
ଭଦ୍ରକ, ୧୭ ସେପ୍ଟେମ୍ବର (ହି.ସ.) - ସୀମାନ୍ତ ତଥା ଉପକୂଳବର୍ତୀ ଇଲାକାରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢି ବଢି ଚାଲିଛି ଏହାକୁ ପ୍ରତିହିତ କରିବା ପାଇଁ ଆରମ୍ଭ ହୋଇଛି ସୁରକ୍ଷାଭ୍ୟାସ ସାଗର କବଚ -୨୦୨୬ । ପଶ୍ଚିମବଙ୍ଗ ଏବଂ ଓଡିଶା ରାଜ୍ୟ ପୁଲିସର ମିଳିତ ଭାବେ ଏହା ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ସମୁଦ୍ର ପଥରେ ଆସୁଥିବା ୪ ଆତଙ୍କବାଦୀ ମାନଙ୍କୁ ବ୍ଲୁ ଫୈାର୍ସ ଧରିବାରେ ସକ୍ଷମ ହୋଇଛି।
ପ୍ରାପ୍ତ ଖବର ଅନୁଯାୟୀ, ଧାମରା ସମେତ ସାରା ରାଜ୍ୟର ଉପକଳୂବର୍ତୀ ଅଂଚଳରେ ଏହି ତଟ ସୁରକ୍ଷା ସାଗର କବଚ ଆରମ୍ଭ ହୋଇଛି। ମୁମ୍ବାଇ ୨୬ ନଭେମ୍ବର ୨୦୧୧ ରେ ହୋଇଯାଇଥିବା ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହିତ କରିବା ତଥା ଆତଙ୍କବାଦୀ ମାନଙ୍କୁ ସମୂଳେ ଲୋପ କରିବା ଏହି କାର୍ଯ୍ୟକ୍ରମରେ ଅର୍ନ୍ତଭୁକ୍ତ। ଓଡିଶା ସରକାରଙ୍କ ତରଫରୁ ଉପକୂଳବର୍ତୀ ଅଂଚଳ ଯଥା- ଧାମରା, କସିଆ, ଚୁଡାମଣୀ, ଚାନ୍ଦିପୁର, ପାରାଦ୍ୱୀପ, ପୁରୀ ଏବଂ ଗୋପାଳପୁର ଠାରେ ଆଜି ସକାଳ୬ଟାରେ ଆରମ୍ଭ ହୋଇଛି ଉପକୂଳ ସୁରକ୍ଷାଭ୍ୟାସ। ଏହି ସୁରକ୍ଷାଭ୍ୟାସରେ ଭାରତୀୟ ତଟରକ୍ଷୀ ବାହିନୀ, ଭାରତୀୟ ନେଭି, ପଶ୍ଚିମବଙ୍ଗ ଏବଂ ଓଡିଶା ପୁଲିସ ସାମିଲ ହୋଇଥିଲେ ।ଏଥିପାଇଁ ଗୋଟିଏ ଦଳରେ ଭାରତୀୟ ତଟରକ୍ଷୀ ବାହିନୀ, ରାଜ୍ୟ ପୁଲିସ ଏବଂ ଭାରତୀୟ ନେଭି ର କିଛି ସଦସ୍ୟ ଗୁପ୍ତଚର(ରେଡଫୋର୍ସ) ହିସାବରେ ଧାମରା ଅଂଚଳକୁ ଆସନ୍ତି, ଅନ୍ୟଦଳଟିରେ ଯଥା ଧାମରା ପୁଲିସ ଏବଂ ଭଦ୍ରକ ଜିଲ୍ଲା ପୁଲିସ ଧାମରା ଉପକୂଳ ଅଂଚଳ ଯଥା-ଧାମରା, ଧାମରା ପୋର୍ଟ କମ୍ପାନୀ ଲିମିଟେଡ, ଧାମରା ମତ୍ସ୍ୟପୋତାଶ୍ରୟ, ଚନ୍ଦନୀପାଳ, କରଞମାଳ, ବାଲିମୁଣ୍ଡା, କସିଆ, ଚୁଡାମଣୀ ଜେଟି, ଚୁଡାମଣି ଘାଟ ଏବଂ ବାସୁଦେବପୁର ଠାରେ ସାଦା ପୋଷାକରେ ପହରା ଦେଉଥାନ୍ତି। ଯଦି ଗୁପ୍ତଚର ମାନେ(ରେଡଫୋର୍ସ) ଆସି ନିର୍ଧାରିତ ହୋଇଥିବା ସ୍ଥାନରେ ବିନା କିଛି ବାଧା ବିଘ୍ନରେ ପହଂଚିଯାନ୍ତି ତାହେଲେ ଗୋଇନ୍ଦା ବିଭାଗ (ବ୍ଲୁ ଫୋର୍ସ) ସଜାଗ ନାହିଁ ବୋଲି ଧରାଯାଏ। ଯଦି ନିର୍ଧାରିତ ହୋଇଥିବା ସ୍ଥାନରେ ପଂହଚିବା ପୂର୍ବରୁ ପହରା ଦେଉଥିବା ସାଦା ପୋଷାକ ପରିହିତ ପୁଲିସ(ବ୍ଲୁ ଫୋର୍ସ) ସେମାନଙ୍କୁ ଧରିନିଏ ତାହେଲେ ଉପକୂଳବର୍ତୀ ଅଂଚଳରେ ସୁରକ୍ଷା ବ୍ୟବସ୍ଥା ଠିକ୍ ଅଛି ବୋଲି ଧରିନିଆଯାଏ। ଏହି ସୁରକ୍ଷାଭ୍ୟାସ ଗତକାଲି ସକାଳ ୬ଟାରୁ ଆରମ୍ଭ ହୋଇଥିଲା ଦିନ ୧୧ଟା ସମୟରେ ପାରାଦ୍ୱୀପରୁ ଉମା -୨ ଏବଂ ମନୀଷା ନାମକ ମାଛ ଧରା ଟ୍ରଲରେ ୪ ଜଣ ଆତଙ୍କବାଦୀ ମାନେ ଆସୁଥିବାର ଖବର ପାଇ ଓଡିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋସ ଏର୍ବଂ ମେରାଇନ ପୁଲିସର ରଜନୀକାନ୍ତ ପ୍ରଧାନ, ରାଜେନ୍ଦ୍ର କୁମାର ବଳ, ସଞିବ ମଲିକ, ସୁରେନ୍ଦ୍ର ନାଥ ପ୍ରଧାନ କୃଷ୍ନ ଚନ୍ଦ୍ର ନାୟକ ପ୍ରମୁଖ ସମଦ୍ରରେ କାର୍ଯ୍ୟରତ ଥିବାବେଳେ ପାରାଦ୍ୱୀପର ଏହି ବୋଟକୁ ଅଟକାଇବା ସହ ଭିତରେ ଲୁଚି ରହିଥିବା ୪ ଜଣ ନାଭାଲ ଜବାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ପରେ ସେମାନଙ୍କୁ ଧାମରା ମେରାଇନ ଥାନାକୁ ଅଣାଯିବା ପରେ ସମସ୍ତଙ୍କ ବୟାନ ଲିପିବଦ୍ଧ କରିବା ପରେ ସେମାନଙ୍କୁ ଛାଡି ଦିଆଯାଇଥିଲା।
ଏହି ସୁରକ୍ଷାଭ୍ୟାସରେ ଓଡିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ, ଏବଂ ସେମାନଙ୍କର ଧାମରା ଠାରେ ନିୟୋଜିତ ହୋଇଥିବା ୨ଟି ବୋଟ, ଚୁଡାମଣୀ ଠାରେ ଥିବା ୨ଟି ସ୍ପିଡ ବୋଟ, ଧାମରା ମେରାଇନ ପୁଲିସ, ବାଂଶଡା ପୁଲିସ, (ବ୍ଲୁଫୋର୍ସ) ଡ୍ୟୁଟି ଆରମ୍ଭ କରିଥିଲେ ସେମାନେ ଧାମରାରୁ ବାହାରି ଚନ୍ଦନୀପାଳ, ଧାମରା ପ୍ରତିରକ୍ଷା ଘାଟୀ, କରଞମାଳ, କରଣପଲ୍ଲୀ, ବାଲିମୁଣ୍ଡା, ବାବୁବାଲି, ତାଳଚୁଆ ପ୍ରଭୃତି ସ୍ଥାନ ମାନଙ୍କରେ ପଇଁତରା ମାରି ବାସୁଦେବପୁର ଠାରେ ଥିବା କସିଆ ପର୍ଯ୍ୟନ୍ତ ଯାଇଥିଲେ । ଏହି ସାଗର କବଚରେ ଧାମରା ଠାରେ ଆରମ୍ଭ ହୋଇଥିବା ବେଳେ ଧାମରା ମତ୍ସ୍ୟପୋତାଶ୍ରୟ ଠାରେ ଜଣେ ସବ ଇନସପେକ୍ଟର ସମେତ ୬ ଜଣ କନେଷ୍ଟବଳ,ଧାମରା ବନ୍ଦର ନିକଟବର୍ତୀ ଅଂଚଳରେ ଜଣେ ଏଏସ ଆଇଙ୍କ ସମେତ୬ ଜଣ କନେଷ୍ଟବଳ, ଚନ୍ଦନୀପାଳ ପ୍ରତିରକ୍ଷା ଘାଟି ଠାରେ ଜଣେ ଏଏସଆଇଙ୍କ ସହ ୩ ଜଣ, କସିଆ ଠାରେ ୪ ଜଣ, ଚୁଡାମଣୀ ଜେଟିରେ ୪ ଜଣ ଏବଂ ଚୁଡାମଣୀ ଘାଟ ଠାରେ ୪ ଜଣ ସୁରକ୍ଷାକର୍ମୀ ନିୟୋଜିତ ଥିଲେ। ଏହି ସୁରକ୍ଷାଭ୍ୟାସ ୨ ଦିନ ଧରି ଚାଲିବ ବୋଲି ବିଭାଗୀୟ କର୍ତୁପକ୍ଷଙ୍କ ନିକଟରୁ ପ୍ରକାଶ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ