କୋଲାବିରା ସମବାୟ ସମିତିରେ ଦେଢ଼ କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ଅନିୟମିତତା ଅଭିଯୋଗ : ସମ୍ପାଦକଙ୍କୁ ଦାୟିତ୍ଵରୁ ହଟାଇଲା ପରିଚାଳନା ପରିଷଦ, ପକ୍ଷ ରଖିବାକୁ ୭ ଦିନ ସମୟ
Allegations-for-misuse-money-
କୋଲାବିରା ସମବାୟ ସମିତିରେ ଦେଢ଼ କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ଅନିୟମିତତା ଅଭିଯୋଗ : ସମ୍ପାଦକଙ୍କୁ ଦାୟିତ୍ଵରୁ ହଟାଇଲା ପରିଚାଳନା ପରିଷଦ, ପକ୍ଷ ରଖିବାକୁ ୭ ଦିନ ସମୟ


ଝାରସୁଗୁଡ଼ା, ୨୫ ସେପ୍ଟେମ୍ବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲା କୋଲାବିରା କୃଷି ସେବା ସମବାୟ ସମିତିରେ ଦେଢ଼ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଅର୍ଥ ଅନିୟମିତତା ନେଇ ଅଡିଟ୍ ରିପୋର୍ଟ ସାମ୍ନାକୁ ଆସିବା ପରେ ସମବାୟ ବିଭାଗରେ ଚର୍ଚ୍ଚା ସୃଷ୍ଟି ହୋଇଛି। ଅଡିଟ୍ ରିପୋର୍ଟ ଆଧାରରେ ସମିତିର ସମ୍ପାଦକ ଦେବରାଜ କୁମୁରାଙ୍କୁ ଦାୟୀ କରାଯାଇଥିବା ବେଳେ ତାଙ୍କୁ ଦାୟିତ୍ୱରୁ ଅପସାରଣ କରିଛି ପରିଚାଳନା ପରିଷଦ। ତେବେ ନିଜ ପକ୍ଷ ରଖିବା ପାଇଁ ସମ୍ପାଦକଙ୍କୁ ୭ ଦିନ ସମୟ ଦିଆଯାଇଛି।

ସୂଚନା ଅନୁଯାୟୀ, ୨୦୨୩-୨୪, ୨୦୨୪-୨୫ ଓ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ କୋଲାବିରା ସମବାୟ ସମିତିର ଅଡିଟ୍ କରାଯାଇଥିଲା। ଅଡିଟ୍ ରିପୋର୍ଟ ଅନୁସାରେ, ୨୦୨୩-୨୪ ଓ ୨୦୨୪-୨୫ ଆର୍ଥିକ ବର୍ଷରେ ଦେଢ଼ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ସମ୍ପର୍କିତ ହିସାବ କିମ୍ବା ଆବଶ୍ୟକ କାଗଜପତ୍ର ସମିତି ପକ୍ଷରୁ ଅଡିଟ୍ ସମୟରେ ଦେଖାଯାଇପାରିନଥିବା ଦର୍ଶାଯାଇଛି। ରିପୋର୍ଟରେ ସମିତିର ମିନି ବ୍ୟାଙ୍କ, ଧାନ କ୍ରୟ ଓ ଚାଷୀଙ୍କ ଋଣ କାରବାର ସହ ଜଡ଼ିତ ଅର୍ଥରେ ଅନିୟମିତତା ଥିବା ଉଲ୍ଲେଖ ରହିଛି। ବିଶେଷକରି ଅଧିକାଂଶ ଅର୍ଥ ଋଣ ଖାତା ସମ୍ପର୍କିତ କାରବାରରେ ଅନିୟମିତତା ହୋଇଥିବା ସୂଚନା ମିଳିଛି। ଝାରସୁଗୁଡ଼ା ଡିଆରସିଏସ୍ଙ୍କ ପତ୍ର ଏବଂ ନିବନ୍ଧକ, ସମବାୟ ବିଭାଗଙ୍କ ପତ୍ର ସଂଖ୍ୟା ୧୨୭୧ ଆଧାରରେ ସମ୍ପାଦକ ଦେବରାଜ କୁମୁରାଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ସହ ଅନିୟମିତ ଅର୍ଥ ଆଦାୟ ପାଇଁ ସମିତିର ପରିଚାଳନା ପରିଷଦକୁ ଦାୟିତ୍ୱ ଦିଆଯାଇଥିବା ଜଣାପଡ଼ିଛି। ଏହାପରେ ସମିତି ସଭାପତି କୀର୍ତ୍ତିଚନ୍ଦ୍ର ବହିଦାରଙ୍କ ଅଧ୍ୟକ୍ଷତାରେ ପରିଚାଳନା ପରିଷଦର ବୈଠକ ବସିଥିଲା। ବୈଠକରେ ସମ୍ପାଦକ ଶ୍ରୀ କୁମୁରାଙ୍କୁ ନିଜ ପକ୍ଷ ରଖିବା ପାଇଁ ୭ ଦିନ ସମୟ ଦିଆଯାଇଥିବା ବେଳେ ଗୁରୁବାର ତାଙ୍କୁ ସମ୍ପାଦକ ପଦର ଦାୟିତ୍ୱରୁ ଅପସାରଣ କରାଯାଇଛି। ତାଙ୍କ ସ୍ଥାନରେ ସମିତିର କର୍ମଚାରୀ କମଳ ଧୁରୁଆଙ୍କୁ ନୂତନ ଦାୟିତ୍ୱ ଦିଆଯାଇଛି।

ଅନ୍ୟପକ୍ଷରେ, ସମ୍ପାଦକ ଦେବରାଜ କୁମୁରା ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ ନିଜକୁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି କହିବା ସହ କେବଳ କାଗଜପତ୍ର ଠିକ୍ ନଥିବା କାରଣରୁ ଅଡିଟ୍ ରେ ଏହାକୁ ଅର୍ଥ ହେରଫେର ଭାବେ ଦର୍ଶାଯାଇଥିବା କହିଛନ୍ତି। ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଫସାଇ ଦିଆଯାଇଥିବା ଦାବି କରି ସେ ସମସ୍ତ ପ୍ରକାର ତଦନ୍ତର ସମ୍ମୁଖୀନ ହୋଇ ନିଜ ପକ୍ଷ ରଖିବେ ବୋଲି କହିଛନ୍ତି।

ଏନେଇ ଡିଆରସିଏସ୍ ମମତାରାଣୀ କୁଜୁରଙ୍କ ସହ ଯୋଗାଯୋଗ କରାଯିବାରୁ ସମ୍ପାଦକଙ୍କ ନିକଟରୁ ଅର୍ଥ ଆଦାୟ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ସମିତିର ପରିଚାଳନା ପରିଷଦର ଦାୟିତ୍ଵ ବୋଲି ସେ କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande