
-ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ନାଇଡୁ ଦୁର୍ଘଟଣାକୁ ନେଇ କଲେ ଦୁଃଖ ପ୍ରକାଶ
ହାଇଦ୍ରାବାଦ, ୨୩ ସେପ୍େଟମ୍ବର (ହି.ସ.)- ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ଟେକ୍କଲି ମଣ୍ଡଳରେ ରବିବଲସା ନିକଟରେ ବୁଧବାର ଅପରାହ୍ନରେ ରାଜ୍ୟ ରାଣୀ ଏକ୍ସପ୍ରେସ୍ ଧକ୍କାରେ ଚାରି ଛାତ୍ରଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଛାତ୍ର ପୋଖରୀରୁ ମାଛ ଧରି ଫେରୁଥିବା ବେଳେ ବର୍ମା କଲୋନୀ ନିକଟରେ ରେଳ ଟ୍ରାକ୍ ପାର ହେଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।
ପୁଲିସ ଅନୁଯାୟୀ, ମୃତକଙ୍କ ପରିଚୟ ବିଶାଖା ରାଓ, ଦିଲୀପ, ଶରଦ ଏବଂ ଶିବ ଭାବେ ହୋଇଛି। ଆହତ ଛାତ୍ର ସଲମାନ ରାଜୁଙ୍କୁ ଟେକ୍କଲିର ସରକାରୀ ହସ୍ପିଟାଲରେ ଭର୍ତି କରାଯାଇଛି।
ଟେକ୍କଲି ଥାନା ପୁଲିସର ଜଣେ ଅଧିକାରୀ କହିଛନ୍ତି ଯେ ଭୁବନେଶ୍ୱରରୁ ଗୁନୁପୁର ଯାଉଥିବା ରାଜ୍ୟ ରାଣୀ ଏକ୍ସପ୍ରେସ୍ ରେଳ ଟ୍ରାକ୍ ପାର ହେଉଥିବା ଛାତ୍ରମାନଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଚାରି ଛାତ୍ରଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା।
ଅଧିକାରୀଙ୍କ ଅନୁଯାୟୀ, ସମସ୍ତ ମୃତକ ଏବଂ ଆହତ ଛାତ୍ର ଇଂଟରମିଡିଏଟ୍ (ଦ୍ୱାଦଶ ଶ୍ରେଣୀ)ରେ ପଢୁଥିଲେ ଏବଂ ଟେକ୍କଲିସ୍ଥିତ ସରକାରୀ ଏସସି/ଏସଟି ଛାତ୍ରାବାସରେ ରହୁଥିଲେ। ସମସ୍ତେ ଟେକ୍କଲି ମଣ୍ଡଳର ଡମରୁ ଗାଁର ବାସିନ୍ଦା ଥିଲେ।
ଘଟଣାର ସୂଚନା ମିଳିବା ମାତ୍ରେ ସ୍ଥାନୀୟ ଲୋକେ ପୁଲିସ ଏବଂ ପ୍ରଶାସନକୁ ସୂଚନା ଦେଇଥିଲେ। ପୁଲିସ ଏବଂ ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପୁଲିସ ମୃତଦେହଗୁଡ଼ିକର ଯାଂଚ କରି ପ୍ରାଥମିକ ପ୍ରମାଣ ସଂଗ୍ରହ କରିଥିଲା।
ଏହି ମଧ୍ୟରେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ଶୋକସନ୍ତପ୍ତ ପରିବାରଗୁଡ଼ିକ ପ୍ରତି ସମବେଦନା ଜଣାଇବା ସହ ଅଧିକାରୀମାନଙ୍କଠାରୁ ଘଟଣାର ସୂଚନା ମାଗିଛନ୍ତି। ମୁଖ୍ୟମନ୍ତ୍ରୀ ଆହତ ଛାତ୍ରଙ୍କୁ ତୁରନ୍ତ ଏବଂ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
-------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ