
ଭୁବନେଶ୍ବର , 22 ସେପ୍ଟେମ୍ବର (ହି.ସ.) ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର-୨୦୨୬) ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ଏବଂ ବହୁ ଯୋଗ୍ୟ ଭୋଟରଙ୍କ ନାମ ଚୂଡାନ୍ତ ତାଲିକାରୁ ବାଦ ପଡିଥିବା ଅଭିଯୋଗ କରିଛି ବିଜୁ ଜନତା ଦଳ। ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ଓ ସାଧାରଣ ସମ୍ପାଦକ ବିଜୟ ନାୟକ ଏହି ଅଭିଯୋଗ ଆଣିଛନ୍ତି।
ବିଜେଡିର ଅଭିଯୋଗ ଅନୁଯାୟୀ, ୨୦୨୫ରେ ରାଜ୍ୟରେ ୩ କୋଟି ୪୦ ଲକ୍ଷ ୭୨,୭୪୪ ଭୋଟର ଥିଲେ। ଏସଆଇଆର ପ୍ରକ୍ରିୟା ଆରମ୍ଭ ସମୟରେ ପ୍ରାୟ ୩ କୋଟି ୧୬ ଲକ୍ଷ ଭୋଟରଙ୍କ ମ୍ୟାପିଂ କରାଯାଇଥିଲା। ଏହି ତଥ୍ୟରେ ପ୍ରାୟ ୨୫ ଲକ୍ଷ ଭୋଟରଙ୍କୁ କାହିଁକି ମ୍ୟାପିଂ କରାଯାଇନଥିଲା, ତାହାର ସ୍ପଷ୍ଟୀକରଣ ଦଳ ଦାବି କରିଛି। ଏଥିସହ ଚୂଡାନ୍ତ ତାଲିକାରେ ବାଦ ପଡିଥିବା ଭୋଟରଙ୍କ ସଂଖ୍ୟା ନେଇ ନିର୍ବାଚନ ଅଧିକାରୀଙ୍କ ତଥ୍ୟ ଓ ବିଭିନ୍ନ ରିପୋର୍ଟରେ ତାରତମ୍ୟ ଥିବା ଅଭିଯୋଗ କରାଯାଇଛି।
ଆପତ୍ତି ଓ ଅଭିଯୋଗର ସଠିକ୍ ଯାଞ୍ଚ ନକରି ଭୋଟରଙ୍କ ନାମ ବାଦ ଦିଆଯାଇଥିବା, ବିଏଲଓମାନଙ୍କ ଉପରେ ଚାପ ପ୍ରୟୋଗ ଏବଂ କିଛି ଭୋଟରଙ୍କୁ ବାଂଲାଦେଶୀ ଭାବେ ଚିହ୍ନଟ କରି ତାଲିକାରୁ ବାଦ ଦିଆଯାଇଥିବା ନେଇ ମଧ୍ୟ ବିଜେଡି ଅଭିଯୋଗ କରିଛି। ଧାମନଗର ଅଞ୍ଚଳରେ ଏସଆଇଆର ପ୍ରକ୍ରିୟାରେ ଅନିୟମିତତା ନେଇ ଅଭିଯୋଗ ସତ୍ତ୍ୱେ ଉଚିତ ପଦକ୍ଷେପ ବିଳମ୍ବରେ ନିଆଯାଇଥିବା ଦଳ କହିଛି।
ବିଜେଡିର ଦାବି: ଏସଆଇଆର ପ୍ରକ୍ରିୟାରେ ବାଦ ପଡିଥିବା ଯୋଗ୍ୟ ଭୋଟରଙ୍କ ନାମ ପୁନଃ ଯାଞ୍ଚ କରି ଭୋଟର ତାଲିକାରେ ସାମିଲ କରାଯାଉ। ଭୋଟର ବାଦ ପଡିବାର କାରଣ ଏବଂ ମ୍ୟାପିଂ ହୋଇନଥିବା ଭୋଟରଙ୍କ ସମ୍ପର୍କରେ ନିର୍ବାଚନ ଅଧିକାରୀ ସ୍ପଷ୍ଟ ତଥ୍ୟ ପ୍ରକାଶ କରନ୍ତୁ। ଏଥିସହ ଅଭିଯୋଗଗୁଡିକର ନିରପେକ୍ଷ ଯାଞ୍ଚ କରି ଦୋଷୀଙ୍କ ବିରୋଧରେ ପଦକ୍ଷେପ ଏବଂ ଭବିଷ୍ୟତରେ ଭୋଟର ତାଲିକା ପ୍ରସ୍ତୁତିରେ ସ୍ୱଚ୍ଛତା ନିଶ୍ଚିତ କରାଯାଉ ବୋଲି ଦଳ ଦାବି କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା