
କେନ୍ଦ୍ରାପଡ଼ା, ୨୨ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡ଼ା ତହସିଲ ଅଧୀନରେ ୱାରସ ସଂଶୋଧନ(କଲମ-୨) ସମ୍ବନ୍ଧୀୟ ପଟ୍ଟାର ସାମୂହିକ ବିତରଣ କାର୍ୟ୍ୟକ୍ରମ ଆଜି କେନ୍ଦ୍ରାପଡ଼ା ତହସିଲ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ରଘୁରାମ ଆର. ଆୟର ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିତାଧିକାରୀମାନଙ୍କୁ ପଟ୍ଟା ବଂଟନ କରିଥିଲେ। ୱାରସ ସଂଶୋଧନ ପ୍ରକ୍ରିୟା ମାଧ୍ୟମରେ ଜମିଜମା ସମ୍ବନ୍ଧୀୟ ଅଧିକାରକୁ ସୁନିଶ୍ଚିତ କରିବା ସହ ହିତାଧିକାରୀମାନଙ୍କୁ ସରକାରୀ ରେକର୍ଡରେ ସଠିକ୍ ଭାବେ ଅନ୍ତର୍ଭୁକ୍ତ କରିବା ଦିଗରେ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଉଥିବା ଜିଲ୍ଲାପାଳ ପ୍ରକାଶ କରିଥିଲେ। ଆଜିର କାର୍ୟ୍ୟକ୍ରମରେ କେନ୍ଦ୍ରାପଡ଼ା ତହସିଲ ଅଧୀନରେ ପ୍ରାୟ ୩,୦୦୦ ହଜାରରୁ ଅଧିକ ପଟ୍ଟା ହିତାଧିକାରୀ ମାନଙ୍କୁ ବଂଟନ କରାଯାଇଛି। ଏହା ଫଳରେ ଦୀର୍ଘଦିନ ଧରି ୱାରସ ସଂଶୋଧନ ଓ ଜମି ରେକର୍ଡ ସମ୍ବନ୍ଧୀୟ ପ୍ରକ୍ରିୟାରେ ଥିବା ହିତାଧିକାରୀମାନେ ନିଜ ଅଧିକାରର ସ୍ୱୀକୃତି ପାଇପାରିଛନ୍ତି। ଜିଲ୍ଲାପାଳ ହିତାଧିକାରୀ ମାନଙ୍କ ସହ ଆଲୋଚନା କରି ପଟ୍ଟା ପାଇବା ପରେ ଜମି ସମ୍ବନ୍ଧୀୟ ରେକର୍ଡ, ଅଧିକାର ଓ ଅନ୍ୟାନ୍ୟ ଆବଶ୍ୟକୀୟ ଦସ୍ତାବିଜ ସୁରକ୍ଷିତ ରଖିବା ସହିତ ଆବଶ୍ୟକ ସରକାରୀ ସେବା ପାଇଁ ରାଜସ୍ୱ କାର୍ୟ୍ୟାଳୟ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଥିଲେ।କାର୍ୟ୍ୟକ୍ରମରେ ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ତହସିଲଦାର କୁଇନି ଜେନା, ଅତିରିକ୍ତ ତହସିଲଦାରଙ୍କ ସମେତ ତହସିଲ କାର୍ୟ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ।ପଟ୍ଟା ବଣ୍ଟନ ପ୍ରକ୍ରିୟାକୁ ସୁଚାରୁ ଓ ସ୍ୱଚ୍ଛ ଭାବେ ସମ୍ପନ୍ନ କରିବା ପାଇଁ ତହସିଲ ପ୍ରଶାସନ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଥିଲା। ବହୁ ସଂଖ୍ୟକ ହିତାଧିକାରୀ ଏହି ସାମୂହିକ ପଟ୍ଟା ବିତରଣ କାର୍ୟ୍ୟକ୍ରମରୁ ଉପକୃତ ହୋଇଥିଲେ।ଜମିଜମା ସମ୍ବନ୍ଧୀୟ ରେକର୍ଡର ସଠିକ୍ ସଂଶୋଧନ ଓ ହିତାଧିକାରୀଙ୍କ ଅଧିକାର ସୁନିଶ୍ଚିତ କରିବା ଦିଗରେ ଏଭଳି ପଦକ୍ଷେପ ଜାରି ରହିବ ବୋଲି ତହସିଲ ପକ୍ଷରୁ କୁହାଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ରବି