
ମାଲକାନଗିରି,୨୪ ସେପ୍ଟେମ୍ବର (ହି.ସ.)ଗ୍ରାମବାସୀ ଓ ମାଓବାଦୀଙ୍କ ତାଡ଼ନା ପରେଦିନେ ନିଜ ଗାଁରେ ରହିବା ପାଇଁ ଜାଗା ନଥିଲା। ବଞ୍ଚିବା ପାଇଁ ଶେଷରେ ଓଡିଶା ଓ ଛତିଶଗଡ଼ ସୀମାକୁ ଲାଗି ରହିଥିବା ଶାବେରୀ ନଦୀ ମଝିରେ ଥିବା ଏକ ନିର୍ଜନ ଟାପୁକୁ ନିଜର ଆଶ୍ରୟସ୍ଥଳୀ କରିଥିଲେ। ଆଜି ସେହି ଟାପୁ ହିଁ ତାଙ୍କ ଘର, ଜୀବିକା ଓ ସ୍ୱପ୍ନର ଠିକଣା। ନିଜ ହାତର ପରିଶ୍ରମରେ ପ୍ରାୟ ୫ ଏକର ଜମିକୁ ଚାଷ ଉପଯୋଗୀ କରି ସଫଳ ଚାଷ କରି ଚାଲିଛନ୍ତି ଛତିଶଗଡ଼ ରାଜ୍ୟ ଚିନ୍ତଲନାର ଥାନା ଅଞ୍ଚଳର ପୋଲାମପାଡ଼ ଗ୍ରାମର ସୋନାରୁ ରାମ ଯାଦବ। ପ୍ରାୟ ୮ ବର୍ଷ ପୂର୍ବେ ଗାଁରେ ଗୁଣିଗାରେଡ଼ି ସମ୍ବନ୍ଧୀୟ ଏକ ବିବାଦକୁ ନେଇ ତାଙ୍କୁ ଗାଁ ଛାଡ଼ିବାକୁ ପଡ଼ିଥିଲା। ଗ୍ରାମବାସୀଙ୍କ ବିରୋଧ ପରେ ନକ୍ସଲମାନଙ୍କ ପକ୍ଷରୁ ମଧ୍ୟ ଗାଁ ଛାଡ଼ିବାକୁ ନିର୍ଦ୍ଦେଶ ମିଳିଥିଲା ସୁନା ରାମଙ୍କୁ । ଯାହାଫଳରେ ପତ୍ନୀଙ୍କୁ ସାଙ୍ଗରେ ନେଇ ସୋନାରୁ ରାମ ଗାଁ ଛାଡ଼ି ପୁରୁଣା ଦୋରନାପାଲକୁ ଚାଲି ଆସିଥିଲେ। ସେଠାରେ କିଛି ଦିନ ପରିଚିତଙ୍କ ଘରେ ରହିବା ପରେ ଏମିତି ଏକ ସ୍ଥାନ ଖୋଜିଥିଲେ, ଯେଉଁଠାରେ କେହି ସହଜରେ ପହଞ୍ଚିପାରିବେ ନାହିଁ।ଜୀବନର ଏହି କଠିନ ସମୟରେ ସୋନାରୁ ହାର ମାନିନଥିଲେ, ଟିଣ ଓ କାଠ ସାହାଯ୍ୟରେ ନିଜେ ଏକ ଛୋଟ ନୌକା ତିଆରି କରି ପତ୍ନୀଙ୍କ ସହ ସାବେରି ନଦୀ ମଝିରେ ଥିବା ଟାପୁକୁ ଚାଲିଯାଇଥିଲେ। ପ୍ରଥମେ କାଠ ଓ ଟିଣରେ ଏକ ଛୋଟ ଝୁପୁଡ଼ି ତିଆରି କରି ସେଠାରେ ରହିବା ଆରମ୍ଭ କରିଥିଲେ। ପରେ ଟାପୁର ଜମିକୁ ଚାଷ ଉପଯୋଗୀ କରିବା ପାଇଁ ଦିନରାତି ପରିଶ୍ରମ କରିଥିଲେ। ମାଟି ସଫା କରି, ଜମି ପ୍ରସ୍ତୁତ କରି ଧୀରେ ଧୀରେ ଚାଷ ଆରମ୍ଭ କରିଥିଲେ। ଆଜି ପ୍ରାୟ ୫ ଏକର ଜମିରେ ସଫଳତାର ସହ ଚାଷ କରୁଛନ୍ତି ସୁନାରୁ ରାମ । ଚାଷରୁ ମିଳୁଥିବା ଆୟରେ ପରିବାର ଚଳାଇବା ସହ ନିଜ ଘରକୁ ମଧ୍ୟ ଧୀରେ ଧୀରେ ମଜବୁତ କରିଛନ୍ତି। ନୌକାରେ ଅଳ୍ପ ଅଳ୍ପ କରି ସିମେଣ୍ଟ ଓ ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀ ଟାପୁକୁ ଆଣି ନିଜେ ତିଆରି କରିଥିବା ଇଟାରେ ସେ ଏକ ପକ୍କା ଘର ମଧ୍ଯ ନିର୍ମାଣ କରିଛନ୍ତି। ଏବେ ସେଠାରେ ସୋନାରୁ, ତାଙ୍କ ପତ୍ନୀ, ପୁଅ, ବୋହୂ, ଝିଅ ଓ ନାତିଙ୍କ ସହ ରହୁଛନ୍ତି। ଟାପୁରେ ଜୀବନ ଗଢ଼ି ଉଠିଥିଲେ ମଧ୍ୟ ପରିବାରର ସମସ୍ୟା ଶେଷ ହୋଇନାହିଁ। ସୋନାରୁଙ୍କ ନାତିର ଏପର୍ଯ୍ୟନ୍ତ ଆଧାର କାର୍ଡ ହୋଇପାରିନାହିଁ। ଏହି କାରଣରୁ ସ୍କୁଲରେ ନାମ ଲେଖାଇବାରେ ମଧ୍ୟ ସମସ୍ୟା ହେଉଥିବା ସେ କହିଛନ୍ତି। ନଦୀ ମଝିରେ ରହୁଥିବାରୁ ସରକାରୀ ସୁବିଧା ଓ ସାଧାରଣ ଜୀବନର ସୁଯୋଗ ପାଇବା ମଧ୍ୟ ପରିବାର ପାଇଁ କଷ୍ଟକର ହୋଇପଡ଼ିଛି। ପ୍ରାୟ ଏକ ସପ୍ତାହ ପୂର୍ବେ ପାରିବାରିକ ସମ୍ପର୍କର ଜଣେ ମହିଳାଙ୍କୁ ମଧ୍ୟ ଗ୍ରାମବାସୀ ଗାଁରୁ ବାହାର କରିଦେଇଥିବା ସୋନାରୁ କହିଛନ୍ତି। ଟ୍ରାକ୍ଟର ଯୋଗେ ତାଙ୍କ ଘରର ସାମଗ୍ରୀ ଦୋରନାପାଲକୁ ଅଣାଯାଇଥିଲା। ଏହାପରେ ସୋନାରୁ ତାଙ୍କୁ ମଧ୍ୟ ନିଜ ଟାପୁରେ ଆଶ୍ରୟ ଦେଇଛନ୍ତି। ଏବେ ସେହି ମହିଳା ମଧ୍ୟ ଟାପୁରେ ନୂଆ ଘର ତିଆରି କରିବାକୁ ପ୍ରସ୍ତୁତ ହେଉଛନ୍ତି। ଟାପୁରେ ସବୁଠାରୁ ବଡ଼ ସମସ୍ୟା ହେଉଛି ପାନୀୟ ଜଳ, ବର୍ଷା ଋତୁରେ ଶାବେରୀ ନଦୀର ପାଣି ଲାଲ ଓ ମଇଳା ହୋଇଯାଉଥିବାରୁ ତାହାକୁ ସିଧାସଳଖ ପିଇବା ସମ୍ଭବ ହୁଏନାହିଁ। ତେଣୁ ଟାପୁର ବାଲିରେ ଚୁଆ ଖୋଳି ସେଥିରୁ ବାହାରୁଥିବା ପାଣିକୁ ପରିବାର ଲୋକେ ବ୍ୟବହାର କରୁଛନ୍ତି। ନିଜର ଏହି ଛୋଟ ଦୁନିଆରେ ସୋନାରୁ ଦନ୍ତେସ୍ୱରୀ ମା'ଙ୍କ ପାଇଁ ଏକ ମନ୍ଦିର ମଧ୍ୟ ତିଆରି କରିଛନ୍ତି। ମନ୍ଦିରରେ ବଳି ପ୍ରଥା ନଥିବା ବେଳେ ଫୁଲ ଓ ଫଳ ଅର୍ପଣ କରି ପୂଜା କରାଯାଏ ବୋଲି ସୋନାରୁ କହିଛନ୍ତି । ସୋନାରୁଙ୍କ ଆଶା, ପ୍ରଶାସନ ପକ୍ଷରୁ ଯଦି ଟାପୁରେ ଏକ ସୋଲାର ପମ୍ପ ବ୍ୟବସ୍ଥା କରାଯାଏ, ତେବେ ପାନୀୟ ଜଳ ସମସ୍ୟା ସହ ଚାଷ ପାଇଁ ଜଳସେଚନର ସୁବିଧା ମଧ୍ୟ ମିଳିପାରିବ। ଜୀବନରେ ଅନେକ କିଛି ହରାଇଥିଲେ ମଧ୍ୟ ଏବେ ନିଜ ଟାପୁରେ ସେ ଖୁସି ବୋଲି କହନ୍ତି ସୋନାରୁ। ଆଧୁନିକ ସୁବିଧା ନଥିଲେ ମଧ୍ୟ ନିଜ ହାତରେ ତିଆରି ଘର, ପରିଶ୍ରମରେ ଉର୍ବର କରିଥିବା ଜମି ଓ ଦେବୀ ମା'ଙ୍କ ମନ୍ଦିରକୁ ନେଇ ସେ ନିଜ ଜୀବନକୁ ଆଗେଇ ନେଉଛନ୍ତି। ବିତାଡ଼ନରୁ ଆତ୍ମନିର୍ଭରତା ପର୍ଯ୍ୟନ୍ତ ସୋନାରୁଙ୍କ ଏହି ଯାତ୍ରା ଦେଖାଇଦେଇଛି ଯେ, ପରିସ୍ଥିତି ଯେତେ କଠିନ ହେଉ, ଦୃଢ଼ ଇଚ୍ଛାଶକ୍ତି ଓ ଅବିରତ ପରିଶ୍ରମ ମଣିଷକୁ ନୂଆ ଜୀବନ ଗଢ଼ିବାର ରାସ୍ତା ଦେଖାଇପାରେ
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ