
କେନ୍ଦ୍ରାପଡ଼ା, ୨୨ ସେପ୍ଟେମ୍ବର(ହି.ସ.) – ସାମାଜିକ ସଂଗଠନ ଯୁବ ସ୍ୱାଭିମାନ ଟ୍ରଷ୍ଟର ପ୍ରତିଷ୍ଠା ଦିବସ ଉପଲକ୍ଷେ ଆଗାମୀ ଅକ୍ଟୋବର ଦୁଇ ତାରିଖ ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରାଯିବ। ଏଥିନିମନ୍ତେ ଏକ ପ୍ରସ୍ତୁତି ବୈଠକ ଟ୍ରଷ୍ଟ ସଭାପତି ଇଂ. ସ୍ମୃତି ରଞ୍ଜନ ଜେନାଙ୍କ ଅଧ୍ୟକ୍ଷତାରେ ଗୋପସ୍ଥିତ ନିର୍ମାଲ୍ୟ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ପରି ଚଳିତଥର ପ୍ରତିଷ୍ଠା ଦିବସରେ ତୁଣୁପୁର ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରାଯାଇ ଅନ୍ୟୁନ ୩୦୦ ୟୁନିଟ୍ ରକ୍ତ ସଂଗ୍ରହ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। କଟକ ଏସ୍ସିବି ବ୍ଲଡ଼ ବ୍ୟାଙ୍କ ଓ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟ ବ୍ଲଡ଼ ବ୍ୟାଙ୍କର ମିଳିତ ସହଯୋଗରେ ଶିବିର ପରିଚାଳିତ ହେବ ବୋଲି ସୂଚନା ଦିଆଯାଇଛି। ଏଥିସହିତ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଓ ଗାନ୍ଧୀଜୀ ତଥା ଶାସ୍ତ୍ରୀଜୀଙ୍କ ଜୟନ୍ତୀ ମଧ୍ୟ ପାଳନ କରାଯିବ ବୋଲି ସଭାପତି ଶ୍ରୀ ଜେନା କହିଛନ୍ତି। କାର୍ଯ୍ୟକ୍ରମକୁ ଶୃଙ୍ଖଳିତ କରିବାକୁ କମିଟି ଗଠନ କରାଯାଇ ଦାୟିତ୍ୱ ଅର୍ପଣ କରାଯାଇଛି। ସମ୍ପାଦକ ମନୋଜ ଓଝା ସାଂଗଠନିକ ବିବରଣୀ ଉପସ୍ଥାପନ କରିଥିଲେ। ଟ୍ରଷ୍ଟ ପକ୍ଷରୁ ନିଆଯାଇଥିବା ବହୁବିଧ ସମାଜକଲ୍ୟାଣ ମୂଳକ କାର୍ଯ୍ୟକ୍ରମ ତଥା ଦୁଃସ୍ଥ ଓ ଅସହାୟ ଲୋକଙ୍କୁ ସହାୟତା ସମ୍ପର୍କରେ ଉପଦେଷ୍ଟା ଇଂ ଅକ୍ଷୟ କୁମାର ପାଣି ତଥ୍ୟ ପ୍ରଦାନ କରିଥିଲେ। ଜିଲ୍ଲାସ୍ତରରେ ସଂଗଠନକୁ ଅଧିକ କ୍ରିୟାଶୀଳ କରିବାର ବିଭିନ୍ନ ଦିଗ ଉପରେ ଉପଦେଷ୍ଟା ପ୍ରତାପ କୁମାର ନାୟକ, ରମଣୀ ରଞ୍ଜନ ରାଉତରାୟ, ସନ୍ତୋଷ ବରାଳଙ୍କ ସମେତ ସୁରେନ୍ଦ୍ର ଜେନା, ମାନସ ପ୍ରଧାନ, ସୁରେଶ ପୃଷ୍ଟି, ସନ୍ଦୀପ ବେହେରା, ଅମରେନ୍ଦ୍ର ଦାସ, ଜୟପ୍ରକାଶ ସ୍ୱାଇଁ, ବାପୁନି ବେହେରା, ଗିତିରଞ୍ଜନ ସାହୁ ପ୍ରମୁଖ ମତବ୍ୟକ୍ତ କରିଥିଲେ। ଟ୍ରଷ୍ଟର ବିଭିନ୍ନ ଜୋନ୍ରୁ ବହୁ ସଂଖ୍ୟାରେ ସଦସ୍ୟମାନେ ଯୋଗଦେଇ ରକ୍ତଦାନ ଶିବିରକୁ ସଫଳ କରିବା ଦିଗରେ ପଦକ୍ଷେପ ନେବାକୁ ସଂକଳ୍ପ ନେଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି