

କନ୍ଧମାଳ, ୨୨ ସେପ୍ଟେମ୍ବର (ହି.ସ.)- କନ୍ଧମାଳ ଜିଲ୍ଲାରେ ସିକଲ୍ ସେଲ୍ (ରକ୍ତ ଶିଙ୍କୁଳୀ ) ରୋଗର ସ୍କ୍ରିନିଂ, ନିରାକରଣ ଓ ଚିକିତ୍ସା ବ୍ୟବସ୍ଥାକୁ ବ୍ୟାପକ ତଥା ସୁଦୃଢ଼ କରିବା ଲକ୍ଷ୍ୟରେ ମଙ୍ଗଳବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ଆଜି ଆଇସିଏମଆର ଅଧୀନସ୍ଥ ‘ସହାୟ’ ପ୍ରୋଜେକ୍ଟର ଆନୁଷ୍ଠାନିକ ଶୁଭାରମ୍ଭ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସ୍ଵତନ୍ତ୍ର ଉତ୍ସବରେ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ‘ଜାତୀୟ ସିକଲ୍ ସେଲ୍ ଆନିମିଆ ନିରାକରଣ ମିଶନ୍’ ର ଲକ୍ଷ୍ୟକୁ ସାକାର କରିବା ପାଇଁ ଏହି ବହୁକେନ୍ଦ୍ରିକ ଅନୁସନ୍ଧାନମୂଳକ ପ୍ରକଳ୍ପ ଓଡ଼ିଶା ସମେତ ଦେଶର ୬ଟି ପ୍ରମୁଖ ରାଜ୍ୟରେ କାର୍ଯ୍ୟକାରୀ ହେଉଛି। ଓଡ଼ିଶାରେ ଏହାର ନେତୃତ୍ଵ ନେଉଛନ୍ତି ଭୁବନେଶ୍ଵର ଆଇସିଏମଆର-ଏନଆଇଏଚଆର ର ମୁଖ୍ୟ ଅନୁସନ୍ଧାନକାରୀ ତଥା ବୈଜ୍ଞାନିକ ଡାକ୍ତର ମଧୁସ୍ମିତା ବଳ। କନ୍ଧମାଳ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ବେଦଭୂଷଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ସେ ନିଜ ବକ୍ତବ୍ୟରେ ଜିଲ୍ଲାରେ ସିକଲ୍ ସେଲ୍ ରୋଗର ପ୍ରତିରୋଧ ଓ ଏହାର ଶୀଘ୍ର ଚିହ୍ନଟ ଉପରେ ଗୁରୁତ୍ଵାରୋପ କରିଥିଲେ। ଏହି ପ୍ରକଳ୍ପ ମାଧ୍ୟମରେ କନ୍ଧମାଳର ସମସ୍ତ ବ୍ଲକରେ ସିକଲ୍ ସେଲ୍ ଆକ୍ରାନ୍ତଙ୍କ ପାଇଁ ଏକ ସମନ୍ୱିତ ଓ ଦୀର୍ଘମିଆଦୀ ଚିକିତ୍ସା ମଡେଲ୍ ପ୍ରସ୍ତୁତ କରାଯିବ ବୋଲି ଜଣାପଡ଼ିଛି।
ଉଦ୍ଘାଟନୀ ସମାରୋହ ପରେ ଆୟୋଜିତ ବୈଷୟିକ ଅଧିବେଶନରେ ଜିଲ୍ଲା ସ୍ଵାସ୍ଥ୍ୟ ବ୍ୟବସ୍ଥାର ବରିଷ୍ଠ ଅଧିକାରୀ ଓ ଜିଏମସିଏଚ୍, ଫୁଲବାଣୀର ବିଶେଷଜ୍ଞ ଡାକ୍ତରମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ଚିକିତ୍ସାକୁ କିପରି ତୃଣମୂଳ ସ୍ତରରେ ପହଞ୍ଚାଯାଇପାରିବ ସେନେଇ ସମୀକ୍ଷା ହୋଇଥିଲା। ଏହି ଆଲୋଚନାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଅଞ୍ଜଳି ଶତପଥୀ, ଡିଏମଓ ଡାକ୍ତର ଅକ୍ଷୟ କୁମାର ସାହୁ, ଡିପିଏଚ୍ଓ ଡାକ୍ତର କଲ୍ୟାଣୀ ମିଶ୍ର, ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ପ୍ରଦୀପ କୁମାର ପାଢ଼ୀ, ପାଥୋଲୋଜି ବିଶେଷଜ୍ଞ ଡାକ୍ତର ଜୟଦୀପ ଘୋଷ ଏବଂ କମ୍ୟୁନିଟି ମେଡିସିନ୍ ବିଭାଗର ପ୍ରଫେସର ଡାକ୍ତର ମମତା ରାଣୀ ଗିରି ପ୍ରମୁଖ ଯୋଗଦେଇ ବହୁମୂଲ୍ୟ ମତାମତ ରଖିଥିଲେ।
ଏହି ଅବସରରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅତିନିଏଲ ନାଇକା ଏବଂ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ପ୍ରଚାର ପ୍ରସାର ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରକଳ୍ପର ସଫଳ ରୂପାୟନ ପାଇଁ ଜିଲ୍ଲାର ସମସ୍ତ ବ୍ଲକ୍ ରୁ ପ୍ରୋଗ୍ରାମ ମ୍ୟାନେଜର, ଜନସ୍ଵାସ୍ଥ୍ୟ ଅଧିକାରୀ ଓ ଚିକିତ୍ସା ଅଧିକାରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରକଳ୍ପର ଉଦ୍ଦେଶ୍ୟ ସମ୍ପର୍କରେ ଡାକ୍ତର ଜ୍ୟୋତି ଘୋଷାଲ ସୂଚନା ଦେଇଥିବା ବେଳେ ଶେଷରେ ଡା. ଐଶ୍ଵର୍ଯ୍ୟା ଅଶ୍ଵିନୀ ସାମଲ କୃତଜ୍ଞତା ଜ୍ଞାପନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ