

ବଲାଙ୍ଗିର, 20 ସେପ୍ଟେମ୍ବର (ହି.ସ.)ବଲାଙ୍ଗିର ଜିଲ୍ଲାର କ୍ରୀଡା ଜଗତ ପାଇଁ ଆସିଛି ଏକ ଗୌରବମୟ ଖବର । ଜିଲ୍ଲାର ଦୁଇ ପ୍ରତିଭାବାନ କ୍ରୀଡାବିତ୍ ଜାତୀୟ ସ୍ତରରେ ନିଜ ପ୍ରତିଭାର ପରିଚୟ ଦେବାର ସୁଯୋଗ ପାଇଛନ୍ତି । ବଲାଙ୍ଗିର ଜିଲ୍ଲାର ପ୍ରତିଭାବାନ କ୍ରିକେଟ ଖେଳାଳି ଯୋଗେଶ୍ୱର ବାଗ ଅଣ୍ଡର-୧୯ ବାଳକ ବର୍ଗରେ ଓଡିଶା ଦଳରେ ସ୍ଥାନ ପାଇଛନ୍ତି । ସେ ଆସନ୍ତା ଅକ୍ଟୋବର ୮ ତାରିଖରୁ ୨୭ ତାରିଖ ପୁଡୁଚେରୀ ଠାରେ ଅନୁଷ୍ଠିତ ହେବାକୁ ଥିବା ଭିନୁ ମଙ୍କଡ ଟ୍ରଫିରେ ଅଂଶଗ୍ରହଣ କରିବେ । ସେହି ପରି ଟିଟିଲାଗଡ ଜୁନିୟର ବାଳିକା ଫୁଟବଲ ଖେଳାଳି ଶ୍ରଦ୍ଧାଞ୍ଜଳୀ ହେର୍ଣ୍ଣା ମଧ୍ୟ ଓଡିଶା ଜୁନିୟର ଫୁଟବଲ ଦଳରେ ସ୍ଥାନ ପାଇଛନ୍ତି । ସେ ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ଅନନ୍ତପୁର ଠାରେ ଚାଲିଥିବା ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି । ଗତ ୧୦ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ । ବଲାଙ୍ଗିର ମାଟିର ଏହି ଦୁଇ ଉଦୀୟମାନ କ୍ରୀଡା ପ୍ରତିଭା ରାଜ୍ୟ ଓ ଜାତୀୟ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ ପାଇଥିବାରୁ ସମଗ୍ର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । ଉଭୟ ଖେଳାଳିଙ୍କ ସଫଳତା ପାଇଁ ଜିଲ୍ଲା କ୍ରୀଡା ସଂସଦ ତରଫରୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ସେମାନେ ଆହୁରି ସଫଳତା ଅର୍ଜନ କରି ବଲାଙ୍ଗିର ଜିଲ୍ଲାର ଗୌରବ ବଢାଇବେ ବୋଲି ଶୁଭେଚ୍ଛା ଜଣାଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ