
ଜୟପୁର, ୨୨ ସେପ୍େଟମ୍ବର (ହି.ସ.) - ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୃଷି ବିଭାଗ ତରଫରୁ କୋରାପୁଟ ସ୍ଥିତ ବ୍ରାଉନ୍ ଭ୍ୟାଲି ଇଷ୍ଟେଟ୍ସ୍ର ସହଯୋଗରେ ଆଜି ସୁନାବେଡ଼ା ପରିସରରେ “ଦି କଫି ଜର୍ଣ୍ଣି” ଶୀର୍ଷକ ଏକ ଦିବସୀୟ କର୍ମଶାଳା ଆୟୋଜିତ ହୋଇଥିଲା। କଫି ଚାଷ, ପ୍ରକ୍ରିୟାକରଣ, ରୋଷ୍ଟିଂ, ବ୍ରୁଇଂ, ମୂଲ୍ୟବର୍ଦ୍ଧନ, ବିପଣନ ଏବଂ କଫି ଉତ୍ପାଦନ ସହ ଜଡ଼ିତ ଉଦୀୟମାନ ବଜାର ସୁଯୋଗ ଆଦି ବିଷୟ ଉପରେ କର୍ମଶାଳାରେ ଗୁରୁତ୍ୱ ଦିଆଯାଇଥିଲା।
ଏହି ଅବସରରେ କୃଷି ବିଭାଗର ମୁଖ୍ୟ ଡ. ମଞ୍ଜୁଶ୍ରୀ ସିଂହ କହିଥିଲେ ଯେ, କୃଷି, ଫରେଷ୍ଟ୍ରୀ ଏବଂ ବିଜନେସ ମ୍ୟାନେଜମେଂଟ ବିଭାଗର ଛାତ୍ରଛାତ୍ରୀଙ୍କ ପାଇଁ ବିଶେଷ ଭାବେ ପ୍ରାସଙ୍ଗିକ। ବିହନଠାରୁ କପ୍ ପର୍ଯ୍ୟନ୍ତ କଫି ଅନେକ ପର୍ଯ୍ୟାୟ ଦେଇ ଗତି କରେ। ଏହି ପ୍ରକ୍ରିୟାରେ ଉତ୍ପାଦନ, ପ୍ରକ୍ରିୟାକରଣ, ଅର୍ଥନୀତି, ବିପଣନ ଓ ବ୍ରାଣ୍ଡିଂ ଭଳି ବିଭିନ୍ନ ଦିଗ ସାମିଲ ରହିଛି। ଛାତ୍ରଛାତ୍ରୀମାନେ କଫିର ସମ୍ପୂର୍ଣ୍ଣ ମୂଲ୍ୟ ଶୃଙ୍ଖଳା ଏବଂ ଏହାର ଅର୍ଥନୈତିକ ସ୍ଥାୟିତ୍ୱକୁ ବୁଝିବା ଆବଶ୍ୟକ ।
କର୍ମଶାଳାରେ ନିକ୍ ରିଡ୍ ମେଂଟର୍ ଭାବେ ଯୋଗଦେଇ କଫିର ଇତିହାସ, କଫି ଚାଷ ଓ ଉତ୍ପାଦନ, ବିଭିନ୍ନ ପ୍ରକ୍ରିୟାକରଣ ପଦ୍ଧତି, ରୋଷ୍ଟିଂ କୌଶଳ ଏବଂ ବ୍ରୁଇଂ ସମ୍ପର୍କରେ ବିସ୍ତୃତ ଧାରଣା ପ୍ରଦାନ କରିଥିଲେ। ଅଂଶଗ୍ରହଣକାରୀମାନେ କଫିର ମୂଲ୍ୟ ଶୃଙ୍ଖଳା ଏବଂ ବିକାଶଶୀଳ କଫି କ୍ଷେତ୍ରରେ ଉପଲବ୍ଧ ବିଭିନ୍ନ ସୁଯୋଗ ସମ୍ପର୍କରେ ମଧ୍ୟ ଅବଗତ ହୋଇଥିଲେ। ସେ ନିଜର ଅଭିଭାଷଣରେ କହିଥିଲେ ଯେ, ଭାରତରେ, ବିଶେଷକରି ଓଡ଼ିଶାରେ, କଫି ବଜାରର ଅନୁସନ୍ଧାନ ଓ ବିକାଶ ପାଇଁ ବ୍ୟାପକ ସୁଯୋଗ ରହିଛି।
ଅଂଶଗ୍ରହଣକାରୀମାନଙ୍କୁ ସମ୍ବୋଧିତ କରି ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ଅଜିତ କୁମାର ଶାସନୀ କୋରାପୁଟକୁ ଏକ କଫି ଉତ୍ପାଦନ ଅଂଚଳ ଭାବେ ବିକଶିତ କରିବାର ସମ୍ଭାବନା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, “କୋରାପୁଟରେ ଉଚ୍ଚମାନର କଫି ଉତ୍ପାଦିତ ହେଉଛି ଏବଂ କଫି ଚାଷ ପାଇଁ ଏଠାକାର ଜଳବାୟୁ ଅନୁକୂଳ।”
ଏହି କର୍ମଶାଳାରେ ଏସ୍ସିଏ ପ୍ରମାଣିତ ପ୍ରଫେସନାଲ୍ ବାରିଷ୍ଟା ଓ କଫି ଟେକ୍ନିସିଆନ୍ ତଥା ରୋଷ୍ଟର୍ ନିକ୍ ରିଡ୍ ଏବଂ ବ୍ରାଉନ୍ ଭ୍ୟାଲି କଫି ଇଷ୍ଟେଟ୍, କୋରାପୁଟର ପ୍ରତିଷ୍ଠାତା ସୁଜୟ କୁମାର ପ୍ରଧାନଙ୍କ ସମେତ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଗବେଷଣାର୍ଥୀ ଓ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି