
ପୁରୀ, ୨୨ ସେପ୍ଟେମ୍ବର (ହି.ସ.)- ପୁରୀ ଜିଲ୍ଲା ଆଇନ ସେବା ପ୍ରାଧୀକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରାଜଜ୍ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶ ଅନୁଯାୟୀ ସୁରାଜମଲ ସାହା ମହାବିଦ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ପୀଡ଼ିତା କ୍ଷତିପୂରଣ ଯୋଜନା ଅନ୍ତର୍ଭୂକ୍ତ ଏସିଡ ଆକ୍ରମଣରେ ଶିକାର ହୋଇଥିବା ପୀଡ଼ିତାଙ୍କୁ ଆଇନ ସହାୟତା ଓ ସାଇବର ଆଇନ ସମ୍ପର୍କରେ ଆଇନ ସଚେତନତା ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ଯକ୍ରମକୁ ପୁରୀ ଜିଲ୍ଲା ଆଇନ ସେବା ପ୍ରାଧୀକରଣର ସଚିବ ପରିତୋଷ କୁମାର ସେଠୀ ଉଦଘାଟନ କରିବା ସହ ନିଜ ବକ୍ତବ୍ୟରେ ଏସିଡ ଆକ୍ରମଣରେ ଶିକାର ହୋଇଥିବା ପୀଡ଼ିତାଙ୍କୁ କ୍ଷତିପୂରଣ ଦେବା, ଆକ୍ରମଣକାରୀଙ୍କୁ ଆଜୀବନ କାରାଦଣ୍ଡ ଓ ଜୋରିମାନା ହୋଇପାରେ ଏବଂ ପୀଡ଼ିତାଙ୍କୁ ମାଗଣା ଆଇନ ଓ ସ୍ବାସ୍ଥ୍ୟ ସେବା ମିଳିବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବ ବୋଲି ପ୍ରକାଶ କରିବା ସହିତ ପୀଡ଼ିତା କ୍ଷତିପୂରଣ ଯୋଜନା ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ ଏବଂ ସାଇବର ଆଇନ ସମ୍ପର୍କିତ ବିଭିନ୍ନ ଆଇନ ବିଷୟରେ ସଚେତନ କରାଇବା ସହ ଆଇନ ସେବା ପ୍ରାଧୀକରଣ ଅଧିନିୟମ ୧୯୮୭ ରେ ଥିବା ବିଭିନ୍ନ ବିଧିବ୍ୟବସ୍ଥାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ, ନିଶୁଳ୍କ ଆଇନ ସେବା ଯୋଗ୍ୟ ହିତାଧିକାରୀ, ଲୋକ ଅଦାଲତ, ମଧ୍ୟସ୍ଥତା କେନ୍ଦ୍ର, ନ୍ୟାୟ ସଂଯୋଗ, ୧୫୧୦୦ ଏବଂ ସମୁଖ କାର୍ଯ୍ୟାଳୟ ବିଷୟରେ ଅବଗତ କରାଇବା ସହ ଆଇନ ସେବା କ'ଣ ଏବଂ ଆଇନ ସେବା ପାଇବା ପାଇଁ କେଉଁ କେଉଁମାନେ ଯୋଗ୍ୟ, ସେହି ବିଷୟରେ ଆଲୋଚନା କରିଥିଲେ। କାର୍ଯ୍ଯକ୍ରମରେ ଡ଼ିଏସପି କଳ୍ପନା କାଉଁରୀ ସାଇବର ଆଇନ ବିଷୟରେ ଛାତ୍ର, ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ ।
ଆଜିର ଏହି କାର୍ଯ୍ଯକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଧରଣିଧର ମୁଦୁଲି ଏବଂ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ର, ଛାତ୍ରୀମାନେ ଉପସ୍ଥିତ ଥିଲେ । ଆଜିର ଏହି କାର୍ଯ୍ଯକ୍ରମରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ମାନଙ୍କୁ ଆଇନ ସେବା ପ୍ରାଧିକରଣ ତରଫରୁ ଧନ୍ୟବାଦ ଅର୍ପଣ ସହ ଆଇନ ସେବାର ଉପଯୋଗୀତା ଓ ଉପଦେୟତାକୁ ଜନସାଧାରଣଙ୍କ ମଧ୍ୟରେ ପ୍ରଚାର କରିବା ସହ ଏହା କିପରି ଜନସାଧାରଣଙ୍କ ଉପଯୋଗୀ ହୋଇପାରିବ ଏଥିପାଇଁ ଆହ୍ବାନ ଦେଇଥିଲେ । କାର୍ଯ୍ଯକ୍ରମକୁ ପରିଚାଳନା କରିବାରେ ପ୍ରାଧୀକରଣର କର୍ମଚାରୀମାନେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ବିଜୟ