
ପୁରୀ, ୧୭ ସେପ୍ଟେମ୍ବର (ହି.ସ.)- ବେଳାଭୂମି ସବୁବେଳେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ପୁରୀ ଆଧ୍ୟାତ୍ମିକ ଓ ପର୍ଯ୍ୟଟନ କ୍ଷେତ୍ର ପାଇଁ ବେଶ ଖ୍ୟାତି ଅର୍ଜନ କରିଛି। ଏହାକୁ ସ୍ୱଛ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ତଥା ନୋଡାଲ ଅଫିସର ଶରତ ଚନ୍ଦ୍ର ବେହେରା। ଆଜି ପେଣ୍ଠକଟା ସ୍ଥିତ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳରେ ସ୍ୱଛ ସାଗର, ସୁସ୍ଥ ସାଗର ଅଭିଯାନ ସମ୍ପର୍କରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ପେଣ୍ଠକଟା ସମୁଦ୍ର କୂଳ ଅଂଚଳର ଲୋକମାନେ ସମୁଦ୍ର ଉପରେ ନିର୍ଭରଶୀଳ ଓ ସେମାନଙ୍କ ଅର୍ଥନୀତି ସମୁଦ୍ର ସହ ଜଡିତ। ଏହା ସହ ମତ୍ସ୍ୟ ଉତ୍ପାଦନ ଦୃଷ୍ଟିରୁ ଏଠାରେ ଭବିଷ୍ୟତରେ ମତ୍ସ୍ୟ ଅବତରଣ କେନ୍ଦ୍ର ହୋଇପାରେ। ସେତେବେଳେ ଅଧିକରୁ ଅଧିକ ପର୍ଯ୍ୟଟକ ଏଠାକୁ ଆସିବେ। ଯାହା ଆମ ଅର୍ଥନୀତିକୁ ସମୃଦ୍ଧ କରିବ। ତେଣୁ ଆମ ବେଳାଭୂମିକୁ ସ୍ୱଛ ଓ ସୁନ୍ଦର ରଖିବା ପାଇଁ ଆମେ ସଂକଳ୍ପବଦ୍ଧ ହେବାକୁ ଶ୍ରୀ ବେହେରା ପରାମର୍ଶ ଦେବା ସହ ପେଣ୍ଠକଟାର ଅଧିବାସୀମାନେ ସମୁଦ୍ର କୂଳକୁ ସ୍ୱଛ ରଖି ଆଦର୍ଶ ସୃଷ୍ଟି କରିବାକୁ ଅନୁରୋଧ କରିଥିଲେ। ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜକାନ୍ତ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସମସ୍ତଙ୍କୁ ସ୍ୱଛ ସାଗର ଓ ସୁରକ୍ଷିତ ସାଗର ଶପଥ ପାଠ କରାଇଥିଲେ।
ବୈଠକରେ ଟିଏଫଡବ୍ଲୁଡି ର ପୁରୀ ଜିଲ୍ଲା ସଭାପତି ବାବୁଲା ପ୍ରସାଦ ପେଣ୍ଠକଟା ବାସିନ୍ଦାଙ୍କ ଆବଶ୍ୟକତା, ସମସ୍ୟା, ସମସ୍ୟାର ସମାଧାନ ପାଇଁ ବିବିଧ ପ୍ରସ୍ତାବ, ସ୍ୱଛ ଓ ସୁରକ୍ଷିତ ସାଗର ପାଇଁ ସହଯୋଗ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ମତ୍ସ୍ୟ ଅଧିକାରୀ ବି ନିଗମ କୁମାର, ଯଶସ୍ୱିନୀ ମହାନ୍ତି, ମାନସ କୁମାର ପରିଡା, ଏମ ସୁବାରାଓ, କେ ପ୍ରସନ୍ନ କୁମାର, କେ ଟାଟା ରାଓ, ୱ୍ୱାଇ ଆପାଲ ରାଜୁ, ବୋନ୍ଦି ଚିତିବାବୁ ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ମୁଖ୍ୟ ଜିଲ୍ଲା ମତ୍ସ୍ୟ ଅଧିକାରୀ ଦ୍ରୌପଦୀ ମାଝି ଧନ୍ୟବାଦ ଅର୍ପଣ କରିଥିଲେ।
ଏହା ପୂର୍ବରୁ ପେଣ୍ଠକଟା ସମୁଦ୍ର କୂଳରେ ସ୍ୱଛତା ଅଭିଯାନ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ସିଡିପିଓ, ଅଙ୍ଗନବାଡି କର୍ମୀ ଓ ସ୍ୱେଚ୍ଛାସେବୀ ମାନେ ଅଂଶଗ୍ରହଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ବିଜୟ