
ଭୁବନେଶ୍ୱର, ୨୨ ସେପ୍ଟେମ୍ବର (ହି.ସ.) - ଓଡ଼ିଶା ପାଚକ ପାଚିକା ମହାସଂଘ ପକ୍ଷରୁ ୮ ଦଫା ଦାବି ନେଇ ସଂଘର ରାଜ୍ୟ ସଭାନେତ୍ରୀ ଜନକ ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶାର ୩୦ଗୋଟି ଜିଲ୍ଲାର ପାଚକ ପାଚିକାମାନେ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମୁଖ୍ୟ ଅତିଥି ଭାବେ ମହାସଂଘର ରାଜ୍ୟ ଆବାହକ ଦିଗମ୍ବର ଜେନା ଯୋଗଦେଇ ୮ଦଫା ସମ୍ବଳିତ ଦାବି ଖୁବ୍ଶୀଘ୍ର ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।
ମହାସଂଘ ଦାବି କରିଛି ଯେ ବେତନ ବୃଦ୍ଧି କରାଯାଉ , ସରକାରଙ୍କ ଘୋଷିତ ସର୍ବନିମ୍ନ ମଜୁରୀ ଲାଗୁ କରାଯାଉ .ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ମାନ୍ୟତା ଦିଆଯିବା ସହିତ ଡ୍ରେସ୍ କୋର୍ଡ ଲାଗୁ କରାଯାଉ , ଚିକିତ୍ସା ଭତା ସହିତ ଜୀବନ ବୀମାର ସୁବିଧା କରାଯାଉ ,୨୦୧୮ ମସିହା ଜାନୁଆରୀ ମାସଠାରୁ ବର୍ତମାନ ପ୍ରଚଳିତ ବର୍ଦ୍ଧିତ ଦରମାର ବକେୟା ପାଉଣା ଦିଆଯିବା ସହିତ ମଇ, ଜୁନ୍ ଦୁଇମାସ ଛୁଟିର ଦରମା ପ୍ରଦାନ କରାଯାଉ , ଆମ୍ଭମାନଙ୍କୁ ବାହାର କରିବାର ଏବଂ ନିଯୁକ୍ତି କରିବା ବ୍ୟବସ୍ଥାକୁ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସିଧାସଳଖ ନିୟନ୍ତ୍ରଣରେ ରଖାଯାଉ , ଭବିଷ୍ୟନିଧି ଯୋଜନାରେ ସାମିଲ୍ କରାଯାଉ , ଅବସର ସୀମା ୬୦ ବର୍ଷରୁ ୬୨ ବର୍ଷ କରାଯାଉ ଏବଂ କାର୍ଯ୍ୟରତ ସମୟରେ ଆକସ୍ମିକ ବିୟୋଗରେ କ୍ଷତିପୂରଣ ରାଶି ବୃଦ୍ଧି କରାଯାଉ । ସମାବେଶ ପରେ ସଂଘର ପାଂଚଞ୍ଚ ଜଣ ପ୍ରତିନିଧି ଯଥା- ଜନକ ପ୍ରଧାନ, ନିରୂପମା ମହାନ୍ତ, କାଦମ୍ବିନୀ ବେହେରା, ରାହାସମଣି ମହଲି, ଈଶ୍ୱର ନାୟକ ପ୍ରମୁଖ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଭେଟି ୮ ଦଫା ଦାବି ସମ୍ବଳିତ ସ୍ମାରକ ପ୍ରଦାନ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା