
ଜୟପୁର, ୧୭ ସେପ୍ଟେମ୍ବର (ହି.ସ.) - ଏମଡିଆର ବିଲ ପ୍ରତ୍ୟାହାର ଦାବିରେ ଜୟପୁର ଠାରେ ସଂସଦ, ବିଧାୟକ କଂଗ୍ରେସର ନେତା ଓ କର୍ମୀଙ୍କୁ ନେଇ ଜିଲ୍ଲା କଂଗ୍ରେସ କମିଟି ଆହ୍ୱାନରେ ଆଜି ରଣନୀତି ପ୍ରସ୍ତୁତ ହୋଇଛି ।
ଓଡ଼ିଶାର ଖଣିଜ ସମ୍ପଦର ପ୍ରକୃତ ଲାଭ ରାଜ୍ୟବାସୀ, ବିଶେଷକରି ଆଦିବାସୀ ଓ ମୂଳନିବାସୀଙ୍କୁ ମିଳୁନାହିଁ ବୋଲି ଅଭିଯୋଗ କରିଛି। କେନ୍ଦ୍ର ସରକାରଙ୍କ ଏମ୍ଏମ୍ଡିଆର୍ ସଂଶୋଧନ ବିଲ୍କୁ ବିରୋଧ କରିବା ସହ ଜଳ, ଜଙ୍ଗଲ, ଜମି ଓ ଖଣିଜ ସମ୍ପଦର ସୁରକ୍ଷା ଦାବିରେ ଆସନ୍ତା ୨୧ ତାରିଖରେ ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବ ଦଳ। ଏହାକୁ ସଫଳ କରିବା ପାଇଁ କୋରାପୁଟ ଜିଲ୍ଲା କଂଗ୍ରେସ ପକ୍ଷରୁ ଜୟପୁରରେ ପ୍ରସ୍ତୁତି ବୈଠକ ଆୟୋଜନ କରାଯାଇ ଥିଲା । ଜିଲ୍ଲା କଂଗ୍ରେସ ସଭାପତି ରୂପକ ତୁରୁକଙ୍କ ଅଧ୍ୟକ୍ଷତାରେ ଜୟପୁରଠାରେ ଆୟୋଜିତ ବୈଠକରେ କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକା, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତାଙ୍କ ସମେତ ଜିଲ୍ଲାର ବହୁ କଂଗ୍ରେସ ନେତା ଓ କର୍ମୀ ଯୋଗଦେଇଥିଲେ। କେନ୍ଦ୍ରର ଖଣିଜ ନୀତିକୁ ନେଇ ନେତାମାନେ ଉଦ୍ୱେଗ ପ୍ରକାଶ କରିବା ସହ ଆଗାମୀ ଆନ୍ଦୋଳନର ନେଇ ଆଲୋଚନା କରିଥିଲେ। ବୈଠକରେ ସାଂସଦ ଓ ବିଧାୟକମାନେ ଅଭିଯୋଗ କରିଥିଲେ ଯେ, ସଂସଦରେ ପର୍ଯ୍ୟାପ୍ତ ଆଲୋଚନା ନକରି ଅଳ୍ପ ସମୟ ମଧ୍ୟରେ ଏମ୍ଏମ୍ଡିଆର୍ ସଂଶୋଧନ ବିଲ୍ ପାରିତ କରାଯାଇଛି। ଏହା ଫଳରେ ଓଡ଼ିଶା, ବିଶେଷକରି ଦକ୍ଷିଣ ଓଡ଼ିଶାର ଖଣିଜ ସମ୍ପଦ ଉପରେ ବଡ଼ କର୍ପୋରେଟ୍ ସଂସ୍ଥାଙ୍କ ପ୍ରଭାବ ପଡିବ ବୋଲି ଯୁକ୍ତି ବଡିଛନ୍ତି ।
କେନ୍ଦ୍ର ସରକାରଙ୍କ ଅଧିକୃତ ସଂସଦୀୟ ରେକର୍ଡ ଅନୁଯାୟୀ, ଏମ୍ଏମ୍ଡିଆର୍ ସଂଶୋଧନ ବିଲ୍ ୨୦୨୬ ଅଗଷ୍ଟ ୧୦ରେ ଲୋକସଭାରେ ଉପସ୍ଥାପିତ ହୋଇଥିଲା। ଏହା ଅଗଷ୍ଟ ୧୨ରେ ଲୋକସଭା ଓ ୧୩ରେ ରାଜ୍ୟସଭାରେ ପାରିତ ହୋଇଥିବା ବେଳେ ଅଗଷ୍ଟ ୧୭ରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଥିଲା। ତେବେ ଏହି ଆଇନର ପ୍ରଭାବରେ ଖଣିଜ ସମ୍ପଦ ଲୁଟ ହେବ ବୋଲି ନେତା ମାନେ ମତ ପ୍ରକାଶ କରିଥିଲେ । ବୈଠକରେ କଂଗ୍ରେସ ନେତାମାନେ କହିଥିଲେ ଯେ, ଓଡ଼ିଶା ଖଣିଜ ସମ୍ପଦରେ ସମୃଦ୍ଧ ହୋଇଥିଲେ ମଧ୍ୟ ଏହାର ପ୍ରକୃତ ଲାଭ ସ ଲୋକଙ୍କ ଜୀବନମାନରେ ପ୍ରତିଫଳିତ ହେଉନାହିଁ। ଖଣିଜ ସମ୍ପଦରୁ ରାଜସ୍ୱ ସହ ଡିଏମ୍ଏଫ୍ ଓ ସିଏସ୍ଆର୍ ଭଳି ବ୍ୟବସ୍ଥା ମାଧ୍ୟମରେ ଖଣି ପ୍ରଭାବିତ ଅଂଚଳର ବିକାଶ ପାଇଁ ପାଣ୍ଠି ମିଳୁଥିବା ବେଳେ ନୂଆ ନୀତିରେ ରାଜ୍ୟର ସ୍ୱାର୍ଥ କିଭଳି ସୁରକ୍ଷିତ ରହିବ, ସେନେଇ ସେମାନେ ଯୁକ୍ତି ବଡ଼ିଥିଲେ । ୨୦୨୧ ମସିହାଠାରୁ ରାଜ୍ୟକୁ ମିଳିବାକୁ ଥିବା ଖଣିଜ ରାଜସ୍ୱ ପ୍ରସଙ୍ଗ ମଧ୍ୟ ବୈଠକରେ ଉଠିଥିଲା। ଓଡ଼ିଶା ‘ଧନୀ ହୋଇଥିଲେ ମଧ୍ୟ ଏଠାକାର ଅଧିବାସୀ ଗରିବ ହୋଇ ରହିଯାଉଛନ୍ତି ବୋଲି ନେତାମାନେ କହିଥିଲେ। ଦାମନଯୋଡ଼ି ନାଲ୍କୋ ସମେତ ବିଭିନ୍ନ ବୃହତ୍ ଶିଳ୍ପ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଓ ବିସ୍ଥାପନ ପ୍ରସଙ୍ଗ ଉଠାଇ କଂଗ୍ରେସ ନେତାମାନେ କହିଥିଲେ ଯେ, ବିକାଶ ପ୍ରକଳ୍ପ ପାଇଁ ଅନେକ ଆଦିବାସୀ ଓ ଦଳିତ ପରିବାର ନିଜ ଭିଟାମାଟିରୁ ବିସ୍ଥାପିତ ହୋଇଛନ୍ତି। ବିସ୍ଥାପିତ ପରିବାରଙ୍କୁ ଆଶାନୁରୂପ ପୁନର୍ବାସ, ଜୀବିକା ଓ ନିଯୁକ୍ତିର ସୁଯୋଗ ମିଳିନଥିବା ଅଭିଯୋଗ କରିଥିଲେ । ଆଗାମୀ ଦିନରେ ଖଣି ଓ ଶିଳ୍ପ ପ୍ରକଳ୍ପ ନାମରେ ଆଦିବାସୀଙ୍କ ଜମି ଓ ଜୀବନଜୀବିକା ଯେପରି ପ୍ରଭାବିତ ନହୁଏ, ସେଥିପାଇଁ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ କହିଥିଲେ। ୨୧ ତାରିଖର ରାୟଗଡ଼ା ଆନ୍ଦୋଳନକୁ ସଫଳ କରିବା ପାଇଁ କୋରାପୁଟ, ବୋରିଗୁମ୍ମା, ଜୟପୁର, ଲକ୍ଷ୍ମୀପୁର, ବନ୍ଧୁଗାଁ, ଦଶମନ୍ତପୁର ସମେତ ଜିଲ୍ଲାର ବିଭିନ୍ନ ସହରାଂଚଳ, ବ୍ଲକ୍ ଓ ପଂଚାୟତସ୍ତରରେ ପ୍ରସ୍ତୁତି ବୈଠକ କରାଯାଇ ପଞ୍ଚାୟତସ୍ତରରୁ ଅଧିକ ସଂଖ୍ୟକ ଲୋକଙ୍କୁ ରାୟଗଡ଼ାରେ ଏକତ୍ରିତ କରିବା ପାଇଁ ଦଳ ପକ୍ଷରୁ ଯୋଜନା କରାଯାଇଛି। ବୈଠକରେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତା, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ , ଜୟପୁର ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି,ବୋରିଗୁମ୍ମା ବ୍ଲକ୍ କଂଗ୍ରେସ ସଭାପତି ଅଶୋକ ଗନ୍ତାୟତ, ପୂର୍ବତନ ପୌରାଧ୍ୟକ୍ଷ ଦୁର୍ଗା ଶର୍ମା, ଓବିସି ସେଲ୍ ମୁଖ୍ୟ ନିହାର ରଞ୍ଜନ ବିଶୋୟୀ, କୋରାପୁଟ ସାଂସଦ ପ୍ରତିନିଧି ମନୋଜ ଆଚାର୍ଯ୍ୟ, ଜିଲ୍ଲା ପରିଷଦ ପିଙ୍କୁ ଶତପଥୀ, ଜୟପୁର ସାଂସଦ ପ୍ରତିନିଧି ହାସନ ମଦାନୀ, ଜିଲ୍ଲା ଉପସଭାପତି ସୂର୍ଯ୍ୟ ପଟ୍ଟନାୟକ, ପିସିସି ସମ୍ପାଦକ ଜଗଦୀଶ ଖୋସଲା, ଜିଲ୍ଲା ମହିଳା ସଭାନେତ୍ରୀ ନଳିନୀ ରଥ, ଭଗବାନ ବାହିନୀପତି,ଙ୍କ ସମେତ ଜିଲ୍ଲା ର ବ୍ଲକ ସଭାପତି ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି