ଦପକା–ଏନ୍ଏଚ୍-୪୯ ସଂଯୋଗ ରାସ୍ତା ବେହାଲ : ବନ ବିଭାଗର ଅନୁମତି ଅପେକ୍ଷାରେ ଅଟକିଛି ନିର୍ମାଣ
Demand for road construction
ଦପକା–ଏନ୍ଏଚ୍-୪୯ ସଂଯୋଗ ରାସ୍ତା ବେହାଲ:


ଝାରସୁଗୁଡ଼ା, ୨ ସେପ୍ଟେମ୍ବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ଅନ୍ତର୍ଗତ ଦପକା ଗ୍ରାମରୁ ଜାତୀୟ ରାଜପଥ ଏନ୍ଏଚ୍-୪୯କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଅବସ୍ଥା ଏବେ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲଖମା ସୃଷ୍ଟି ହୋଇଥିବା ବେଳେ ବର୍ଷା ଜଳ ଜମି ରହୁଥିବାରୁ ଯାତାୟାତ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହେଉଛି। ଏହା ଫଳରେ ପ୍ରତିଦିନ ଯାତ୍ରୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ସୂଚନା ଅନୁଯାୟୀ, ଏହି ରାସ୍ତାର ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରଶାସନିକ ସ୍ତରରେ ଆବଶ୍ୟକ ଅର୍ଥ ମଞ୍ଜୁର ହୋଇସାରିଛି। କିନ୍ତୁ, ବନ ବିଭାଗର ଅନୁମତି ମିଳି ନଥିବାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁ ନାହିଁ ବୋଲି ପୂର୍ତ୍ତ ବିଭାଗର ଏସଡିଓ ସୁରଥ ନାଇକ ପ୍ରକାଶ କରିଛନ୍ତି।

ରାସ୍ତା କାମ ବିଳମ୍ବ ହେବାରୁ ଝାରସୁଗୁଡ଼ା ସଦର ବ୍ଲକ ଓ କୋଲାବିରା ବ୍ଲକର ପରମାଣପୁର, କାତିକେଲା, ଦବକା, ମୁଡୁକାଦୁଢା ଓ ଭୁକାମୁଣ୍ଡା ସମେତ ଆଖପାଖର ଅନେକ ଗ୍ରାମର ହଜାର ହଜାର ଲୋକ ପ୍ରଭାବିତ ହେଉଛନ୍ତି। ବିଶେଷ କରି ରୋଗୀ, ଛାତ୍ରଛାତ୍ରୀ ଏବଂ ନିତ୍ୟଯାତ୍ରୀମାନେ ଯାତାୟାତରେ ଅକଥନୀୟ ଦୁର୍ଭୋଗ ସହ୍ୟ କରୁଛନ୍ତି। ସ୍କୁଲ ଓ କଲେଜ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଦୁର୍ଘଟଣାର ଆଶଙ୍କା ମଧ୍ୟ ବଢ଼ିଚାଲିଛି।

ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ବନ ବିଭାଗ ଓ ପୂର୍ତ୍ତ ବିଭାଗ ମଧ୍ୟରେ ତୁରନ୍ତ ସମନ୍ୱୟ ସ୍ଥାପନ କରି ଆବଶ୍ୟକ ଅନୁମତି ପ୍ରଦାନ ସହ ରାସ୍ତା ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବାକୁ ଅଞ୍ଚଳବାସୀ ଦୃଢ଼ ଦାବି କରିଛନ୍ତି। ଶୀଘ୍ର ସମସ୍ୟାର ସମାଧାନ ନ ହେଲେ ଆଗାମୀ ଦିନରେ ଜନଆନ୍ଦୋଳନକୁ ଓହ୍ଲାଇବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande