
ଭୁବନେଶ୍ୱର,୧୭ ସେପ୍ଟେମ୍ବର (ହି.ସ) - ୟୁପିଆଇ କାରବାର ଉପରେ ପ୍ରସ୍ତାବିତ ଶୁଳ୍କକୁ ନେଇ କଂଗ୍ରେସ ପକ୍ଷରୁ କେନ୍ଦ୍ର ସରକାରଙ୍କ ନୀତି ଉପରେ ପ୍ରଶ୍ନ ଉଠାଯାଇଛି। ଏନେଇ ଗୁରୁବାର କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ ହୋଇଥିଲା। ଓପିସିସି ସାଧାରଣ ସମ୍ପାଦକ ସୋନାଲି ସାହୁ ଏଥିରେ ଯୋଗଦେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ।
ସେ କହିଥିଲେ, ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ କାରବାର ଉପରେ ଶୁଳ୍କ ଲାଗୁ କରିବାର ନିଷ୍ପତି ଦ୍ୱାରା ବ୍ୟବସାୟୀ ଓ ସାଧାରଣ ଲୋକଙ୍କ ଉପରେ ଅତିରିକ୍ତ ଆର୍ôଥକ ବୋଝ ପଡ଼ିବ ବୋଲି କଂଗ୍ରେସ ଆଶଙ୍କା ପ୍ରକାଶ କରିଛି। ଏହାକୁ ନେଇ ଅକ୍ଟୋବର ୧୫କୁ ‘ନ୍ୟାସନାଲ ଅସୁଲି ଡେ’ ଭାବେ ଘୋଷଣା କରିବାକୁ ସୋନାଲି ଦାବି କରିଥିଲେ।
ଏଆଇସିସି ବରିଷ୍ଠ ମୁଖପାତ୍ର ଡ. ହମିଦ୍ ହୁସେନ୍ ୟୁପିଆଇ ଶୁଳ୍କ ନିଷ୍ପତି ପଛରେ ଆମେରିକାର ଚାପ ଥିବା ଅଭିଯୋଗ କରିଥିଲେ। ୟୁପିଆଇର ବିକାଶ ଆମେରିକୀୟ କମ୍ପାନୀମାନଙ୍କ ସ୍ୱାର୍ଥକୁ ପ୍ରଭାବିତ କରୁଥିବାରୁ ଏହି ପ୍ରସଙ୍ଗ ଆମେରିକାର ବାଣିଜ୍ୟ ପ୍ରତିନିଧିଙ୍କ ନିକଟରେ ଉଠିଥିବା ସେ ଦାବି କରିଥିଲେ।
ଏଥିସହ ଭାରତ-ଆମେରିକା ବାଣିଜ୍ୟ ସମ୍ପର୍କ, କୃଷି ଓ ଦୁଗ୍ଧ କ୍ଷେତ୍ର, ଆମଦାନୀ ଶୁଳ୍କ ଏବଂ ରୁଷିଆରୁ ତେଲ ଆମଦାନୀ ଆଦି ପ୍ରସଙ୍ଗରେ ମଧ୍ୟ ସେ କେନ୍ଦ୍ରର ନୀତିକୁ ନେଇ ପ୍ରଶ୍ନ ଉଠାଇଥିଲେ।
କଂଗ୍ରେସ ଦେଶର ସାର୍ବଭୌମତ୍ୱ, ସ୍ୱାଧୀନ ବୈଦେଶିକ ନୀତି ଓ ଜାତୀୟ ସ୍ୱାର୍ଥକୁ ପ୍ରାଥମିକତା ଦେବାକୁ କେନ୍ଦ୍ର ସରକାରଙ୍କୁ ଆହ୍ୱାନ ଦେଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା