
Bhubaneswar, 22 ସେପ୍ଟେମ୍ବର (ହି.ସ.)
୨୦୦୮-୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନେ ତାଙ୍କର ୪ ଦଫା ଦାବି ନେଇ ବିଧାନସଭା ସମ୍ମୁଖରେ ଲୋୟର ପିଏମ୍ଜିରେ ଧାରଣା ଓ ପ୍ରତିବାଦ ସଭା କରିଛନ୍ତି । ସଂଘ ପକ୍ଷରୁ ଦୀର୍ଘଦିନ ଧରି ସେମାନଙ୍କର ଦାବି ଉପରେ ସରକାରଙ୍କୁ ବାରମ୍ବାର ଅବଗତ କରାଇ ଆସୁଥିଲେ ସୁଦ୍ଧା ସରକାର ସେମାନଙ୍କ ଦାବି ପୂରଣ ପାଇଁ ଅଣଦେଖା କରୁଥିବାରୁ ସେମାନେ ଆଜି ରାଜରାସ୍ତାକୁ ପୁନର୍ବାର ଆସିବାକୁ ବାଧ୍ୟ ହେଲେ ବୋଲି ସଂଘର ସଭାପତି ଦୀପକ କୁମାର ସାହୁ, କ୍ଷୋଭ ପ୍ରକାଶ କରି କହିଛନ୍ତି । ସଂଘ ତରଫରୁ ଯେଉଁ ଚାରିଦଫା ଦାବି ସରକାରଙ୍କ ପାଖରେ ପୂର୍ବରୁ ବାରମ୍ବାର ଉପସ୍ଥାପନା କରାଯାଇଅଛି, ସେଗୁଡ଼ିକ ହେଲା- (୧) ୧.୬.୨୦୦୮ ରୁ ୩୦.୧୧.୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ୬୬୨ ବର୍ଗ, ୪୮୮ ବର୍ଗ ଓ ଅନୁଦାନ ବିହୀନ ହାୟର ସେକେଣ୍ଡାରୀ ସ୍କୁଲ୍ ଓ କଲେଜର ଯୋଗ୍ୟ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କୁ ଜି.ଆଇ.ଏ. ପରିସରଭୁକ୍ତ କରାଯାଉ (୨) ଅନୁଦାନ ବିହୀନ ହାୟର ସେକେଣ୍ଡାରୀ ସ୍କୁଲ୍ ଓ କଲେଜର ଯୋଗ୍ୟ କର୍ମଚାରୀଙ୍କ ପାଇଁ ନ୍ୟାୟ ସଂଗତ ଅନୁଦାନ ବ୍ୟବସ୍ଥା କରାଯାଉ (୩) ଦୀର୍ଘଦିନ ଧରି ଅନୁଦାନ ବିନା କାର୍ଯ୍ୟରତ ୬୬୨ ବର୍ଗ, ୪୮୮ ବର୍ଗ ଓ ଅନୁଦାନ ବିହୀନ ହାୟର ସେକେଣ୍ଡାରୀ ସ୍କୁଲ୍ ଓ କଲେଜର ଯୋଗ୍ୟ କର୍ମଚାରୀଙ୍କ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ତୁରନ୍ତ ସରକାରୀ ନିଷ୍ପି ନିଆଯାଉ (୪) ଶିକ୍ଷା କ୍ଷେତ୍ରରେ ସମାନତା ଓ ନ୍ୟାୟସଙ୍ଗତ ଅନୁଦାନ ବ୍ୟବସ୍ଥା ସୁନିଶ୍ଚିତ କରାଯାଉ । ଏହି ସମସ୍ତ ଦାବି ସରକାର ପୂରଣ କରି ସ୍କୁଲ୍, କଲେଜ ମାନଙ୍କରେ ଉମ ପାଠପଢ଼ା ଓ ପରିବେଶ ସୃଷ୍ଟି କରିବା ପାଇଁ ସଂଘର ସାଧାରଣ ସମ୍ପାଦକ ସ୍ନିଗ୍ଧାଜ୍ୟୋତି ରାଉତରାୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ଯଦି ସରକାର ପୂର୍ବଭଳି ଏଥର ମଧ୍ୟ ଆମ ଦାବି ପ୍ରତି ବିଚାର ନ କରନ୍ତି, ତେବେ ଆଗାମୀ ଦିନରେ ଏହି ପ୍ରତିବାଦ ଓ ଧାରଣା ତୀବ୍ର ରୂପ ନେବ ଏବଂ ଏଥିପାଇଁ ଯାହା ସମସ୍ୟା ହେବ ସରକାର ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ସଂଘର କୋଷାଧ୍ୟକ୍ଷ ନଗେନ୍ଦ୍ର ନାଥ ପରିଡ଼ା ଚେତାବନୀ ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା