
ଜୟପୁର, ୨୨ ସେପ୍ଟେମ୍ବର (ହି.ସ.)- କୋରାପୁଟ ଜିଲାରେ ବିଷାକ୍ତ ବେଆଇନ ମଦ କାରବାର ଜୋରସୋରରେ ଚାଲିଛି । ଗତ ଦିନରେ ବୋରିଗୁମ୍ମା, କୋଟପାଡ, କୁନ୍ଦୁରାରେ ମହିଳାମାନେ ମଦ ବନ୍ଦ କରିବା ପାଇଁ ପୋଲିସ ଓ ଅବକାରି ବିଭାଗ କାର୍ଯ୍ୟ।ଳୟ ଘେରାଉ କରି ଦାବି ପତ୍ର ପ୍ରଦାନ କରିଥିବା ବେଳେ ଆଜି ଜୟପୁରରେ ମଦ ବନ୍ଦ କରିବା ପାଇଁ ମହିଳା ମାନେ ଆଗକୁ ଆସିଛନ୍ତି । ଜୟପୁର ସଦର ଥାନା ଅନ୍ତର୍ଗତ ହାଡିଆ ପଞ୍ଚାୟତରେ ବେଆଇନ ମଦ ବିକ୍ରି ସହ ମଦ ବନ୍ଦ କରିବାକୁ ଶତାଧିକ ମହିଳା ବାହାରିଛନ୍ତି । ଏନେଇ ଆଜି ଜୟପୁର ସଦର ଥାନା ଓ ଅବକାରି ଥାନାକୁ ଘେରାଉ କରାଯାଇଛି । ଏନେଇ ଜୟପୁର ସଦର ଥାନା ଅଧିକାରୀ ଓ ଅବକାରି ଥାନା ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ।
ଉକ୍ତ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ହାଡିଆରେ ବହୁତ ଦିନ ହେବ ବେଆଇନ ଭାବେ ଚୋରା ମଦ କାରବାର ବହୁଳ ମାତ୍ରାରେ ବଢି ଚାଲିଛି । ଏହି ବେଆଇନ ମଦ ବିକ୍ରି ଯୋଗୁଁ ଅଞ୍ଚଳରେ ସବୁବେଳେ ମଦ୍ୟପ ମାନଙ୍କ ଆଡ୍ଡା ଜମୁଛି । ପ୍ରତ୍ୟେକ ଦିନ ମଦ୍ୟପାନ କରି କାସ୍ତା ଘାଟରେ ଗାଳି ଗୁଲଜ କରିବା ସହ ଝଗଡା ସୃଷ୍ଟି କରୁଛନ୍ତି । ଏହାଦ୍ୱାରା ମହିଳା, ସ୍କୁଲ ଓ କଲେଜ ପଢୁଥିବା ଛାତ୍ର ଛାତ୍ରୀ ଏବଂ ସାଧାରଣ ଲୋକ ଯାତାୟାତ କରିବା ସମୟରେ ଅସୁରକ୍ଷିତ ମଣୁଛନ୍ତି । ଶାନ୍ତିପୂର୍ଣ ସାମାଜିକ ପରିବେଶ ସମ୍ପୂର୍ଣ ରୂପେ ନଷ୍ଟ ହେଉଛି ଏବଂ ଅପରାଧିକ ମାମଲା ବଢିବା ଆଶଙ୍କା ଦେଖା ଦେଇଛି । ଏମିତିକି ମଦ ପାଇଁ ଭତ୍ତା କାର୍ଡ, ଚାଉଳ କାର୍ଡ ହାଣ୍ଡିକୁଣ୍ଡି ବନ୍ଦ ପକାଇ ଘରର ପୁରୁଷ ମାନେ ମଦ ପିଉଥିବା ବେଳେ ମହିଳା ମାନେ ହଇରାଣ ହେଉଛନ୍ତି । ମଦ୍ୟପାନ କରି ପୁରୁଷ ମାନେ ମହିଳା ମାନଙ୍କୁ ଆକ୍ରମଣ କରୁଛନ୍ତି । ବିଷାକ୍ତ ମଦ ପିଇ ଗ୍ରାମରେ ୨ ଜଣ ମୃତ୍ୟୁବରଣ କରିଥିବା ଗ୍ରାମର ମହିଳା ମାନେ ଅଭିଯୋଗ କରିଛନ୍ତି । ତେଣୁ ପୋଲିସ ଓ ଅବକାରି ବିଭାଗ ତରଫରୁ ଚଢଉ କରି ବେଆଇନ ମଦ କାରବାର ବନ୍ଦ କରିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ ଆଇନଗତ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରିବାକୁ ନରହରି ଭତ୍ରା, କିଶୋର ଚନ୍ଦ୍ର ମାଳି, ପତି ଭୁମିଆ ପ୍ରମୁଖ ଦାବି କରିଛନ୍ତି । ଯଦି ପୋଲିସ ଓ ଅବକାରି ପ୍ରଶାସନ କିଛି ପଦକ୍ଷେପ ନନେଲେ ତେବେ ଏସପିଙ୍କ ଦ୍ୱାରସ୍ଥ ହେବୁ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ତେଣୁ ପ୍ରଶାସନ ଚଢଉ କରି ପଦକ୍ଷେପ ନେବା ସହ ରାଜ୍ୟ ସରକାର ମଧ୍ୟ ମଦ କାରବାରକୁ ସମ୍ପୂର୍ଣ ବନ୍ଦ କରିବା ପାଇଁ ପଦକ୍ଷେପ ନେବାକୁ ସାଧାରଣରେ ମତ ପ୍ରକାଶ ପାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି