
ହାଇଦ୍ରାବାଦ, ୨୩ ସେପ୍େଟମ୍ବର (ହି.ସ.)- ଆଦିଲାବାଦସ୍ଥିତ ରାଜୀବ ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍େସସ୍ (ରିମ୍ସ)ର ସ୍ୱତନ୍ତ୍ର ନବଜାତ ଯତ୍ନ ୟୁନିଟ୍ (ଏସଏନସିୟୁ)ରେ ଏସି ବିସ୍ଫୋରଣ ପରେ ବାହାରିଥିବା ବିଷାକ୍ତ ଧୂଆଁ ଏବଂ ଗ୍ୟାସର ସଂସ୍ପର୍ଶରେ ଆସି ବୁଧବାର ଚିକିତ୍ସାଧୀନ ଆଉ ଦୁଇ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଛି। ଏହା ସହିତ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବଢ଼ି ପାଂଚ ହୋଇଛି।
ଅଧିକାରୀମାନଙ୍କ ଅନୁଯାୟୀ, ଇନ୍ଦରଭେଲି ମଣ୍ଡଳର ଦୁବ୍ୱାଗୁଡ଼ା ନିବାସୀ ନାଗୁବାଇଙ୍କ ନବଜାତ ଶିଶୁକୁ ନିର୍ମଲର ଏକ ହସ୍ପିଟାଲକୁ ନେଇଯାଉଥିବା ସମୟରେ ମୃତ୍ୟୁ ହୋଇଥିଲା। ସେହିପରି, ଲିଙ୍ଗାପୁର ମଣ୍ଡଳର ଦୁର୍ଗାବାଇଙ୍କ ଶିଶୁ ରିମ୍ସରେ ଚିକିତ୍ସାଧୀନ ଥିବା ସମୟରେ ପ୍ରାଣ ହରାଇଥିଲା।
ଏହା ପୂର୍ବରୁ ଦୁର୍ଘଟଣାରେ ଏକ ମାସରୁ କମ୍ ବୟସର ତିନି ପ୍ରି-ଟର୍ମ ନବଜାତଙ୍କ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିଲା। ଏସଏନସିୟୁରେ ଏସି ମେସିନରେ ବିସ୍ଫୋରଣ ପରେ ବିଷାକ୍ତ ଧୂଆଁ ଏବଂ ଗ୍ୟାସ ବ୍ୟାପି ଯାଇଥିଲା। ଘଟଣା ସମୟରେ ସୁରକ୍ଷା ଗାର୍ଡ, ଆମ୍ବୁଲାନ୍ସ ଚାଳକ ଏବଂ ହସ୍ପିଟାଲ କର୍ମଚାରୀମାନେ ଅନ୍ୟ ୨୦ ନବଜାତ ଶିଶୁଙ୍କୁ ସୁରକ୍ଷିତ ଭାବେ ବାହାରକୁ ନେଇଯାଇଥିଲେ।
ଦୁର୍ଘଟଣା ପରେ ନିଜ ସନ୍ତାନଙ୍କୁ ହରାଇଥିବା ପରିବାରବର୍ଗଙ୍କ ମଧ୍ୟରେ ଶୋକର ଛାୟା ଖେଳିଛି। ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତି ରୋକିବା ପାଇଁ ପରିବାରବର୍ଗ ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥା ଏବଂ ମୌଳିକ ସୁବିଧାରେ ସୁଧାର ଦାବି କରିଛନ୍ତି।
ପ୍ରାରମ୍ଭିକ ଭାବେ ଏସିର ଖରାପ ରକ୍ଷଣାବେକ୍ଷଣ ଏବଂ ରିମ୍ସର ମୌଳିକ ଢାଂଚାରେ ଅଭାବକୁ ଦୁର୍ଘଟଣା ସହ ଯୋଡ଼ି ଦେଖାଯାଉଛି। ତେବେ, ଦୁର୍ଘଟଣାର ପ୍ରକୃତ କାରଣ ତଦନ୍ତ ସମ୍ପୂର୍ଣ୍ଣ ହେବା ପରେ ହିଁ ଜଣାପଡ଼ିବ।
ଘଟଣାର ତଦନ୍ତ ପାଇଁ ପାଂଚ ସଦସ୍ୟ ବିଶିଷ୍ଟ କମିଟି ଗଠନ କରାଯାଇଛି। କମିଟି ଦୁର୍ଘଟଣାର କାରଣ, ଏସଏନସିୟୁରେ ସୁରକ୍ଷା ବ୍ୟବସ୍ଥା ଏବଂ ଏସିର ରକ୍ଷଣାବେକ୍ଷଣ ସମେତ ଅନ୍ୟାନ୍ୟ ଦିଗର ତଦନ୍ତ କରିବ।
---------------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ