
ନବଗଠିତ ସହରାଞ୍ଚଳରେ ମୌଳିକ ଭିତ୍ତିଭୂମି ଓ ଆଧୁନିକ ନାଗରିକ
ସୁବିଧାକୁ ଗୁରୁତ୍ୱ
ଭୁବନେଶ୍ବର,୨ ସେପ୍ଟେମ୍ବର (ହି.ସ) ରାଜ୍ୟର ନବଗଠିତ ଏନଏସି ଗୁଡ଼ିକର ସାମଗ୍ରିକ
ବିକାଶ ଏବଂ ନାଗରିକଙ୍କ ପାଇଁ ଉନ୍ନତ ମୌଳିକ ସୁବିଧା ସୁନିଶ୍ଚିତ କରିବା ଲକ୍ଷ୍ୟରେ ରାଜ୍ୟ
ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନବଗଠିତ ୨୮ଟି ଏନଏସିରେ ବିଭିନ୍ନ ଭିତ୍ତିଭୂମି
ଉନ୍ନୟନ କାର୍ଯ୍ୟ ପାଇଁ ୫୬୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି। ପ୍ରତ୍ୟେକ
ଏନଏସି ପାଇଁ ୨୦ କୋଟି ଟଙ୍କା ଲେଖାଏଁ ଯୋଗାଇ ଦିଆଯିବ। ଏଥିରେ ସମ୍ପୃକ୍ତ ଅଞ୍ଚଳ ଗୁଡିକରେ
ରାସ୍ତା, ଡ୍ରେନ୍, ମାର୍କେଟ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି କାର୍ଯ୍ୟ
ସମ୍ପନ୍ନ ହେବ।
ଏହି ସ୍ୱତନ୍ତ୍ର ପ୍ୟାକେଜ୍ ମାଧ୍ୟମରେ ନବଗଠିତ ସହରାଞ୍ଚଳଗୁଡ଼ିକରେ
ଆବଶ୍ୟକୀୟ ନାଗରିକ ସୁବିଧା ଓ ଆଧୁନିକ ଭିତ୍ତିଭୂମି ସୃଷ୍ଟି କରାଯିବ। ପୌର କାର୍ଯ୍ୟାଳୟ ଭବନ
ପାଇଁ ୬.୪୦ କୋଟି, ରାସ୍ତା ଓ ଡ୍ରେନ୍
ପାଇଁ ୩ କୋଟି, ମଡେଲ୍ ମାର୍କେଟ୍
କମ୍ପ୍ଲେକ୍ସ ପାଇଁ ୨ କୋଟି ଏବଂ ମଡେଲ୍ ସହରୀ ହାଟ ପାଇଁ ୧ କୋଟି ଟଙ୍କା ଲେଖାଏଁ ବ୍ୟବସ୍ଥା
ରହିଛି।
ସେହିପରି ଶ୍ମଶାନ ପାଇଁ ୬୦ ଲକ୍ଷ , ଇଭିଚାର୍ଜିଂ ଷ୍ଟେସନ୍
୫୦ଲକ୍ଷ , ପାର୍କ ଓ ଖୋଲା
ସ୍ଥାନ, କମ୍ୟୁନିଟି ଟଏଲେଟ୍ ଅନ୍ୟନା
ସମୁଦାୟିକ ଭିତିଭୂମି ପାଇଁ ୩ କୋଟି, କାଞ୍ଜିଆ ହୁଡା ଓ
ବୁଲା ପ୍ରାଣୀ କଲ୍ୟାଣ ଭିତ୍ତିଭୂମି୫୦ ଲକ୍ଷ, ଜଳାଶୟର ଉନ୍ନୟନ ଓ
ସୌନ୍ଦର୍ଯ୍ୟୀକରଣ୧କୋଟି, ଷ୍ଟ୍ରିଟ୍ ଲାଇଟ୍
ପାଇଁ ୧କୋଟି ଏବଂ ସ୍ୱଚ୍ଛତା ଭିତ୍ତିଭୂମି ପାଇଁ ମଧ୍ୟ
୧କୋଟି ଏହି ପ୍ୟାକେଜ୍ରେ ବ୍ୟୟବରାଦ କରାଯାଇଛି। ମୋଟ ନବଗଠିତ ଏନଏସି ପାଇଁ ୨୦ କୋଟି
ଟଙ୍କା ଲେଖାଏଁ ବ୍ୟବସ୍ଥା କରାଯାଇଛି |
ଉନ୍ନତ ରାସ୍ତା ଓ ଡ୍ରେନ୍ ଯାତାୟାତକୁ ସୁଗମ କରିବା ସହ ଜଳଜମା
ସମସ୍ୟା ହ୍ରାସ କରିବ। ମଡେଲ୍ ମାର୍କେଟ୍ ଓ ସହରୀ ହାଟ ସ୍ଥାନୀୟ ବ୍ୟବସାୟୀ ଓ କ୍ଷୁଦ୍ର
ବିକ୍ରେତାଙ୍କ ପାଇଁ ସୁସଂଗଠିତ ବ୍ୟବସାୟିକ ପରିବେଶ ସୃଷ୍ଟି କରିବ।
ପାର୍କ, ଖୋଲା ସ୍ଥାନ, କମ୍ୟୁନିଟି ଟଏଲେଟ୍, ଉନ୍ନତ ଷ୍ଟ୍ରିଟ୍ ଲାଇଟ୍ ଓ ସ୍ୱଚ୍ଛତା ବ୍ୟବସ୍ଥା
ସହରାଞ୍ଚଳଗୁଡ଼ିକୁ ଅଧିକ ସୁରକ୍ଷିତ, ପରିଷ୍କାର ଓ
ବାସପଯୋଗ୍ୟ କରିବ।
ଏ ସମ୍ପର୍କରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ.
କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, “ନୂତନ ଭାବେ ଗଠିତ ଏନଏସିଗୁଡ଼ିକର
ବିକାଶ ଆମ ସରକାରଙ୍କ ପ୍ରାଥମିକତା। କେବଳ ପ୍ରଶାସନିକ ପରିସର ବୃଦ୍ଧି ନୁହେଁ, ଏହି ଅଞ୍ଚଳଗୁଡ଼ିକରେ ଗୁଣାତ୍ମକ ନାଗରିକ ସୁବିଧା
ପହଞ୍ଚାଇବା ହେଉଛି ଆମର ଲକ୍ଷ୍ୟ। ଏହି ସ୍ୱତନ୍ତ୍ର ଉନ୍ନୟନ ପ୍ୟାକେଜ୍ ମାଧ୍ୟମରେ ପ୍ରତ୍ୟେକ
ନୂତନ ଏନଏସିରେ ଆବଶ୍ୟକୀୟ ଭିତ୍ତିଭୂମି ସୃଷ୍ଟି କରାଯିବ। ରାସ୍ତା, ଡ୍ରେନେଜ୍, ପରିମଳ, ହାଟ, ପାର୍କ, ଆଲୋକୀକରଣ ଏବଂ ଅନ୍ୟାନ୍ୟ ନାଗରିକ ସୁବିଧାକୁ ଗୁରୁତ୍ୱ
ଦେଇ ଏହି ସହରାଞ୍ଚଳଗୁଡ଼ିକୁ ସୁନ୍ଦର, ସ୍ୱଚ୍ଛ ଓ
ସୁବିଧାସମ୍ପନ୍ନ କରାଯିବ।” ଏହି ୨୮ଟି ନୂତନ ଏନଏସିପାଇଁ ୨୦ କୋଟି ଟଙ୍କାର ପ୍ୟାକେଜ୍ ସେହି ଦିଗରେ ଏକ
ସଶକ୍ତ ପଦକ୍ଷେପ।
ଏଥିସହିତ ୬୨ଟି ପୌରାଞ୍ଚଳ ପାଇଁ ୩୨୩ କୋଟି ଟଙ୍କା ବିନିଯୋଗରେ ୫୯୩ଟି
ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ଏହି ପ୍ରକଳ୍ପ
ଗୁଡିକ ‘ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା’ ଅଧିନରେ କାର୍ଯ୍ୟକାରୀ ହେବ। ଏଥିରେ ୧୦୨ କୋଟି
ଟଙ୍କା ମୂଲ୍ୟର ୪୨୩ଟି ପ୍ରକଳ୍ପର ଉଦ୍ଘାଟନ ଥିବା ବେଳେ, ୨୨୧ କୋଟି ଟଙ୍କା
ମୂଲ୍ୟର ୧୭୦ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ହୋଇଛି।
ଏହି ସ୍ୱତନ୍ତ୍ର ଉନ୍ନୟନ ପ୍ୟାକେଜ୍ ମାଧ୍ୟମରେ ନୂତନ ଏନଏସିଗୁଡ଼ିକର
ଭବିଷ୍ୟତ ବିକାଶ ପାଇଁ ଏକ ସୁଦୃଢ଼ ଭିତ୍ତିଭୂମି ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ‘ବିକଶିତ
ଓଡ଼ିଶା–୨୦୩୬’ର ଲକ୍ଷ୍ୟକୁ ସାମ୍ନାରେ ରଖି ସମାବେଶୀ, ସୁସଂଗଠିତ ଓ
ଆଧୁନିକ ସହରାଞ୍ଚଳ ଗଠନ ଦିଗରେ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଏକ ନୂଆ ମାଇଲଖୁଣ୍ଟ |
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା