
ଶିକ୍ଷା ବ୍ୟବସ୍ଥାରେ ଅବହେଳା ବିରୋଧରେ ସ୍ଥାନୀୟ ଲୋକଙ୍କ ଅଭିଯୋଗ
କେନ୍ଦ୍ରାପଡ଼ା, ୨୨ ସେପ୍ଟେମ୍ବର(ହି.ସ.) –ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଆଖୁଆ ଓଢଙ୍ଗ ହାଇସ୍କୁଲରେ ଏକ ଗୁରୁତର ଅଭିଯୋଗ ଉଠିଛି। ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ନିୟମିତ ସମୟ ଅର୍ଥାତ୍ ଚାରିଟା ବଦଳରେ ଚାରିଟା ପୂର୍ବରୁ ଛୁଟି ଦିଆଯାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଅଭିଭାବକ ଓ ଅଂଚଳବାସୀ। ଏହି ଘଟଣା ପ୍ରଧାନଶିକ୍ଷକଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଛି। ଅଭିଭାବକମାନେ କହିଛନ୍ତି ଯେ, ସରକାର ଶିକ୍ଷକମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦରମା ଦେଉଥିବା ବେଳେ ପିଲାମାନଙ୍କୁ ଠିକ୍ ଭାବରେ ପାଠ ପଢ଼ାଇବା ପାଇଁ ଯଥେଷ୍ଟ ସମୟ ଦିଆଯାଉନାହିଁ। ନିୟମ ଅନୁଯାୟୀ ବିଦ୍ୟାଳୟ ଚାରିଟା ପର୍ଯ୍ୟନ୍ତ ଚାଲିବା କଥା ଥିଲେ ମଧ୍ୟ ପୂର୍ବରୁ ଛୁଟି ଦିଆଯିବା ଯୋଗୁଁ ଶିକ୍ଷାର ଗୁଣବତା ପ୍ରଭାବିତ ହେଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। “ସରକାରଙ୍କ କଥା ଶିକ୍ଷକମାନେ କାହିଁକି ମାନୁନାହାନ୍ତି? ଦରମା ନେଇ ପିଲାଙ୍କୁ ସଠିକ୍ ଭାବରେ ପଢ଼ାଇବା କାହିଁକି ହେଉନାହିଁ?”ଏହି ପ୍ରଶ୍ନ ଅଂଚଳବାସୀଙ୍କ ମୁଖରୁ ଉଠିଛି। ଏହି ଘଟଣା ପରେ ସ୍ଥାନୀୟ ଲୋକେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଧ୍ୟାନାକର୍ଷଣ କରାଇଛନ୍ତି। ସେମାନେ କହିଛନ୍ତି ଯେ, ଏପରି ଅବହେଳା ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ପ୍ରଧାନଶିକ୍ଷକଙ୍କ ଉପରେ ଉଚିତ ତଦନ୍ତ କରାଯାଇ ଦୋଷୀ ସାବ୍ୟସ୍ତ ହେଲେ ଆବଶ୍ୟକ ପଦକ୍ଷେପ ନିଆଯିବା ଦାବି କରାଯାଇଛି। ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ, ଏହି ଘଟଣା କେବଳ ଏକ ବିଦ୍ୟାଳୟର ନୁହେଁ, ବରଂ ସମଗ୍ର ଅଞ୍ଚଳର ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି। ସେମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ଏହି ବିଷୟରେ ବିଦ୍ୟାଳୟ ପ୍ରଶାସନ କିମ୍ବା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ଆନୁଷ୍ଠାନିକ ପ୍ରତିକ୍ରିୟା ଏପର୍ଯ୍ୟନ୍ତ ମିଳିନାହିଁ। ଅଞ୍ଚଳବାସୀ ଏବେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଆପେକ୍ଷାରେ ଅଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ରବି