
ଜୟପୁୂର , 20 ସେପ୍ଟେମ୍ବର (ହି.ସ.) କୋରାପୁଟ ଜିଲ୍ଲାରେ ୧୮ ବର୍ଷରୁ ଉର୍ଦ୍ଧ୍ୱ କେହି ନିରକ୍ଷର ରହିବେ ନାହିଁ। ନବ ଭାରତ ସାକ୍ଷରତା ଅଭିଯାନର ହିଁ ଏହା ମୂଳ ଲକ୍ଷ୍ୟ। ଏହି ଅଭିଯାନକୁ ସଫଳ କରିବା ଲାଗି କୋରାପୁଟ ଜିଲ୍ଲା ଜୟପୁର ଗୋଷ୍ଠୀ ଶିକ୍ଷାଧିକାରୀ ଅଧିନସ୍ଥ ୧୫ ଟି କ୍ଳଷ୍ଟରର ୩୦ ଟି ସେଣ୍ଟରରେ ୨୦୦୦ ଉର୍ଦ୍ଧ୍ୱ ପରୀକ୍ଷାର୍ଥୀ ଆଜି ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମରେ ପରୀକ୍ଷା ଦେଇଛନ୍ତି। ଜୟପୁର ଗୋଷ୍ଠୀ ଶିକ୍ଷାଧିକାରୀ ଚନ୍ଦନ କୁମାର ନାୟକଙ୍କ ତତ୍ୱାବଧାନରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ କେ ଗୋପାଳ ରାଓ,ସୋମନାଥ ଗାଦବାଙ୍କ ସମେତ ଆଞ୍ଚଳିକ ସାଧନ ସଂଯୋଜକ ଜ୍ୟୋତିଶଙ୍କର ତ୍ରିପାଠୀ, ଅଭିମନ୍ୟୁ ପ୍ରଧାନ, ରୁଦ୍ରପ୍ରସନ୍ନ ପାଣିଗ୍ରାହୀ, ବିଜୟଲକ୍ଷ୍ମୀ ସ୍ୱାଇଁ, ରଶ୍ମିରେଖା ଗୌଡ଼, ସାଗର ତ୍ରିପାଠୀ, ଆଦିତ୍ୟ ପଟ୍ଟନାୟକ, ଭାଗିରଥି ବାରିକ, ରାମେଶ୍ୱର ପଣ୍ଡା, ସଂଯୁକ୍ତା ରାଉତ ପରୀକ୍ଷା କେନ୍ଦ୍ରଗୁଡିକରେ ଉପସ୍ଥିତ ରହି ନିରୀକ୍ଷକ ଭାବେ ଦାୟିତ୍ୱ ତୁଲାଇଥିଲେ। ଏହି ପରୀକ୍ଷାରେ ଯେଉଁ ପରୀକ୍ଷାର୍ଥୀମାନେ ଉତ୍ତୀର୍ଣ୍ଣ ହେବେ ସେମାନଙ୍କୁ ଉତ୍ତୀର୍ଣ୍ଣତାର ପ୍ରମାଣପତ୍ର ଯୋଗାଇ ଦିଆଯିବ। ଏହି ପରୀକ୍ଷାରେ ଜୟପୁର ବ୍ଲକର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରୀକ୍ଷା କେନ୍ଦ୍ର ଗୁଡିକରେ ସମସ୍ତ କାର୍ଯ୍ୟକୁ ସୁଚାରୁରୂପେ ସମ୍ପାଦନା କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି