
ଭୁବନେଶ୍ୱର, 20 ସେପ୍ଟେମ୍ବର (ହି.ସ.) ବିଭିନ୍ନ ଦେଶୀ ବିଦେଶୀ କମ୍ପାନୀମାନଙ୍କ ସ୍ୱାର୍ଥରେ ଜଳ, ଜମି ଜଙ୍ଗଲ ଓ ଖଣିଜ ସମ୍ପଦର ଖୋଲମଖୋଲା ଲୁଟ୍ ବିରୋଧରେ ତଥା ଜନ ଆନ୍ଦୋଳନ ମାନଙ୍କ ଉପରେ ପୋଲିସ୍ ଦମନଲୀଳା ବିରୋଧରେ ରାଜଧାନୀ ଭୁବନେଶ୍ଵରରେ ଏକ ଗଣ ପ୍ରତିବାଦ ଅନୁଷ୍ଠିତ ହୋଇଯାଇଛି। ସଚେତନ ନାଗରିକ ମଞ୍ଚ ଆହ୍ୱାନରେ ଆଜି ବିଭିନ୍ନ ବର୍ଗର ସଚେତନ ନାଗରିକ ଏହି ପ୍ରତିବାଦରେ ସାମିଲ୍ ହୋଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କର୍ପୋରେଟ ପୋଷଣ ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି। ଜଳ ଜମି ଓ ଜଙ୍ଗଲ ତଥା ଖଣିଜ ସମ୍ପଦ ଉପରେ ସ୍ଥାନୀୟ ଲୋକଙ୍କ ଅଧିକାର ତଥା ସେମାନଙ୍କ ଗଣତାନ୍ତ୍ରିକ ପ୍ରତିବାଦକୁ ମାନ୍ୟତା ଦେବା ପାଇଁ ସେମାନେ ଦାବି କରିଥିଲେ। ସେହିପରି ପଞ୍ଚମ ଅନୁସୂଚିତ ଅଞ୍ଚଳରେ ଗ୍ରାମସଭାର ସାମ୍ବିଧାନିକ ଅଧିକାରକୁ ମାନ୍ୟତା ଦେବା ସହିତ ଖଣିଜ ସମ୍ପଦର ଅବିଚାରିତ ଲୁଣ୍ଠନ ବନ୍ଦ କରିବା, ଗ୍ରାମସଭାର ଅଧିକାର କୁ କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟ ଦ୍ଵାରା ବିକୃତ ବ୍ୟାଖ୍ୟା ତଥା ନିକଟରେ ଖଣିଜ ସମ୍ପଦ ବିକାଶ ଓ ନିୟମାବଳୀ ଆଇନର ସଂଶୋଧନ(ଗଗଊଜ)(୨୦୨୬) କୁ ରଦ୍ଦ କରିବା ପାଇଁ ସେମାନେ ଦାବି କରିଛନ୍ତି। ଜଳ, ଜମି, ଜଙ୍ଗଲ, ପ୍ରକୃତି ଓ ପରିବେଶର ସୁରକ୍ଷା ପାଇଁ ଜୀବନ ମରଣ ପଣ କରି ଲଢୁଥିବା ଲୋକଙ୍କ ଲଢ଼େଇକୁ ସେମାନେ ସାରା ସମାଜର ଲଢ଼େଇ ବୋଲି ବର୍ଣ୍ଣନା କରିଥିଲେ। ସାରା ଓଡ଼ିଶାରେ ଜଳ,ଜମି ଓ ସମସ୍ତ ପ୍ରାକୃତିକ ସଂପଦର ସୁରକ୍ଷା ପାଇଁ ଚାଲିଥିବା ଜନ ଆନ୍ଦୋଳନକୁ ଦମନ କରିବା ପାଇଁ ମିଥ୍ୟା ମକଦ୍ଦମା ଓ ଗିରଫଦାରୀକୁ ଖଣି କମ୍ପାନୀ ମାନଙ୍କ ସ୍ୱାର୍ଥରେ ରାଷ୍ଟ୍ର ଦମନ ବୋଲି ସେମାନେ ବର୍ଣ୍ଣନା କରିଥିଲେ। ନିୟମଗିରି ସୁରକ୍ଷା ସମିତିର ସଭାପତି ଲଦ ସିକକା, ଜନ ଆନ୍ଦୋଳନ ତଥା ସମାଜବାଦୀ ଜନ ପରିଷଦର ରାଷ୍ଟ୍ରୀୟ ସଭାପତି ଲିଙ୍ଗରାଜ ଆଜାଦ୍ ଏବଂ ମା ମାଟି ମାଳି ସୁରକ୍ଷା ମଞ୍ଚର ନେତା ହୀରାମଲ ନାୟକ ଙ୍କୁ ଅବିଳମ୍ବେ ତଥା ନିଃସର୍ତ୍ତ ମୁକ୍ତ କରିବା ପାଇଁ ସେମାନେ ଦାବି କରିଛନ୍ତି।
ଏହିସବୁ ଜନ ଆନ୍ଦୋଳନ କେବଳ ପରିବେଶର ପ୍ରଶ୍ନ ନୁହେଁ; ହଜାର ହଜାର ଲୋକଙ୍କ ଜୀବିକା, ଜଳ-ଜଙ୍ଗଲ-ଜମି ଉପରେ ନିର୍ଭରଶୀଳ ଜନଜାତି ସମୁଦାୟଙ୍କ ଅଧିକାର ଏବଂ ଭବିଷ୍ୟତ ପିଢ଼ିର ସୁରକ୍ଷା ସହ ଜଡ଼ିତ ଗୁରୁତର ପ୍ରଶ୍ନ ବୋଲି ଆଜିର ପ୍ରତିବାଦରେ ସେମାନେ ଘୋଷଣା କରିଛନ୍ତି। ସେହିପରି ନିକଟରେ ଖଣି ଓ ଖଣିଜ (ବିକାଶ ଓ ନିୟମାବଳୀ) ଆଇନ - ୧୯୫୭ କୁ ସଂଶୋଧନ କରି କେନ୍ଦ୍ର ସରକାର ଖଣି ଓ ଖଣିଜ ସମ୍ପଦ (ବିକାଶ ଓ ନିୟମାବଳୀ) ଆଇନ୍ ସଂଶୋଧନ (୨୦୨୬)କୁ କାର୍ୟ୍ୟକାରୀ କରିବାକୁ ଯାଉଛନ୍ତି। ଯାହା ମାଧ୍ୟମରେ କେନ୍ଦ୍ରର ବିଜେପି ସରକାର ରାଜ୍ୟର ଟିକସ ଅଧିକାର ଛଡ଼ାଇ ନେବା ସହ ରାଜ୍ୟର ଖଣିଜ ଦ୍ରବ୍ୟ ଗଚ୍ଛିତ ଥିବା ଜମି ବା ଅଞ୍ଚଳକୁ ନିଜ ହାତକୁ ନେଇ ଯାଇଛନ୍ତି। ଏହା ସହ ଶିଳ୍ପପାଇଁ ଉଦ୍ଦିଷ୍ଟ ଖଣିଜ ଦ୍ରବ୍ୟକୁ କମ୍ପାନୀମାନଙ୍କୁ ବିଦେଶକୁ ଶତ ପ୍ରତିଶତ ରପ୍ତାନି କରିବାକୁ ଅନୁମତି ଦେବା ଦ୍ୱାରା ଆଗାମୀ ଦିନରେ ଆମ ରାଜ୍ୟରେ ଖଣି ଲୁଟ୍ ବ୍ୟାପକ ହେବାକୁ ଯାଉଛି। ସେହି ଲୁଟ୍ ବେଳେ ଗ୍ରାମସଭା ଯେପରି ବାଧକ ନହେବ ସେଥିପାଇଁ ଜମି ଓ ଜଙ୍ଗଲ ହସ୍ତାନ୍ତର ପାଇଁ ଗ୍ରାମସଭାର ଅଧିକାର ନାହିଁ ବୋଲି କହି ଆଦିବାସୀ ମନ୍ତ୍ରଣାଳୟ ରାଷ୍ଟ୍ରୀୟ ଜଳବିଦ୍ୟୁତ କର୍ପୋରେସନ୍ (ଘଐଚଉ)କୁ ଚିଠି ଲେଖିବା ପଛରେ ଦେଶର ପ୍ରାକୃତିକ ସମ୍ବଳକୁ ବିକ୍ରୀ କରିଦେବା ସହଜ ସାଧ୍ୟ ହୋଇଯିବ। ଏପରି ବିନାଶକାରୀ ଯୋଜନାକୁ ପଣ୍ଡ କରିବାକୁ ବ୍ୟାପକ ଜନ ଆନ୍ଦୋଳନ ପାଇଁ ସେମାନେ ଆହ୍ୱାନ ଦେଇଛନ୍ତି। ରାଜ୍ୟର ସମସ୍ତ ବିରୋଧି ଦଳ କେନ୍ଦ୍ରର ଆଦିବାସୀ ମନ୍ତ୍ରାଳୟର ଏପରି ସମ୍ବିଧାନ ବିରୋଧୀ ତଥା ଆଦିବାସୀ ବିରୋଧି ମତକୁ ଦୃଢ଼ ଭାବରେ ପ୍ରତିରୋଧ କରିବା ନିମନ୍ତେ ଆଗେଇ ଆସିବାକୁ ସେମାନେ ନିବେଦନ କରିଛନ୍ତି।
ଆଜିର ଏହି ପ୍ରତିବାଦରେ ବିଭିନ୍ନ ବର୍ଗର ରାଜନୈତିକ ନେତୃତ୍ବ, ଗଣତାନ୍ତ୍ରିକ ଜନ ଆନ୍ଦୋଳନ, ଗଣ ସଂଗଠନ, ମାନବାଧିକାର କର୍ମୀ, ଓକିଲ, ସାମ୍ବାଦିକ ଓ ସାମାଜିକ କର୍ମୀ ତଥା ସଚେତନ ନାଗରିକ ମାନେ ସାମିଲ ହୋଇଥିଲେ। ବରିଷ୍ଠ ସାମ୍ବାଦିକ ରବି ଦାସ, କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ, ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନଗୋ, ଗବେଷକ ଅନୀଲ୍ ଧୀର, ପରିବେଶ ସୁରକ୍ଷା କର୍ମୀ ତଥା ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନର ଶ୍ରୀମନ୍ତ ମହାନ୍ତି, ଲେଖିକା ରଞ୍ଜନା ପାଢ଼ୀ, ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନର ନରେନ୍ଦ୍ର ମହାନ୍ତି, ପ୍ରଫେସର ବୀରେନ୍ଦ୍ର ନାୟକ, ଦେବୀ ପୃଷ୍ଟି, କବି ଲେନିନ କୁମାର, ମାନବାଧିକାର କର୍ମୀ ପ୍ରମୋଦିନୀ ପ୍ରଧାନ, ବାଘାମ୍ବର ପଟ୍ଟନାୟକ , ରାକେଶ୍ କାନୁନଗୋ, ଟ୍ରେଡ ୟୁନିୟନ ନେତା ମହେନ୍ଦ୍ର ପରିଡ଼ା, ପ୍ରଦୀପ୍ତ ନାୟକ, ବରିଷ୍ଠ ସାମ୍ବାଦିକ ସୁଧୀର ପଟ୍ଟନାୟକ, ରାଜେଶ୍ ମହାପାତ୍ର, ରାଜନୈତିକ ନେତା ଭଜମନ ବେହେରା, ବଂଶୀଧର ପରିଡ଼ା,ସିଦ୍ଧାର୍ଥ ରାଉତରାୟ, ସ୍ତମ୍ଭକାର ରଙ୍ଗାଚରଣ ପ୍ରଧାନ, ଟ୍ରାନ୍ସଜେଣ୍ଡର ନେତ୍ରୀ ମେଘନା ସାହୁ, ଲୋହିଆ ଏକାଡେମୀର ଦେବ ପ୍ରସାଦ ରାୟ, ବସ୍ତି ସୁରକ୍ଷା ମଞ୍ଚର ସାଥୀ ମାନଙ୍କ ସହିତ ନାରାୟଣ ଲେଙ୍କା, ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାତା ଦେବରଞ୍ଜନ, ଜନ ଅଧିକାର ମଞ୍ଚର ଦଣ୍ଡପାଣି ମହାନ୍ତି, ସାମାଜିକ କର୍ମୀ ସିଦ୍ଧାର୍ଥ କର, କିସାନ୍ ପଟ୍ଟନାୟକ,ସସ୍ମିତା ଜେନା , ଆକାଂକ୍ଷା, ଆଇନଜୀବୀ ଜ୍ଞାନ ରଞ୍ଜନ, ବିଜୟ ପଣ୍ଡା, ସୁଭାସିସ, ରଶ୍ମି ରଞ୍ଜନ ଜେନା, କ୍ଷୀରୋଦ ରାଉତ, ପ୍ରତିମା ଦାସ, ପ୍ରଶାନ୍ତ ପାଇକରାୟ, ଚାମ୍ବରୁ ସୋରେନ୍, ଜନ ଆନ୍ଦୋଳନ ନେତା ବଟକୃଷ୍ଣ ସ୍ବାଇଁ, ସୁରେନ୍ଦ୍ର ତପସୁ, ରୁମିତା କୁଣ୍ଡୁ , ଦେବୀ ପ୍ରସନ୍ନ ରଥ, ମୋହନ ନାଇଡୁ, ବିଚିତ୍ର ବିଶ୍ବାଳ, ଦଣ୍ଡକାରଣ୍ୟ ସୁରକ୍ଷା ମଞ୍ଚର ଗୌରଚନ୍ଦ୍ର ତ୍ରୀପାଠୀ ପ୍ରମୁଖ ଶତାଧିକ ବ୍ୟକ୍ତି ସାମିଲ୍ ହୋଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା