
ମାଲକାନଗିରି, ୨୨ ସେପ୍ଟେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ଥାନା ପୁଲିସ ଗତକାଲି ବେଜଙ୍ଗିୱାଡା ପଞ୍ଚାୟତର କେନାଲ ରାସ୍ତାରେ ଏକ କାର ଭିତରୁ ୬୩ କେଜି ଗଞ୍ଜେଇ ଜବତ କରିଛି ।
ସୂଚନା ଅନୁଯାୟୀ, କେନାଲ ରାସ୍ତା ଦେଇ କାରଟି କାଲିମେଳା ଅଭିମୁଖେ ଆସୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ କାଲିମେଳା ପୁଲିସ ଚଢ଼ଉ କରିଥିଲା । ପୁଲିସକୁ ଦେଖି କାର ଚାଳକ ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିଲା । ଘଟଣାସ୍ଥଳରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇର ଓଜନ କରାଯିବା ପରେ ଥାନାକୁ ଅଣାଯାଇଥିଲା । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬ ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ପୁଲିସ ସୂଚନା ଦେଇଛି । ଏ ସମ୍ପର୍କରେ କାଲିମେଳା ଥାନାରେ ଏନଡିପିଏସ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ପ୍ରଭୁ ଦତ୍ତ ବିଶ୍ୱାଳ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ