
ମାଲକାନଗିରି, ୨୨ ସେପ୍ଟେମ୍ବର (ହି.ସ.)- ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଯୋଗୁଁ ଆସନ୍ତା ୨୩ ରୁ ୨୫ ସେପ୍ଟେମ୍ବର ପର୍ଯ୍ୟନ୍ତ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଆଜି ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଜରୁରୀ ଆଭାସୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସମ୍ଭାବ୍ୟ ବନ୍ୟା ଓ ଜରୁରୀ ପରିସ୍ଥିତିର ମୁକାବିଲା, ସମ୍ବେଦନଶୀଳ ଅଞ୍ଚଳରୁ ଲୋକଙ୍କ ସୁରକ୍ଷିତ ସ୍ଥାନାନ୍ତରଣ, ଆଶ୍ରୟସ୍ଥଳୀର ପ୍ରସ୍ତୁତି ଏବଂ ଉଦ୍ଧାରକାରୀ ଦଳର ମୁତୟନ ନେଇ ଜିଲ୍ଲାପାଳ ବ୍ୟାପକ ସମୀକ୍ଷା କରିବା ସହ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଓ ପ୍ରଶାସନିକ କର୍ମଚାରୀଙ୍କୁ ୨୪ ଘଣ୍ଟିଆ ଦାୟିତ୍ୱ ସହ ସମ୍ପୂର୍ଣ୍ଣ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ବନ୍ଦ ରଖିବା ପାଇଁ ଛୁଟି ଘୋଷଣା କରାଯାଇଥିବା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଆସନ୍ତା ୨୪ ତାରିଖ ଦିନ ସମସ୍ତ ମଦ ଦୋକାନ ବନ୍ଦ ରଖିବାକୁ ଆଦେଶ ଦିଆଯାଇଛି। ସ୍ଥାନାନ୍ତରିତ ଲୋକଙ୍କ ପାଇଁ ମାଲକାନଗିରି ଏବଂ ବାଲିମେଳା ପୌରାଞ୍ଚଳର କଲ୍ୟାଣ ମଣ୍ଡପଗୁଡ଼ିକୁ ଅସ୍ଥାୟୀ ଆଶ୍ରୟସ୍ଥଳୀ ଭାବେ ପ୍ରସ୍ତୁତ ରଖାଯାଇଛି, ଯେଉଁଠାରେ ଶୁଖିଲା ଖାଦ୍ୟ ସହ ଗରମ ମଧ୍ୟାହ୍ନ ଓ ରାତ୍ରି ଭୋଜନର ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି। ତଳିଆ ଅଞ୍ଚଳରୁ ଲୋକଙ୍କୁ ନିରାପଦ ସ୍ଥାନକୁ ଘୁଞ୍ଚାଇବା ପାଇଁ ପୌରାଞ୍ଚଳର ପରିମଳ ଗାଡ଼ି ଏବଂ ଶବ୍ଦବିସ୍ତାରକ ଯନ୍ତ୍ର ମାଧ୍ୟମରେ ବ୍ୟାପକ ସଚେତନତା ବାର୍ତ୍ତା ପ୍ରଚାର କରାଯାଉଛି।
ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାରେ ମୋଟ ୩୭ଟି ବିପର୍ଯ୍ୟୟ ପ୍ରଶମନ ଦଳକୁ ସଜାଗ ରଖାଯାଇଛି, ଯାହା ମଧ୍ୟରୁ ମାଥିଲି ଅଞ୍ଚଳ ପାଇଁ ୧୨ଟି ଏବଂ କାଲିମେଳା ପାଇଁ ୨୫ଟି ଦଳ ନିୟୋଜିତ କରାଯାଇଛି। ପାଙ୍ଗାମ, କନ୍ୟାଶ୍ରମ ପୋଲ ସମେତ ସମସ୍ତ ଜଳମଗ୍ନ ଓ ବିପଜ୍ଜନକ ଅଞ୍ଚଳରେ ଆରକ୍ଷୀ ପ୍ରହରା କଡ଼ାକଡ଼ି କରାଯାଇଛି। ବନ୍ୟା ପାଣି କିମ୍ବା ବିପଜ୍ଜନକ ସ୍ଥାନକୁ ଯାଇ ଚଳଚ୍ଚିତ୍ର କିମ୍ବା ଭିଡିଓ ବନାଇବା ଉପରେ ଜିଲ୍ଲାପାଳ କଟକଣା ଜାରି କରିଛନ୍ତି ଏବଂ ନିୟମ ଭଙ୍ଗ କଲେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ଅପରପକ୍ଷରେ, ବୋଣ୍ଡାଘାଟି, ବାୟାପଡ଼ା ଏବଂ ବଡଡୁରାଲ ଭଳି ପାହାଡ଼ିଆ ଓ ଭୂସ୍କଖଳନ ପ୍ରବଣ ଅଞ୍ଚଳରେ ରାସ୍ତା ସଫା କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ଏବଂ ନିର୍ମାଣ ବିଭାଗ ପକ୍ଷରୁ ମାଟିଖୋଳା ଯନ୍ତ୍ର ଏବଂ ଗଛ କଟା ଯନ୍ତ୍ରଗୁଡ଼ିକୁ ତୁରନ୍ତ ନିୟୋଜିତ କରାଯିବା ସହ ବିପଦ ସୂଚନାଫଳକ ସୁନିଶ୍ଚିତ କରିବା ପାଇଁ କୁହାଯାଇଛି। ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଆଲୋକ ବ୍ୟବସ୍ଥା, ଜରୁରୀ ଚିକିତ୍ସା ଆମ୍ବୁଲାନ୍ସ ଏବଂ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହେଲେ ବ୍ୟବହାର ପାଇଁ ସମସ୍ତ ବ୍ଲକ୍ ରେ ବିଦ୍ୟୁତ୍ ଉତ୍ପାଦନ ଯନ୍ତ୍ର ସଜାଗ ରଖାଯାଇଛି। ଜନସାଧାରଣ ଭୟଭୀତ ନହୋଇ ପ୍ରଶାସନର ନିର୍ଦ୍ଦେଶାବଳୀ ପାଳନ କରିବା ସହ ଜରୁରୀ ସମୟରେ ନିକଟସ୍ଥ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ ହେବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ