ଯାତ୍ରୀ ସେବା ଅଭିଯାନର ଚତୁର୍ଥ ଦିବସରେ ସଫେଇ ଓ ଆସନ ବ୍ୟବସ୍ଥା ଯାଂଚ
Yatri-seba-abhijanare-chaturth
ବିମାନବନ୍ଦରରେ ଯାତ୍ରୀ ସୁବିଧାକୁ ପ୍ରାଥମିକତା


ଝାରସୁଗୁଡ଼ା, ୨୦ ସେପ୍ଟେମ୍ବର (ହି.ସ.) - ଭାରତୀୟ ବିମାନବନ୍ଦର କର୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ଝାରସୁଗୁଡ଼ାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଚାଲିଥିବା ଯାତ୍ରୀ ସେବା ଅଭିଯାନ-୨୦୨୬ର ଚତୁର୍ଥ ଦିବସ ରବିବାର ପାଳିତ ହୋଇଛି। ବିମାନବନ୍ଦରର ଭାରପ୍ରାପ୍ତ ନିର୍ଦ୍ଦେଶକ ଉପେନ୍ଦ୍ରନାଥ ଧଣ୍ଡିଆଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ସହ ସଫେଇ ଅଭିଯାନ ଆୟୋଜିତ ହୋଇଥିଲା।

ଯାତ୍ରୀଙ୍କୁ ପର୍ଯ୍ୟାପ୍ତ, ଆରାମଦାୟକ ଓ ସୁରକ୍ଷିତ ବସିବା ସୁବିଧା ଯୋଗାଇଦେବା ଏହି ଅଭିଯାନର ପ୍ରମୁଖ ଲକ୍ଷ୍ୟ ଥିଲା। ଏହି କ୍ରମରେ ବିମାନବନ୍ଦର ଟିମ୍ ପକ୍ଷରୁ ବିଭିନ୍ନ ଯାତ୍ରୀ ପ୍ରତୀକ୍ଷାଳୟରେ ଥିବା ଚେୟାରଗୁଡ଼ିକର ସ୍ଥିତି ଯାଂଚ କରାଯାଇଥିଲା। ଭଙ୍ଗା କିମ୍ବା ନଷ୍ଟ ହୋଇଥିବା ଚେୟାର ଚିହ୍ନଟ କରାଯାଇ ତୁରନ୍ତ ମରାମତି କିମ୍ବା ବଦଳାଇବା ପାଇଁ ପଦକ୍ଷେପ ନିଆଯାଇଥିଲା।

ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ଯାତ୍ରୀଙ୍କ ପାଇଁ ସଂରକ୍ଷିତ ଆସନ ବ୍ୟବସ୍ଥାକୁ ଅଧିକ ସୁଗମ କରାଯାଇଥିଲା। ଏଥିସହ ଯାତ୍ରୀଙ୍କ ବସିବା ସ୍ଥାନ ନିକଟରେ ଚାର୍ଜିଂ ପଏଂଟ ବ୍ୟବସ୍ଥା, ପରିଷ୍କାର ପରିଚ୍ଛନ୍ନତା ଏବଂ ଅଧିକ ଗହଳି ସମୟରେ ଯାତ୍ରୀଙ୍କ ଆବଶ୍ୟକତା ନେଇ ମଧ୍ୟ ସମୀକ୍ଷା କରାଯାଇଥିଲା।

ଅଭିଯାନ ସମୟରେ ଯାତ୍ରୀମାନଙ୍କଠାରୁ ସିଧାସଳଖ ମତାମତ ଓ ପରାମର୍ଶ ଗ୍ରହଣ କରାଯାଇଥିଲା। ଯାତ୍ରୀଙ୍କ ମତାମତ ଆଧାରରେ ସେବାକୁ ଆହୁରି ଉନ୍ନତ ଓ ସୁବିଧାଜନକ କରାଯିବ ବୋଲି କର୍ତୃପକ୍ଷ ପକ୍ଷରୁ କୁହାଯାଇଛି।

କାର୍ଯ୍ୟକ୍ରମରେ ବିମାନବନ୍ଦରର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ସଫେଇ, ଯାଂଚ ଓ ପରିଚାଳନା କାର୍ଯ୍ୟରେ ସକ୍ରିୟ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande