
ଭୁବନେଶ୍ୱର, 24 ସେପ୍ଟେମ୍ବର (ହି.ସ.)ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନର ତୃତୀୟ ଦିନ ଗୁରୁବାର ମଧ୍ୟ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଓ ନାରାବାଜି ଯୋଗୁଁ ସଦନର ପ୍ରଥମାର୍ଦ୍ଧ ଚାଲିପାରିନାହିଁ। ଏମଏମଡିଆର ଆଇନକୁ ଓଡ଼ିଶାର ସ୍ୱାର୍ଥବିରୋଧୀ ଦର୍ଶାଇ ଏହାକୁ ପ୍ରତ୍ୟାହାର କରିବା ଦାବିରେ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ସଦନର ମଧ୍ୟଭାଗକୁ ଆସି ପ୍ରତିବାଦ କରିଥିଲେ। ହଟ୍ଟଗୋଳ ଯୋଗୁଁ ପ୍ରଶ୍ନକାଳ, ଶୂନ୍ୟକାଳ ସମେତ ଧାର୍ଯ୍ୟ କାର୍ଯ୍ୟସୂଚୀ ପ୍ରଭାବିତ ହୋଇଥିଲା। ସ୍ଥିତିରେ ସୁଧାର ନଆସିବାରୁ ବାଚସ୍ପତିଙ୍କ ଅନୁପସ୍ଥିତିରେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ସଦନର କାର୍ଯ୍ୟକ୍ରମକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।
ଧାର୍ଯ୍ୟ କାର୍ଯ୍ୟସୂଚୀ ଅନୁଯାୟୀ ଗୁରୁବାର ସକାଳ ୧୦ଟା ୩୦ ମିନିଟରେ ବିଧାନସଭାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ପ୍ରଶ୍ନକାଳ ଆରମ୍ଭ କରିବା ପ୍ରକ୍ରିୟା ଆଗକୁ ବଢ଼ାଇବା ସମୟରେ ବିରୋଧୀ ସଦସ୍ୟମାନେ ଏମଏମଡିଆର ଆଇନକୁ ନେଇ ନାରାବାଜି ଆରମ୍ଭ କରିଥିଲେ। କିଛି ସମୟ ମଧ୍ୟରେ ସେମାନେ ନିଜ ଆସନ ଛାଡ଼ି ସଦନର ମଧ୍ୟଭାଗକୁ ଆସି ପ୍ରତିବାଦ କରିଥିଲେ। ସେମାନଙ୍କ ହାତରେ ବିଭିନ୍ନ ପ୍ଲାକାର୍ଡ ରହିଥିଲା ଏବଂ ସେଥିରେ ସରକାର ଓ ଏମଏମଡିଆର ଆଇନ ବିରୋଧୀ ନାରା ଲେଖା ଥିଲା।
ହଟ୍ଟଗୋଳ ମଧ୍ୟରେ ଉପବାଚସ୍ପତି ଅନୁଗୋଳର ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଡାକିଥିଲେ । ବିରୋଧୀ ବିଧାୟକଙ୍କ ପ୍ରବଳ ହୋହଲ୍ଲା ମଧ୍ୟରେ ମନ୍ତ୍ରୀ ନିଜର ଉତ୍ତର ଜାରି ରଖିଥିଲେ।
ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ହଟ୍ଟଗୋଳ କରୁଥିବା ବିରୋଧୀ ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିଯାଇ ସଦନର କାର୍ଯ୍ୟ ସୁରୁଖୁରୁରେ ଚାଲିବାରେ ସହଯୋଗ କରିବାକୁ ବାରମ୍ବାର ଅନୁରୋଧ କରିଥିଲେ। କିନ୍ତୁ ବିରୋଧୀ ସଦସ୍ୟମାନେ ତାଙ୍କ ଅନୁରୋଧକୁ ସ୍ୱୀକାର ନ କରି ହଟ୍ଟଗୋଳ ଜାରୀ ରଖିଥିଲେ ।
ଏହାପରେ ଉପବାଚସ୍ପତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଏକ ପ୍ରଶ୍ନର ଉତ୍ତର ଦେବାକୁ ଆହ୍ୱାନ କରିଥିଲେ। ହଟ୍ଟଗୋଳ ମଧ୍ୟରେ ମନ୍ତ୍ରୀ ପୂଜାରୀ ଉତ୍ତର ଦେବା ଆରମ୍ଭ କରିଥିଲେ। ପୂର୍ବରୁ ହୋଇଥିବା ବନ୍ୟାରେ ରାଜ୍ୟରେ ହୋଇଥିବା କ୍ଷୟକ୍ଷତି ଓ କ୍ଷତିପୂରଣ ସମ୍ପର୍କିତ ପ୍ରଶ୍ନର ସେ ଉତ୍ତର ଦେଉଥିଲେ। ତେବେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଓ ନାରାବାଜି ଜାରି ରହିବାରୁ ସଦନର ସ୍ୱାଭାବିକ କାର୍ଯ୍ୟ ସମ୍ଭବ ହୋଇନଥିଲା। ଶେଷରେ ଉପବାଚସ୍ପତି ସଦନର କାର୍ଯ୍ୟକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।
ଉଲ୍ଲେଖଯୋଗ୍ୟ, ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ମଙ୍ଗଳବାର ଆରମ୍ଭ ହୋଇଥିଲା। ଅଧିବେଶନର ପ୍ରଥମ ଦିନ ମଧ୍ୟ ଏମଏମଡିଆର ଆଇନ ପ୍ରତ୍ୟାହାର ଏବଂ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ଦିବଂଗତ ବିଧାୟକମାନଙ୍କ ସ୍ମୃତିରେ ଶୋକ ପ୍ରସ୍ତାବ ଏବଂ ନେପାଳରେ ଘଟିଥିବା ବନ୍ୟାକୁ ନେଇ ଶୋକ ପ୍ରସ୍ତାବ ପାରିତ ହେବା ପରେ ବିରୋଧୀ ସଦସ୍ୟମାନେ ପ୍ରତିବାଦ ଆରମ୍ଭ କରିଥିଲେ। ହଟ୍ଟଗୋଳ ଯୋଗୁଁ ପ୍ରଥମ ଦିନ ମଧ୍ୟ ସଦନର କାର୍ଯ୍ୟ ପ୍ରଭାବିତ ହୋଇଥିଲା। ବୁଧବାର ଦ୍ୱିତୀୟ ଦିନରେ ମଧ୍ୟ ସମାନ ସ୍ଥିତି ଦେଖାଦେବାରୁ ସଦନର କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିପାରିନଥିଲା। ଗୁରୁବାର ତୃତୀୟ ଦିନରେ ମଧ୍ୟ ହଟ୍ଟଗୋଳ ଜାରି ରହିବାରୁ ସଦନର ପ୍ରଥମାର୍ଦ୍ଧର କାର୍ଯ୍ୟ ପୁଣିଥରେ ବାଧାପ୍ରାପ୍ତ ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ