
ନୂଆଦିଲ୍ଲୀ, ୨୧ ସେପ୍େଟମ୍ବର (ହି.ସ.)- କେନ୍ଦ୍ରୀୟ ଗୃହ ଓ ସହକାରିତା ମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ନୂଆଦିଲ୍ଲୀରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକର ମାଦକ ପଦାର୍ଥ ବିରୋଧୀ କାର୍ଯ୍ୟବଳ (ଏଏନଟିଏଫ) ପ୍ରମୁଖମାନଙ୍କ ତୃତୀୟ ଜାତୀୟ ସମ୍ମିଳନୀର ଉଦଘାଟନ କରିବେ। ଏହି ଅବସରରେ ସେ ଲକ୍ଷ୍ନୌ ଏବଂ ଦେହରାଦୁନରେ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି)ର ନୂତନ ଆଂଚଳିକ ପରିସରଗୁଡ଼ିକର ଭର୍ଚୁଆଲ ଭାବେ ଭିତିପ୍ରସ୍ତର ମଧ୍ୟ ସ୍ଥାପନ କରିବେ।
ଦୁଇ ଦିନିଆ ସମ୍ମିଳନୀର ଆୟୋଜନ ଏନସିବି ପକ୍ଷରୁ କରାଯାଉଛି। ଏଥିରେ ୩୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ଏଏନଟିଏଫ ପ୍ରମୁଖମାନଙ୍କ ବ୍ୟତୀତ ସମ୍ପୃକ୍ତ କେନ୍ଦ୍ରୀୟ ମନ୍ତ୍ରଣାଳୟ, ବିଭାଗ ଏବଂ ଅନ୍ୟାନ୍ୟ ହିତଧାରୀଙ୍କ ପ୍ରତିନିଧିମାନେ ଅଂଶଗ୍ରହଣ କରିବେ। ଗୃହ ମନ୍ତ୍ରଣାଳୟ ଅନୁଯାୟୀ ସମ୍ମିଳନୀର ଉଦ୍ଦେଶ୍ୟ କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକ ମଧ୍ୟରେ ‘ସମ୍ପୂର୍ଣ୍ଣ ସରକାର’ ଦୃଷ୍ଟିକୋଣକୁ ସୁଦୃଢ଼ କରିବା ଏବଂ ମାଦକ ପଦାର୍ଥ ଚୋରାଚାଲାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏନସିବି ଏବଂ ରାଜ୍ୟ-କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକର ଏଏନଟିଏଫ ମଧ୍ୟରେ ସମନ୍ୱୟକୁ ଆହୁରି ପ୍ରଭାବଶାଳୀ କରିବା।
କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ସୋମବାର ଏକ ବିବୃତିରେ କହିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ ସରକାର ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟର କୁପ୍ରଭାବରୁ ରକ୍ଷା କରିବା ପାଇଁ ମିଶନ ମୋଡରେ କାମ କରୁଛି। ପ୍ରଧାନମନ୍ତ୍ରୀ ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ର ଲକ୍ଷ୍ୟ ରଖିଛନ୍ତି ଏବଂ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ନିଶାମୁକ୍ତ ଭାରତ ଗଠନ ଆବଶ୍ୟକ।
-----------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ