

ବଲାଙ୍ଗିର, ୨୨ ସେପ୍େଟମ୍ବର (ହି.ସ.) ବଲାଙ୍ଗୀର: ସଂସ୍କୃତଭାରତୀ, ବଲାଙ୍ଗୀର ଶାଖା ର ଅନୁରୋଧ କ୍ରମେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ ମଙ୍ଗଳବାର ସ୍ଥାନୀୟ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।
ଭାରତୀୟ ଜ୍ଞାନପରମ୍ପରାର ଅମୂଲ୍ୟ ବାହକ ସଂସ୍କୃତ ଭାଷାର ପ୍ରଚାର-ପ୍ରସାର, ସଂରକ୍ଷଣ ତଥା ଶିକ୍ଷାକ୍ଷେତ୍ରରେ ଏହାର ମହତ୍ୱକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ସମ୍ମିଳନୀରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ୨୫୪ ଜଣ ସଂସ୍କୃତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ।
ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପଥରଚେପା, ବଲାଙ୍ଗୀରର ସଂସ୍କୃତ ଶିକ୍ଷକ ତଥା ପ୍ରାନ୍ତ ପ୍ରଚାର ପ୍ରମୁଖ ଶେଷଦେବ ମିଶ୍ର ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।
ସଂସ୍କୃତଭାରତୀର ପ୍ରାନ୍ତ ସମ୍ପାଦକ ତଥା ସଂସ୍କୃତ ଅଧ୍ୟାପକ ଅଜିତ କୁମାର ପଣ୍ଡା ସମ୍ମିଳନୀର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ।
ମୁଖ୍ୟବକ୍ତା ଭାବେ ସଂସ୍କୃତଭାରତୀର ପୂର୍ବକ୍ଷେତ୍ର ସଂଯୋଜକ ନୃସିଂହଚରଣ ପଣ୍ଡା ଯୋଗଦେଇ
ବିଦ୍ୟାଳୟସ୍ତରରେ ସଂସ୍କୃତ ଶିକ୍ଷାକୁ ଅଧିକ ସରଳ, ଜୀବନ୍ତ ଓ ଆକର୍ଷଣୀୟ କରିବା ଦିଗରେ ଶିକ୍ଷକମାନେ ନିରନ୍ତର ପ୍ରୟାସ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ।
ସଭାରେ ବଲାଙ୍ଗୀର ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର ଅଧ୍ୟକ୍ଷତା କରି
ଆଧୁନିକ ଶିକ୍ଷାବ୍ୟବସ୍ଥା ସହ ସମନ୍ୱୟ ରକ୍ଷା କରି ସଂସ୍କୃତର ଜ୍ଞାନ, ସାହିତ୍ୟ ଓ ମୂଲ୍ୟବୋଧକୁ ନୂତନ ପିଢ଼ି ନିକଟରେ ପହଂଚାଇବା ହେଉଛି ସଂସ୍କୃତ ଶିକ୍ଷକଙ୍କ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବୋଲି ମତପୋଷଣ କରିଥିଲେ।
କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଶ୍ରୀସଦାଶିବ ପରିସର, ପୁରୀର ଶିକ୍ଷାଶାସ୍ତ୍ର ବିଭାଗର ସହକାରୀ ଆଚାର୍ଯ୍ୟ ଡ. ସୁଶାନ୍ତ କୁମାର ରାୟ ବିଷୟବିଶେଷଜ୍ଞ ଭାବେ ଯୋଗଦେଇ ଅଧ୍ୟାପନରେ ନିରନ୍ତର ନବୀନତା ଆଣିବା ସହିତ ଛାତ୍ରଛାତ୍ରୀଙ୍କ ମନରେ ସଂସ୍କୃତ ପ୍ରତି ଆଗ୍ରହ, ଶ୍ରଦ୍ଧା ଓ ଆତ୍ମୀୟତା ସୃଷ୍ଟି କରିବା ଉଚିତ ବୋଲି କହିଥିଲେ।। ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସନ୍ତୋଷିନୀ ସେଠୀ ବିଶିଷ୍ଟ ଅତିଥି ଭାବେ ଉଦ୍ୱୋଧନ ପ୍ରଦାନ କରିଥିଲେ। ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଚନ୍ଦ୍ରପୁର ର ଡ. ମାନସରଞ୍ଜନ ସାହୁ କୃତଜ୍ଞତା ଜ୍ଞାପନ କରିଥିଲେ।
ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ଏବଂ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଶିକ୍ଷକମାନଙ୍କୁ ସମ୍ମାନିତ କରାଯାଇଥିଲା। ଡ. ଅନ୍ନପୂର୍ଣ୍ଣା ଆଚାର୍ଯ୍ୟ କାର୍ଯ୍ୟକ୍ରମର ସଂଚାଳନା କରିଥିଲେ। ଦେବଦତତ୍ତ ଦ୍ୱିବେଦୀ,ଅମିତ ଭୋଇ, ଅର୍ଚ୍ଚନା ତାଣ୍ଡି, ରୀନା ମିଶ୍ର,ଦୀପାଳୀ ଆଚାର୍ଯ୍ୟ, ବୀରକିଶୋର ସୁନା , ଭାଗୀରଥି ସାହୁ, ଶକୁନ୍ତଳା ମାଝୀ ଆଦି ସକ୍ରିୟ ସହଯୋଗ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ