
ମାଲକାନଗିରି, ୨ ସେପ୍ଟେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମଭି-୨୩ ଗ୍ରାମ ନିକଟ ୩୨୬ ନମ୍ବର ଜାତୀୟ ରାଜପଥରେ ବୁଧବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଟାୟାର ବୋଝେଇ ଟ୍ରକ୍ ର ଚକ ହଠାତ୍ ବ୍ଲାଷ୍ଟ ହୋଇ ଟ୍ରକ୍ ଟି ଭାରସାମ୍ୟ ହରାଇ ରାସ୍ତା ତଳ ବିଲ ଭିତରକୁ ଓଲଟି ପଡ଼ିଛି । ଫଳରେ ଟ୍ରକ୍ ଚାଳକ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିବା ବେଳେ ଖବର ପାଇ କାଲିମେଳା ପୋଲିସ ପହଞ୍ଚି ଟ୍ରକ୍ ଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ