
ମୁଖୀଗୁଡା, ୨ ସେପ୍ଟେମ୍ବର (ହି.ସ.)- ଓଡ଼ିଶାରୁ ସ୍କୁଟିରେ ଗଞ୍ଜେଇ ନେଇ ଛତିଶଗଡ଼ ଯାଉଥିବା ବେଳେ ଦୁଇ ଯୁବକଙ୍କୁ ଗିରଫ କରିଛି ଛତିଶଗଡ଼ ପୁଲିସ। ଗରିଆବନ୍ଧ ଜିଲ୍ଲା ଇନ୍ଦାଗାଁ ଥାନା ପୁଲିସ ‘ଅପରେସନ ନିଶ୍ଚୟ’ ଅଭିଯାନରେ ଏହି ସଫଳତା ପାଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଗାନ୍ଧୀଗ୍ରାମପଡ଼ାର ଭବାନୀ ଶଙ୍କର ନାଏକ(୩୪) ଓ ମୁକେଶ ପଟେଲ(୩୪)। ସେମାନଙ୍କ ନିକଟରୁ ୧୯ କିଲୋ ୮୪୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି। ଏହାର ଆନୁମାନିକ ବଜାର ମୂଲ୍ୟ ୯ ଲକ୍ଷ ୯୨ ହଜାର ଟଙ୍କା। ଏଥିସହ ଗଞ୍ଜେଇ ଚୋରାଚାଲାଣରେ ବ୍ୟବହୃତ ସ୍କୁଟି ନମ୍ବର ଓଡି ୦୮ଏସି ୮୫୮୬, ଦୁଇଟି ମୋବାଇଲ ଫୋନ ଜବତ କରାଯାଇଛି। ଜବତ ସାମଗ୍ରୀର ମୋଟ ମୂଲ୍ୟ ପ୍ରାୟ ୧୦ ଲକ୍ଷ ୫୨ ହଜାର ଟଙ୍କା ବୋଲି ଜଣାପଡ଼ିଛି। ଏନେଇ ଏନଡିପିଏସ ଆଇନର ଧାରା ୨୦(ଖ)ରେ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗଞ୍ଜେଇ କେଉଁଠାରୁ ଆସିଥିଲା ଓ କେଉଁଠାକୁ ଚୋରାଚାଲାଣ ହେଉଥିଲା, ତାହାର ତଦନ୍ତ ଚାଲିଛି। ତେବେ ଓଡ଼ିଶାରୁ ଗଞ୍ଜେଇ ନେଇ ଯାଉଥିବା ଅଭିଯୁକ୍ତ ଛତିଶଗଡ଼ରେ ଧରାପଡ଼ିବା ପରେ ରାଜ୍ୟରେ ଗଞ୍ଜେଇ ଚୋରା ଚାଲାଣ ରୋକିବା ନେଇ ନଜରଦାରି ଓ ତଦାରଖକୁ ନେଇ ପ୍ରଶ୍ନ ଉଠିଛି।
ସବୁଠାରୁ ଆଶ୍ଚର୍ଯ୍ୟ କଥା, ଜୟପାଟଣାରେ ରହି ଦୁଇ ଯୁବକ ଜୟପାଟଣା ଅଞ୍ଚଳରେ ତଥା ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ କରୁଥିବା ବେଳେ ସ୍ଥାନୀୟ ପୁଲିସ କିପରି ଜାଣି ପାରୁ ନଥିଲା ବୋଲି ଆଲୋଚନା ହେଉଛି ।
ହିନ୍ଦୁସ୍ଥାନ ସମାଚାର / ନିହାର