ତ୍ରୁଟିପୂର୍ଣ୍ଣ ପୁସ୍ତକ ପ୍ରସଙ୍ଗ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ
ଆସନ୍ତାକାଲି ବିଧାନସଭା ଘେରାଉ ଭୁବନେଶ୍ବର , 22 ସେପ୍ଟେମ୍ବର (ହି.ସ.) - ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକ ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଚିନ୍ମୟ ସାହୁ ଓ ବିଜ
ତ୍ରୁଟିପୂର୍ଣ୍ଣ ପୁସ୍ତକ ପ୍ରସଙ୍ଗ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ


ଆସନ୍ତାକାଲି ବିଧାନସଭା ଘେରାଉ

ଭୁବନେଶ୍ବର , 22 ସେପ୍ଟେମ୍ବର (ହି.ସ.) - ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକ ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାନେତ୍ରୀ ଇପ୍ସିତା ସାହୁଙ୍କ ନେତୃତ୍ୱରେ ହଜାର ହଜାର ଯୁବ ଓ ଛାତ୍ର ଜନତା ଦଳର କର୍ମୀମାନେ ଭୁବନେଶ୍ୱର ସ୍ଥିତ ଲୋୟର ପିଏମଜିରେ ବର୍ଷାରେ ଭିଜି ପ୍ରତିବାଦ ପ୍ରଦର୍ଶନ କରିଛନ୍ତି । ବିଜେଡି ଯୁବ ଛାତ୍ର ସଂଗଠନର ନେତୃମଣ୍ଡଳୀମାନେ ଅହୋରାତ୍ର ଧାରଣାରେ ବସିଛନ୍ତି ।

ବିଜେଡି ପକ୍ଷରୁ ରାଜ୍ୟବ୍ୟାପୀ ଶିକ୍ଷା ବଞ୍ଚାଅ ଆନେ୍ଦାଳନ କରିବା ସତ୍ତ୍ୱେ ଡବଲ ଇଞ୍ଜିନ ସରକାର ରାଜ୍ୟର ବିପର୍ଯ୍ୟସ୍ତ ତ୍ରୁଟିପୂର୍ଣ୍ଣ ପୁସ୍ତକରେ ସୁଧାର କରିଲେ ନାହିଁ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କ ପାଠ୍ୟ ପୁସ୍ତକରେ ସାଙ୍ଘାତିକ ତ୍ରୁଟି ଥିବା ବେଳେ ତାହା ରାଜ୍ୟ ସରକାର ପ୍ରତ୍ୟାହାର କରିଲେ ନାହିଁ । ଆସନ୍ତା କିଛି ଦିନ ମଧ୍ୟରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନୁଷ୍ଠିତ ହେବ । ତ୍ରୁଟିପୂର୍ଣ୍ଣ ପୁସ୍ତକ ପଢ଼ି ଛାତ୍ରଛାତ୍ରୀ ମାନେ କିପରି ପରୀକ୍ଷା ଦେବେ ବୋଲି ପ୍ରଶ୍ନ କରିଛନ୍ତି । ପୁସ୍ତକରେ ୧୬୭୮ରୁ ଅଧିକ ତ୍ରୁଟି ରହିଛି । ତ୍ରୁଟିପୂର୍ଣ୍ଣ ପୁସ୍ତକ ବାବଦରେ ରାଜ୍ୟ ସରକାର ସବୁ ଜାଣି ସୁଦ୍ଧା ମାଳ ମାଳ ତ୍ରୁଟି ଥିବା ପୁସ୍ତକ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦାନ କରିଛନ୍ତି । ତ୍ରୁଟିପୂର୍ଣ୍ଣ ପୁସ୍ତକ ଛାପିଥିବା ପ୍ରକାଶନ ସଂସ୍ଥାକୁ ଟେଣ୍ଡର ଦେବା ପାଇଁ କେନ୍ଦ୍ରୀୟ ବିଜେପି ନେତାମାନେ ଚାପ ପ୍ରୟୋଗ କରି ନିଜ ପ୍ରକାଶନ ସଂସ୍ଥାକୁ ନେଇଥିଲେ । ଉକ୍ତ ପ୍ରକାଶନ ସଂସ୍ଥାକୁ ଟଙ୍କା ସୁରୁଖୁରୁରେ ପ୍ରଦାନ କରାଇବା ପାଇଁ ତ୍ରୁଟି ଗୁଡିକ ପ୍ରତି ରାଜ୍ୟ ସରକାର ଆଖି ବୁଜି ଦେଇଥିଲେ । ପିଲା ମାନଙ୍କୁ ଅପାଠୁଆ କରିବା ପାଇଁ ପୁସ୍ତକ ଗୁଡ଼ିକରେ ମାଳ ମାଳ ତ୍ରୁଟି ରହିଛି । ପୁସ୍ତକ ପ୍ରକାଶନରେ ୩୮୦କୋଟି ଟଙ୍କାର ଦୁର୍ନୀତି ହୋଇଛି । ଏହି ଦୁର୍ନୀତିରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ମଧ୍ୟ ସାମିଲ୍ ରହିଛନ୍ତି । ତାଙ୍କ ଇସ୍ତଫା ଦାବି କରିବା ସତ୍ତ୍ୱେ ମନ୍ତ୍ରୀ କିନ୍ତୁ ନିଜ ପଦ ଛାଡିନଥିବାରୁ ଆନେ୍ଦାଳନକୁ ଜୋରଦାର କରାଯାଇଛି । ମୁଖ୍ୟମନ୍ତ୍ରୀ ଚୁପ୍ ହୋଇ ବସିଛନ୍ତି । ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିବାରେ ପଛ ଘୁଞ୍ଚା ଦେଉଛନ୍ତି । ତଳତଳିଆ କର୍ମଚାରୀ ମାନଙ୍କୁ ଗିରଫ କରି ବଡ଼ ବଡ଼ିଆ ମାନଙ୍କୁ ଛାଡ଼ି ଦିଆଯାଉଛି । ଏପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ତ୍ରୁଟି ଶୂନ୍ୟ ପୁସ୍ତକ ମିଳିପାରିଲା ନାହିଁ । ବିଜେପି ସରକାର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ଜରିଆରେ ରାଜ୍ୟର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ।

ରାଜ୍ୟର ଭବିଷ୍ୟତ ପିଢିର ଛାତ୍ରଛାତ୍ରୀ ମାନଙ୍କ ଅଧିକାର ପାଇଁ ବିଜେଡି ଲଢେଇ ଆରମ୍ଭ କରିଛି । ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭରୁ ପାଠ୍ୟ ପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରି ବିଜେଡି ପକ୍ଷରୁ ବିଧାନସଭା ଭିତରେ ଏବଂ ବାହାରେ ପ୍ରବଳ ବିରୋଧ ପ୍ରଦର୍ଶନ କରାଯାଇଛି । ପ୍ରବଳ ହୋହାଲ୍ଲା କାରଣରୁ ବିଧାନସଭା ମୁଲତବୀ ରଖାଯାଇଥିଲା । ବିଜେଡି ବିଧାୟକ ମାନେ ବିଧାନସଭାରୁ ଏକ ଶୋଭାଯାତ୍ରାରେ ଆସି ଧାରଣାସ୍ଥଳରେ ପହଞ୍ଚିଥିଲେ । ବର୍ଷାରେ ଭିଜି ଭିଜି ପ୍ରତିବାଦ ପ୍ରଦର୍ଶନ କରିଥିଲେ । ବିଧାନସଭା ସମ୍ମୁଖରେ ଅହୋରାତ୍ର ଧାରଣା ଦେଇ ମନ୍ତ୍ରୀ ମଣ୍ଡଳରୁ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ବହିଷ୍କାର ଦାବି କରିଛନ୍ତି । ଆସନ୍ତା କାଲି ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବିଧାନସଭା ଘେରାଉ କରାଯିବ । ହଜାର ହଜାର ସଂଖ୍ୟାରେ ଯୁବ ଓ ଛାତ୍ର ମାନେ ଏକତ୍ରିତ ହୋଇ ରାଜ୍ୟ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ପ୍ରତିବାଦ ପ୍ରଦର୍ଶନ କରିବେ । ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାଗତ ଭବିଷ୍ୟତ ଉପରେ ଡବଲ ଇଞ୍ଜିନ ସରକାରଙ୍କ ଆକ୍ରମଣକୁ ଜୋରଦାର ବିରୋଧ କରାଯାଇଛି ।

ବିକ୍ଷୋଭ ସ୍ଥାନରେ ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ, ଅଶୋକ ପଣ୍ଡା, ପ୍ରତାପ ଦେବ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଡ.ଅରୁଣ କୁମାର ସାହୁ, ନିରଂଜନ ପୂଜାରୀ, ବ୍ୟୋମକେଶ ରାୟ, ଗଣେଶ୍ୱର ବେହେରା, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ସୁଲୋଚନା ଦାସ, ସଂଜୟ ଦାସବର୍ମା, ସୁଧୀର ସାମଲ, ପ୍ରଣବ ବଳବନ୍ତରାୟ, ପଦ୍ମନାଭ ବେହେରା, ସ୍ନେହାଙ୍ଗିନୀ ଛୁରିଆ, ସୁଲତା ଦେଓ, ସର୍ମିଷ୍ଠା ସେଠୀ, ବ୍ରଜକିଶୋର ପ୍ରଧାନ, ନଳିନୀକାନ୍ତ ପ୍ରଧାନ, ଅଶ୍ୱୀନ କୁମାର ପାତ୍ର, ଗୌତମ ବୁଦ୍ଧ ଦାସ, ମାଧବ ଧଡା, ବର୍ଷା ସିଂ ବରିହା, ସଂଜୀବ କୁମାର ମଲ୍ଲିକ, କଳିକେଶ ନାରାୟଣ ସିଂଦେଓ, ମନ୍ମଥ ରାଉତରାୟ ସମେତ ଅନ୍ୟାନ୍ୟ ଯୁବ ଓ ଛାତ୍ର ନେତୃତ୍ୱ ମାନେ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande