
ନୂଆଦିଲ୍ଲୀ, ୨୩ ସେପ୍େଟମ୍ବର (ହି.ସ.)- ମତଦାତା ତାଲିକାର ସ୍ୱତନ୍ତ୍ର ଗଭୀର ପୁନରୀକ୍ଷଣ (ଏସଆଇଆର)କୁ ନେଇ ନିର୍ବାଚନ ଆୟୋଗ ମଧ୍ୟରେ ଦୁଇ ନିର୍ବାଚନ ଆୟୁକ୍ତଙ୍କ ପକ୍ଷରୁ କଥିତ ଭାବେ ବାରମ୍ବାର ଆପତି ଦାଖଲ କରାଯାଇଥିବା ରିପୋର୍ଟ ପରେ କଂଗ୍ରେସ ନିର୍ବାଚନ ଆୟୋଗର କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସ ନେତାମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟାରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଭୂମିକା, ମତଦାତା ତାଲିକାରେ ନାମ ଯୋଡ଼ିବା-ହଟାଇବା ଏବଂ ଏସଆଇଆର ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କହିଛନ୍ତି ଯେ କଂଗ୍ରେସ ଏବଂ ଅନେକ ବିରୋଧୀ ଦଳ ଗତ କିଛି ବର୍ଷ ଧରି ନିର୍ବାଚନର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇ ଆସୁଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ଏହି ପ୍ରସଙ୍ଗଗୁଡ଼ିକ ଉଠାଯାଇଥିଲା ସେତେବେଳେ ସେଗୁଡ଼ିକୁ ଗମ୍ଭୀରତାର ସହ ନିଆଯାଇନଥିଲା। ଏବେ ନିର୍ବାଚନ ଆୟୋଗ ଭିତରୁ ସାମ୍ନାକୁ ଆସିଥିବା ସୂଚନାରେ ଦୁଇ ନିର୍ବାଚନ ଆୟୁକ୍ତଙ୍କ ପକ୍ଷରୁ ୧୪ ଥର ଆପତି ଦାଖଲ କରାଯାଇଥିବା କଥା ସାମ୍ନାକୁ ଆସିଛି। ଖଡଗେ ଫର୍ମ-୬ରେ ପରିବର୍ତନ, ସଫ୍ଟୱେରର ବ୍ୟବହାର, ମତଦାତା ତାଲିକା ଏବଂ ନିର୍ବାଚନ ଆୟୋଗର ନିଷ୍ପତିରେ ପାରଦର୍ଶିତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ ଦାବି କରିଛନ୍ତି ଯେ ଏସଆଇଆରର ପ୍ରଥମ ତିନିଟି ପର୍ଯ୍ୟାୟରେ ୩୧ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ଡ୍ରାଫ୍ଟ ମତଦାତା ତାଲିକାରୁ ୧୩.୮ କୋଟି ନାମ ବାଦ ପଡ଼ିଛି।
ରାହୁଲ ଗାନ୍ଧୀ କହିଛନ୍ତି ଯେ ମତଦାତା ତାଲିକାରେ କଥିତ ‘ଭୋଟ ଚୋରି’ ଭାରତୀୟ ନାଗରିକଙ୍କ ବିରୋଧରେ ଅପରାଧ ଏବଂ ସମ୍ବିଧାନ ଉପରେ ସିଧାସଳଖ ଆକ୍ରମଣ। କେନ୍ଦ୍ର ସରକାର ଏବଂ ନିର୍ବାଚନ ଆୟୋଗ ଏଥିରେ ଭୂମିକା ନେଇଛନ୍ତି। ଏହି ମାମଲାରେ ନ୍ୟାୟ ହେବା ଉଚିତ।
କଂଗ୍ରେସ ମହାସଚିବ କେସି ବେଣୁଗୋପାଳ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଇବାକୁ ଦାବି କରିଛନ୍ତି। ସେ କହିଛନ୍ତି ଯେ ଯଦି ଜଣେ ବ୍ୟକ୍ତି ଅନ୍ୟ ସାମ୍ବିଧାନିକ ଅଧିକାରୀମାନଙ୍କୁ ଅଣଦେଖା କରି ଏପରି ନିଷ୍ପତି ନେଇପାରନ୍ତି, ଯାହାଦ୍ୱାରା ମତଦାତା ତାଲିକା ପ୍ରଭାବିତ ହୁଏ, ତେବେ ଏହା ଏକ ଗମ୍ଭୀର ମାମଲା। ସେ କହିଛନ୍ତି ଯେ ମତଦାନର ଅଧିକାର ପ୍ରତ୍ୟେକ ନାଗରିକଙ୍କ ସାମ୍ବିଧାନିକ ଅଧିକାର ଏବଂ ଏହାକୁ ପ୍ରଭାବିତ କରୁଥିବା ଯେକୌଣସି ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ପାରଦର୍ଶିତା ଏବଂ ନିର୍ଦ୍ଧାରିତ ଆଇନଗତ ପ୍ରକ୍ରିୟାର ପାଳନ ହେବା ଉଚିତ।
-------------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ