ସହରାଂଚଳରେ ଗ୍ରୀଷ୍ମ ପ୍ରବାହ, ବନ୍ୟା ମୁକାବିଲା ଓ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥାର ଆଧୁନିକୀକରଣ ନେଇ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର, ୨୨ ସେପ୍ଟେମ୍ବର (ହି.ସ.) - ସହରାଂଚଳରେ ଗ୍ରୀଷ୍ମ ପ୍ରବାହ ଓ ବନ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି ଓ ପ୍ରଶମନ ରଣନୀତି ସହ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥାର ଆଧୁନିକୀକରଣ ନେଇ ମଙ୍ଗଳବାର ଗୃହ ଓ ନଗର ଉନ୍ନୟନ ବିଭାଗର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଖାରବେଳ ଭବନର ତୃତୀୟ ମହଲା ସମ
urban


ଭୁବନେଶ୍ୱର, ୨୨ ସେପ୍ଟେମ୍ବର (ହି.ସ.) - ସହରାଂଚଳରେ ଗ୍ରୀଷ୍ମ ପ୍ରବାହ ଓ ବନ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି ଓ ପ୍ରଶମନ ରଣନୀତି ସହ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥାର ଆଧୁନିକୀକରଣ ନେଇ ମଙ୍ଗଳବାର ଗୃହ ଓ ନଗର ଉନ୍ନୟନ ବିଭାଗର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଖାରବେଳ ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଅଧ୍ୟକ୍ଷତା କରିଥିଲେ ।

ବୈଠକରେ ରାଜ୍ୟ ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲ, ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ, ବିଏମ୍ସି କମିଶନର ଚଂଚଳ ରାଣା, ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ରବୀନ୍ଦ୍ର ସାହୁ, ଇଆଇସି , ପିଏଚ୍ଇଓ ବିଳାସ ବେହେରା, ଓ ଓଡବ୍ଲ୍ୟୁଏସ୍ଏସବି ଇଆଇସି ଭାଗ୍ୟଧର ମହାନ୍ତିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ବୈଠକରେ ଡିପିଆର ପ୍ରସ୍ତୁତି, ଅର୍ଥ ବ୍ୟବସ୍ଥା, ଦକ୍ଷତା ବିକାଶ, ବୈଷୟିକ ସହାୟତା ଓ କାର୍ଯ୍ୟାନ୍ୱୟନ ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା । ରାଜ୍ୟର ୬ଟି ମହାନଗର ନିଗମ ସହ ଅନ୍ୟ ପୌରାଂଚଳ ଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ପ୍ରମୁଖ ସହରଗୁଡ଼ିକୁ ଏଥିରେ ପ୍ରାଥମିକତା ଦିଆଯାଇଥିଲା ।

ସମ୍ପୃକ୍ତ ସମସ୍ତ ଅଂଶୀଦାରଙ୍କୁ ସାମିଲ କରି ଏକ ସ୍ପଷ୍ଟ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ଶ୍ରୀମତୀ ପାଢ଼ୀ ଗୁରୁତ୍ୱ ଦେଇଥିଲେ । ଆଗାମୀ ଅର୍ବାନ କନକ୍ଲେଭରେ ଏହି ବିଷୟକୁ ଆନୁଷ୍ଠାନିକ ଭାବେ ଆଲୋଚନାକୁ ନେଇ ବିଭିନ୍ନ ସଂସ୍ଥା ଓ ବିଭାଗ ମଧ୍ୟରେ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ପଷ୍ଟ କାର୍ଯ୍ୟଯୋଜନା ପ୍ରସ୍ତୁତ କରାଯିବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ସହରାଂଚଳରେ ଗ୍ରୀଷ୍ମ ପ୍ରବାହର ଅଧିକ ପ୍ରଭାବିତ ଅଂଚଳ ବା ହଟସ୍ପଟ୍?ଗୁଡ଼ିକୁ ଚିହ୍ନଟ କରି ତୁରନ୍ତ ପଦକ୍ଷେପ ନେବା ସହ ସମସ୍ତ ପୌରାଞ୍ଚଳ ପାଇଁ କିଛି ପଦକ୍ଷେପ ଚିହ୍ନଟ କରିବାକୁ ସେ କହିଥିଲେ । ଏଥିପାଇଁ କେଉଁ ପଦକ୍ଷେପ ତୁରନ୍ତ ନିଆଯାଇ ତାହା କାର୍ଯ୍ୟକାରୀ କରାଯାଇପାରିବ, ସେ ସମ୍ପର୍କରେ ସ୍ପଷ୍ଟ ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ ଶୀମତୀ ପାଢୀ ପରାମର୍ଶ ଦେଇଥିଲେ । ଆସନ୍ତା ଖରାଦିନ ପୂର୍ବରୁ ଏହା ମାଧ୍ୟମରେ ଜନସାଧାରଣଙ୍କୁ ଦୃଶ୍ୟମାନ ଆଶ୍ୱସ୍ତି ପ୍ରଦାନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ଏଥିସହ ଦୀର୍ଘମିଆଦୀ ପଦକ୍ଷେପ ଭାବେ ବନ ବିଭାଗ ସହ ସମନ୍ୱୟରେ ବୃକ୍ଷରୋପଣ ଓ ଅନ୍ୟାନ୍ୟ ପ୍ରକୃତିଭିତିକ ପଦକ୍ଷେପ ନେବାକୁ ସେ କହିଥିଲେ । ଦକ୍ଷତା ବିକାଶ ପାଇଁ ଓଡ଼ିଶା ଅର୍ବାନ ଏକାଡେମୀ ମାଧ୍ୟମରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯାଇପାରିବ । ଏଥିପାଇଁ ଉପଯୁକ୍ତ ପ୍ରଶିକ୍ଷଣ ମଡ୍ୟୁଲ୍ ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଥିଲେ ।

ବର୍ଷାଜଳ ନିଷ୍କାସନ ବ୍ୟବସ୍ଥାକୁ ପ୍ରାଥମିକତା ଦେଇ ଅର୍ବାନ ପ୍ଲାନିଂ ସେକ୍ସନକୁ ଆବଶ୍ୟକ ପଦକ୍ଷେପ ନେବାକୁ ଶୀମତୀ ପାଢୀ ନିର୍ଦ୍ଦେଶ ଦେଇଛନ୍ତି । ଏ ନେଇ ବୁଝାମଣା ପତ୍ର ସ୍ୱାକ୍ଷର କରାଯାଇ ଓ ଡବ୍ଲ୍ୟୁ ଏସ୍ ଏସ୍ ବି ମାଧ୍ୟମରେ ପ୍ରକଳ୍ପ ପରିଚାଳନା ୟୁନିଟ୍ ନିୟୋଜନର ବ୍ୟବସ୍ଥା କରାଯିବ। ବର୍ଷାଜଳ ପରିଚାଳନା କାର୍ଯ୍ୟାନ୍ୱୟନ ଯୋଜନା ପ୍ରସ୍ତୁତି ଓ ଆବଶ୍ୟକ ବୈଷୟିକ ସହାୟତା ପାଇଁ ଏକ ସ୍ୱତନ୍ତ୍ର ସେଲ୍ କିମ୍ବା ଉପଯୁକ୍ତ ପ୍ରତିଷ୍ଠାନଗତ ବ୍ୟବସ୍ଥା ଗଠନ କରିବା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ ।

ତୁରନ୍ତ, ମଧ୍ୟମ ଓ ଦୀର୍ଘମିଆଦୀ ପଦକ୍ଷେପଗୁଡ଼ିକୁ ସମାନ୍ତରାଳ ଭାବେ ଆଗେଇ ନେବା ସହ ଅନ୍ତଃବିଭାଗୀୟ ସମନ୍ୱୟ, ପ୍ରଭାବୀ କାର୍ଯ୍ୟାନ୍ୱୟନ ଓ ଆସନ୍ତା ଗ୍ରୀଷ୍ମ ପୂର୍ବରୁ ଜନସାଧାରଣଙ୍କୁ ଦୃଶ୍ୟମାନ ଆଶ୍ୱସ୍ତି ପ୍ରଦାନ ଉପରେ ସ୍ପଷ୍ଟ ଧ୍ୟାନ ଦେବାକୁ ଶ୍ରୀମତୀ ପାଢ଼ୀ କହିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande