ବ୍ରଜରାଜନଗର ଖଲିଆକାନୀଠାରେ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୋଠା ଉଦ୍ଘାଟିତ; ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଦ୍ୱାରା ଲୋକାର୍ପିତ
New CHC inagurate in Brajrajnagar
ବ୍ରଜରାଜନଗର ଖଲିଆକାନୀଠାରେ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର


ଅଞ୍ଚଳବାସୀଙ୍କୁ ସୁଲଭ ଓ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଆମର ମୁଖ୍ୟ ଲକ୍ଷ୍ୟ - ମନ୍ତ୍ରୀ

ଝାରସୁଗୁଡ଼ା, 20 ସେପ୍ଟେମ୍ବର (ହି.ସ.)ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରସ୍ଥିତ ଖଲିଆକାନୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ନବନିର୍ମିତ କୋଠାର ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ନୂତନ ସ୍ୱାସ୍ଥ୍ୟ କେନ୍ଦ୍ର କୋଠାକୁ ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ପୂଜାରୀ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ, ବ୍ରଜରାଜନଗରଠାରେ ନବନିର୍ମିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଶୁଭ ଉଦ୍ଘାଟନ କରି ସେ ଅତ୍ୟନ୍ତ ଆନନ୍ଦିତ। ଅଞ୍ଚଳବାସୀଙ୍କୁ ସୁଲଭ ଓ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଦିଗରେ ରାଜ୍ୟ ସରକାର ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ। ଏହି ଆଧୁନିକ ଚିକିତ୍ସାଳୟ କାର୍ଯ୍ୟକ୍ଷମ ହେବା ଫଳରେ ବ୍ରଜରାଜନଗର ତଥା ଆଖପାଖ ଅଞ୍ଚଳର ହଜାର ହଜାର ପରିବାର ଉନ୍ନତ ଚିକିତ୍ସା ସୁବିଧା ପାଇପାରିବେ। ପ୍ରତ୍ୟେକ ନାଗରିକଙ୍କୁ ସୁସ୍ଥ ଓ ନିରାମୟ ଜୀବନ ପ୍ରଦାନ କରିବା ଆମର ମୂଳ ଲକ୍ଷ୍ୟ ଏବଂ ଏକ ସୁସ୍ଥ ତଥା ପ୍ରଗତିଶୀଳ ଓଡ଼ିଶା ଗଠନ ପାଇଁ ସରକାରଙ୍କ ଏହି ପ୍ରୟାସ ନିରନ୍ତର ଜାରି ରହିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

ଉକ୍ତ ଉଦ୍ଘାଟନୀ ସଭାରେ ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ, ବ୍ରଜରାଜନଗର ପୌରପାଳିକା ଅଧ୍ୟକ୍ଷ କୃଷ୍ଣଗୋପାଳ ସୀତାନୀ, ବରଗଡ଼ ସାଂସଦଙ୍କ ପ୍ରତିନିଧି ସୁନୀଲ କୁମାର ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିବା ସହ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଦ୍ୱାରା ଅଞ୍ଚଳବାସୀ ବହୁଳ ଭାବେ ଉପକୃତ ହେବେ ବୋଲି ଆଶା ପ୍ରକଟ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ରଜରାଜନଗର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଚନ୍ଦ୍ରମଣି ସ୍ୱାଇଁ ଏବଂ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ଶକ୍ତି ପ୍ରସାଦ ପାଢ଼ୀ, ଡ. ଜୟ ପ୍ରକାଶ ପ୍ରଧାନଙ୍କ ସମେତ ସ୍ଥାନୀୟ ବୁଦ୍ଧିଜୀବୀ ଓ ପୌର କର୍ମଚାରୀମାନେ ଉପସ୍ଥିତ ଥିଲେ। ଶେଷରେ ଖଲିଆକାନୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ପ୍ରଦୀପ କୁମାର ପାଣ୍ଡେ ଉପସ୍ଥିତ ସମସ୍ତ ଅତିଥି ତଥା ଜନସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande