିଲେ। ସମସ୍ତେ ଦୀପ ପ୍ରଜ୍ୱଳନ କରି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରିଥିଲେ। ଏହି ଅବସରରେ ସ୍ୱଚ୍ଛତା ପ୍ରତି ସଚେତନତା ସୃଷ୍ଟି ସହ ପରିବେଶକୁ ପରିଷ୍କାର ଓ ସୁସ୍ଥ ରଖିବା ନେଇ ସମସ୍ତେ ଆହ୍ୱାନ ଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ