
କେନ୍ଦୁଝର, ୨୨ ସେପ୍ଟେମ୍ବର(ହି.ସ.) – ଚମ୍ପୁଆ ବନାଂଚଳ ଅଧିନ ଉଖୁଣ୍ଡା ସେକସନ ଜ୍ୟୋତିପୁର ବିଟର ଫୁଲକଁଳେଇ ଗ୍ରାମ ନିକଟରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ଆହତ ବୃଦ୍ଧ ଜଣକ ଉକ୍ତ ଗ୍ରାମର ଗୋପାଳ ମହାନ୍ତ(୭୦) ବୋଲି ଜଣାପଡ଼ିଛି। ଆହତ ଯୁବକକୁ ସଙ୍ଗେସଙ୍ଗେ ବନବିଭାଗ କର୍ମଚାରୀ ଭଣ୍ଡା ଗୋଷ୍ଠି ଚିକିତ୍ସାଳୟରେ ଚିକିତ୍ସାପାଇଁ ଭର୍ତି କରିଥିବା ଜଣାପଡ଼ିଛି। ତେବେ ଚମ୍ପୁଆ ରେଞ୍ଜର ବିଭିନ୍ନ ଗ୍ରାମାଂଚଳରେ ବୁଲୁଥିବା ଏହି ୨୫ ଟିକିଆ ହାତୀପଲ ଷଡ଼ଙ୍ଗୀ ନିକଟସ୍ଥ ଜଙ୍ଗଲରେ ବର୍ତମାନ ରହିଥିବା ଜଣାପଡ଼ିଛି। ବନବିଭାଗ ତରଫରୁ ଡାକବାଜି ଯନ୍ତ୍ର ଦ୍ୱାରା ହାତୀ ରହୁଥିବା ଅଂଚଳଗୁଡ଼ିକରେ ଲୋକମାନଙ୍କୁ ସତର୍କ ସୂଚନା ମଧ୍ୟ ଦିଆଯାଉଛି। ତଥାପି କିଛି ଅମାନିଆ ଜଙ୍ଗଲ ଭିତରେ ଥିବା ହାତୀମାନଙ୍କୁ ବିରକ୍ତି କରିବାଯୋଗୁ ଦିନ ସମୟରେ ହାତୀମାନେ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି! ଯାହାଫଳରେ ନିରୀହ ଲୋକେ ହାତୀ ଆକ୍ରମଣର ଶିକାର ହେଉଥିବା ଜନସାଧାରଣରେ ଆଲୋଚନା ହେଉଛି! ସ୍ଥାନୀୟ ଲୋକେ କହିବା କଥା ଗୋପାଳ ମହାନ୍ତ ଘାସ କାଟିବାକୁ ନିକଟସ୍ଥ ବିଲକୁ ଯାଇଥିଲେ! ଅଚାନକ ହାତୀମାନେ ଜଙ୍ଗଲରୁ ବାହାରିଆସି ଗୋପାଳଙ୍କର ଅତି ନିକଟତର ହେଲାବେଳକୁ ସେ ସେଠାରୁ ଦୌଡ଼ି ପାରିନଥିଲେ ଯାହା ଫଳରେ ଏକ ଦନ୍ତା ତାକୁ ଷୁଣ୍ଢରେ ଧରି ଫିଙ୍ଗି ଦେଇଥିଲା ବୋଲି ସୂଚନା ରହିଛି। ବନ ବିଭାଗର କର୍ମଚାରୀ ହାତୀମାନଙ୍କ ଗତିବିଧି ଉପରେ ନଜର ରଖିଥିବା ଉଖୁଣ୍ଡା ବନପାଳ ପ୍ରଦୀପ ବାରିକ କହିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA