
ଜିଲ୍ଲାର ମାର୍ଶାଘାଇ ବ୍ଲକରେ ୩୦ ବର୍ଷ ଧରି ମରାମତି ହୋଇନଥିବା ରାସ୍ତାର ଶୋଚନୀୟ ଅବସ୍ଥା କେନ୍ଦ୍ରାପଡ଼ା, ୨୨ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଆଖୁଆ ଓଡ଼ଙ୍ଗ ହାଟଠାରୁ ପୋଦନା-ନରସିଂହପୁର ସ୍କୁଲ ପର୍ଯ୍ୟନ୍ତ ଯାଇଥିବା ଢଳାଇ ରାସ୍ତାର ଶୋଚନୀୟ ଅବସ୍ଥାକୁ ନେଇ ଅଂଚଳବାସୀଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ବଢ଼ିଛି। ଦୀର୍ଘ ୩୦ ବର୍ଷ ଧରି ଏହି ରାସ୍ତାର ମରାମତି ନହୋଇଥିବାରୁ ଅନେକ ସ୍ଥାନରେ ବଡ଼ ବଡ଼ ଖାଲଖମା ସୃଷ୍ଟି ହୋଇଛି। ଫଳରେ ରାସ୍ତାରେ ପଡ଼ି ଲୋକଙ୍କ ହାତଗୋଡ଼ ଭାଙ୍ଗୁଥିବା ଅଭିଯୋଗ ଉଠିଛି। ଏହି ରାସ୍ତାଦେଇ ସ୍କୁଲ, କଲେଜ, ମେଡ଼ିକାଲ ସମେତ ବିଭିନ୍ନ ସ୍ଥାନକୁ ପ୍ରତିଦିନ ଯାତାୟାତ କରୁଛନ୍ତି ଅଂଚଳବାସୀ। ରାସ୍ତାର ଦୁରବସ୍ଥା ଯୋଗୁଁ ଛାତ୍ରଛାତ୍ରୀ, ବାଇକ୍ ଓ ସାଇକେଲ ଚାଳକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଖାଲଖମାରେ ପଡ଼ି ହାତଗୋଡ଼ ଭାଙ୍ଗିବା ସହିତ କଲେଜ ଛାତ୍ରଛାତ୍ରୀଙ୍କ ସାଇକେଲ ଲିକ୍ ହେବା ଓ ଟାୟାର ଭାଙ୍ଗିଯିବା ଭଳି ଘଟଣା ମଧ୍ୟ ଘଟୁଛି ବୋଲି ଅଭିଯୋଗ ହୋଇଛି। ତିନୋଟି ନିର୍ବାଚନମଣ୍ଡଳୀର ଲୋକଙ୍କ ଯାତାୟାତ ପାଇଁ ଏହି ରାସ୍ତା ଗୁରୁତ୍ୱପୂର୍ଣ୍ଣ ହୋଇଥିବାବେଳେ ଦୀର୍ଘବର୍ଷ ଧରି ଏହା ଦୁରବସ୍ଥାରେ ପଡ଼ିରହିଛି। ଅଂଚଳବାସୀ ଏହି ରାସ୍ତାର ତୁରନ୍ତ ପୁନରୁଦ୍ଧାର କରି ଯାତାୟାତ ସମସ୍ୟା ଦୂର କରିବାକୁ ଦାବି କରିଛନ୍ତି। ସ୍ଥାନୀୟ ଲୋକଙ୍କ ଅନୁଯାୟୀ, ରାସ୍ତାର ଏହି ଅବସ୍ଥା ଯୋଗୁଁ ପ୍ରତିଦିନ ହୀନସ୍ତା ଭୋଗୁଛନ୍ତି ଛାତ୍ରଛାତ୍ରୀ ଓ ସାଧାରଣ ଲୋକେ। ତେଣୁ ପ୍ରଶାସନ ଓ ସମ୍ବନ୍ଧିତ ବିଭାଗ ତରଫରୁ ଶୀଘ୍ର ମରାମତି କାର୍ଯ୍ୟ ଆରମ୍ଭ କରିବା ଆବଶ୍ୟକ ବୋଲି ସେମାନେ ଦାବି କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ରବି