
ଜୟପୁର, ୨୨ ସେପ୍ଟେମ୍ବର (ହି.ସ.)- ଜୟପୁର ସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ପରିସରରେ ୧୫ ଓଡ଼ିଶା ବାଟାଲିୟନ୍ ଏନସିସି, ଜୟପୁର ପକ୍ଷରୁ ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଟିବି ନିରାକରଣ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବାଟାଲିୟନ୍ ର କମାଣ୍ଡିଂ ଅଫିସର ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ପ୍ରୀତିରଞ୍ଜନ ଦାସଙ୍କ ନିର୍ଦ୍ଦେଶନାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଅଭିଯାନର ରାଜ୍ୟ ପ୍ରୋଗ୍ରାମ ଅଫିସର ଶିବ ପ୍ରସାଦ ଓଝା, ସିଡିଏମ, ଏନଟିଇପି ଓ ପିଏମଡିଟିର କୋରାପୁଟ ଜିଲ୍ଲା ସଂଯୋଜକ ସୁନିଲ ଘଡ଼େଇ ଓ ଏନଟିଇପିର ପିଏମଡିଟି ସଂଯୋଜକ ତପନ ସାହୁ ଯୋଗଦେଇଥିଲେ।
କାର୍ଯ୍ୟକ୍ରମରେ ନି-କ୍ଷୟ ମିତ୍ର ପଦକ୍ଷେପ, ଟିବିର ଲକ୍ଷଣ, ପ୍ରତିରୋଧ, ଚିକିତ୍ସା ଓ ପୁଷ୍ଟିକର ଖାଦ୍ୟର ଗୁରୁତ୍ୱ ସମ୍ପର୍କରେ ଏନସିସି କ୍ୟାଡେଟଙ୍କୁ ସଚେତନ କରାଯାଇଥିଲା। ସମୟୋପଯୋଗୀ ପରୀକ୍ଷା, ନିୟମିତ ଔଷଧ ସେବନ ଓ ସାମାଜିକ ସହଯୋଗ ଦ୍ୱାରା ଟିବି ନିୟନ୍ତ୍ରଣ ସମ୍ଭବ ବୋଲି କୁହାଯାଇଥିଲା। ଟିବି ସମ୍ପର୍କିତ ଭ୍ରାନ୍ତ ଧାରଣା ଦୂର କରିବା ସହ ରୋଗୀଙ୍କ ପ୍ରତି ସହାନୁଭୂତିଶୀଳ ଆଚରଣ ଏବଂ ସମାଜରେ ସଚେତନତା ବୃଦ୍ଧି ପାଇଁ ସେମାନେ କ୍ୟାଡେଟଙ୍କୁ ଆହ୍ୱାନ ଦେଇଥିଲେ।
ଏଥିରେ ୧୫ ଓଡ଼ିଶା ବାଟାଲିୟନ୍ ର ଏନସିସି କ୍ୟାଡେଟମାନେ ଯୋଗଦେଇ ଟିବି ମୁକ୍ତ ଭାରତ ଗଠନର ସଂକଳ୍ପ ନେଇଥିଲେ। ବିକ୍ରମଦେବ ବିଶ୍ୱବିଦ୍ୟାଳୟର ଏନସିସି ଅଧିକାରୀ କ୍ୟାପଟେନ୍ ଡ. ଲକ୍ଷ୍ମଣ ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବାଟାଲିୟନ୍ ର ସୁବେଦାର ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି