
ଚମ୍ପୁଆ, ୨୨ ସେପ୍େଟମ୍ବର (ହି.ସ.) : ଚମ୍ପୁଆ ଉପଖଣ୍ଡସ୍ଥ ଯୋଡ଼ା ବ୍ଲକ ଅନ୍ତର୍ଗତ ଦେଓଝର ପଂଚାୟତର ସିଆଳିଯୋଡ଼ା ଖେଳ ପଡ଼ିଆ ନିକଟରେ ଏକ ନୂତନ ବିଦେଶୀ ମଦ ଦୋକାନ ଖୋଲିବା ପ୍ରସ୍ତାବକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ବିରୋଧ ଦେଖାଦେଇଛି। ଏହି ଦୋକାନ ସ୍ଥାପନକୁ ବିରୋଧ କରି ପଂଚାୟତର ବିଭିନ୍ନ ଗ୍ରାମର ଶତାଧିକ ମହିଳା ଆନ୍ଦୋଳନକୁ ଓହ୍ଲାଇବା ସହ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।
ମହିଳାମାନଙ୍କ ଅଭିଯୋଗ ଅନୁଯାୟୀ, ପ୍ରସ୍ତାବିତ ମଦ ଦୋକାନ ନିକଟରେ ଏକ ପୂଜାସ୍ଥଳୀ, ବିଦ୍ୟାଳୟ ଏବଂ ପିଲାମାନଙ୍କ ଖେଳ ପଡ଼ିଆ ରହିଛି। ଏପରି ଏକ ପବିତ୍ର ଓ ଶିକ୍ଷାଗତ ପରିବେଶ ମଧ୍ୟରେ ମଦ ଦୋକାନ ଖୋଲାଗଲେ ସ୍ଥାନୀୟ ପରିବେଶ ଏବଂ ସାମାଜିକ ଶୃଙ୍ଖଳା ନଷ୍ଟ ହେବାର ଆଶଙ୍କା ରହିଛି। ଏହାଦ୍ୱାରା ପାରିବାରିକ କଳହ ଓ ଅନ୍ୟାନ୍ୟ ସାମାଜିକ ଅପରାଧ ବୃଦ୍ଧି ପାଇବ ବୋଲି ମହିଳାମାନେ ଆଶଙ୍କା ପ୍ରକାଶ କରିଛନ୍ତି।
ଗତ ମାସ ୧୩ ତାରିଖରେ ମହିଳାମାନେ ଏକତ୍ରିତ ହୋଇ ପ୍ରସ୍ତାବିତ ଦୋକାନରେ ତାଲା ପକାଇବା ସହ ଦେଓଝର ପଂଚାୟତ ସରପଂଚ ଧ୍ରୁବ ନାଏକଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ। ପରେ ପଂଚାୟତ କାର୍ଯ୍ୟାଳୟରୁ ବ୍ୟାନର ଧରି ସ୍ଲୋଗାନ ଦେଇ ପଦଯାତ୍ରାରେ ସିଆଳିଯୋଡ଼ା ଗ୍ରାମରେ ପହଂଚିି ମଦ ଦୋକାନର କାଉଂଟର ସମ୍ମୁଖରେ ଟାୟାର ଜାଳି ପ୍ରତିବାଦ ପ୍ରକଟ କରିଥିଲେ। ପୂର୍ବରୁ ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସନ୍ତୋଷଜନକ ପଦକ୍ଷେପ ନିଆଯାଇ ନଥିଲା। ଫଳରେ ସୋମବାର ଯୋଡ଼ା ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣିରେ ଶତାଧିକ ମହିଳା ଉପସ୍ଥିତ ରହି ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ଅଭିଯୋଗକୁ ଗୁରୁତ୍ୱର ସହ ଗ୍ରହଣ କରି ଜିଲ୍ଲାପାଳ ଅବକାରୀ ବିଭାଗର କେନ୍ଦୁଝର ନିରୀକ୍ଷକ ତେଜରାଜ ଜାନିଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। ପରେ ଶ୍ରୀ ଜାନି ମହିଳାମାନଙ୍କ ସହ ଆଲୋଚନା କରି ଆଗାମୀ ୭ ଦିନ ମଧ୍ୟରେ ଘଟଣାର ତଦନ୍ତ କରାଯାଇ ବିଭାଗୀୟ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି। ଅବକାରୀ ବିଭାଗର ତଦନ୍ତ ପରେ କିପରି ପଦକ୍ଷେପ ନିଆଯାଉଛି ତାହା ଉପରେ ସ୍ଥାନୀୟ ଲୋକଙ୍କ ନଜର ରହିଛି। ଯଦି ସମୟସୀମା ମଧ୍ୟରେ ଠୋସ୍ ପଦକ୍ଷେପ ଗ୍ରହଣ କରାନଯାଏ, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / Trinath Mahanta