
ନୂଆପଡ଼ା, ୨୨ ସେପ୍ଟେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ସହରର ମଧ୍ୟସ୍ଥଳରେ ଥିବା ପୁରୁଣା ଡାକ୍ତରଖାନା ବିଲ୍ଡିଂ ଦୀର୍ଘଦିନ ଧରି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ଏହି ବିଲ୍ଡିଂ ବର୍ତ୍ତମାନ କୌଣସି କାମରେ ଆସୁନଥିବାରୁ ଏହାର ଉପଯୋଗିତା ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଗତ ୫ ବର୍ଷ ପୂର୍ବେ ଏହି ଡାକ୍ତରଖାନା ସ୍ଥାନାନ୍ତର ହୋଇଥିଲା। ସେହି ଦିନରୁ ଡାକ୍ତରଖାନା ପରିସର ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଥିବା ଏହି ପୁରୁଣା କୋଠାକୁ ଭାଙ୍ଗି ଏହାର ସ୍ଥାନରେ ଏକ ଆଧୁନିକ ଓ ବହୁମୁଖୀ ବିଲ୍ଡିଂ ନିର୍ମାଣ କରାଗଲେ ଏହାର ସୁବିନିଯୋଗ ହୋଇପାରିବ ବୋଲି ମତ ପ୍ରକାଶ ପାଉଛି। ଏଥିସହ ସହରରେ ଛିଟିଏ ଛାଟିଏ ରହିଥିବା ବିଭିନ୍ନ ମାର୍କେଟକୁ ଏକତ୍ର କରି ଏହି ସ୍ଥାନରେ ଏକ ସୁସଜ୍ଜିତ ବ୍ୟବସାୟିକ କମ୍ପ୍ଲେକ୍ସ କରାଯାଇପାରିଲେ ସହରର ବ୍ୟବସାୟିକ ବ୍ୟବସ୍ଥା ଅଧିକ ସୁସଂଗଠିତ ହୋଇପାରିବ।
ଏପରି ଏକ ବ୍ୟବସ୍ଥା ହେଲେ ରାସ୍ତାକଡ଼ରେ ଅନିୟମିତ ଭାବେ ଦୋକାନ ବସିବା, ଯାତାୟାତ ସମସ୍ୟା ଓ ପାର୍କିଂ ଭଳି ସମସ୍ୟା ମଧ୍ୟ କିଛି ମାତ୍ରାରେ ଦୂର ହୋଇପାରିବ ବୋଲି ସହରବାସୀ ଆଶା ପ୍ରକାଶ କରିଛନ୍ତି। ତେଣୁ ଖଡ଼ିଆଳ ସହରର ବିକାଶ ଓ ସୌନ୍ଦର୍ଯ୍ୟକରଣକୁ ଦୃଷ୍ଟିରେ ରଖି ପରିତ୍ୟକ୍ତ ପୁରୁଣା ଡାକ୍ତରଖାନା ବିଲ୍ଡିଂର ଉପଯୋଗ କରାଯିବା ସହ ଆବଶ୍ୟକ ହେଲେ ପୁରୁଣା କୋଠାକୁ ଭାଙ୍ଗି ନୂତନ ବିଲ୍ଡିଂ ନିର୍ମାଣ କରି ସହରର ସମସ୍ତ ମାର୍କେଟକୁ ଗୋଟିଏ ସ୍ଥାନରେ ରଖିବାକୁ ସହରବାସୀଙ୍କ ପକ୍ଷରୁ ଦାବି ହୋଇଛି।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ