
ଭୁବନେଶ୍ୱର,୨୫ ସେପ୍ଟେମ୍ବର (ହି.ସ) - ମତଦାତା ତାଲିକାର ଶୁଦ୍ଧିକରଣ କରିବା ପାଇଁ ଭାରତୀୟ ସମ୍ବିଧାନରେ ବ୍ୟବସ୍ଥା ଅଛି। ସେ ବ୍ୟବସ୍ଥା ହେଉଛି ମତଦାତା ସୂଚୀର ସ୍ୱତନ୍ତ୍ର ସଘନ ସଂଶୋଧନ। ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ନିର୍ବାଚନ କମିଶନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହା କରାଯିବା ପାଇଁ ବ୍ୟବସ୍ଥା ରହିଛି।୧୯୫୨ ମସିହା ପରଠାରୁ ଦେଶରେ ୧୦ ଥର ଏପରି ସଂଶୋଧନ ହୋଇସାରିଛି। ପାଖାପାଖି ବର୍ଷେ ହେଲା ପର୍ଯ୍ୟାୟକ୍ରମେ ବିଭିନ୍ନ ରାଜ୍ୟରେ ଏ ପ୍ରକାର ଏସଆଇଆର୍ କାମ ନିର୍ବାଚନ କମିଶନରଙ୍କ ଦ୍ୱାରା ଆରମ୍ଭ ହେଇ ପ୍ରାୟ ସମାପ୍ତ ହେବା ସ୍ଥିତିରେ ପହଁଚିଯାଇଛି। ଏଭଳି ସ୍ଥିତିରେ କୌଣସି ତଥ୍ୟ ନ ଥାଇ ବିଜେଡି, କଂଗ୍ରେସ ବିଳିବିଳି ହେଉଛନ୍ତି ବୋଲି ଏକ ପ୍ରେସ୍ ବିବୃତିରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି।
ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ଏହି ଏସ୍ଆଇଆର୍କୁ ନେଇ ବିଭିନ୍ନ ସମୟରେ ବିଭିନ୍ନ ବ୍ୟକ୍ତିଙ୍କଠାରୁ ଆରମ୍ଭ କରିି କିଛି ରାଜନୈତିକ ଦଳ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପାଖକୁ ଯାଇଥିଲେ ଏବଂ ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଏସ୍ଆଇଆରର ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ରୂପରେ ବୈଧ ବୋଲି ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗ ପରି କିଛି ରାଜ୍ୟରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ମଧ୍ୟ ନିଜର ତଦାରଖରେ ଏ ପ୍ରକ୍ରିୟାକୁ ସମାପ୍ତ କରିଛନ୍ତି। ସେ ସମୟରେ ଓଡ଼ିଶାରୁ ଅନେକ ବିଚାରପତି ମଧ୍ୟ ଏହି ପ୍ରକ୍ରିୟା ତଦାରଖ ପାଇଁ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଯାଇଥିଲେ। ଓଡ଼ିଶାରେ ଏ ପ୍ରକ୍ରିୟା କିଛିଦିନ ତଳୁ ସମାପ୍ତ ହୋଇସାରିଛି। ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ବିଭିନ୍ନ ସମୟରେ ସାମ୍ବାଦିକ ସମ୍ମିଳନୀ କରି ବର୍ତମାନ ଓଡ଼ିଶାରେ କେତେ ମତଦାତା ହେଲେ, କେତେ କଟିଲେ, କେଉଁ କାରଣରୁ ମତଦାତା କଟିଲେ ଏବଂ କେତେ ନୂଆ ଯୋଡ଼ିହେଲେ, ବିସ୍ତୃତ ଭାବେ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନ କରିଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟ ଲାଗୁଛି ଗୋଟେ ଖବରକାଗଜର ଲେଖାକୁ ନେଇ ଉଭୟେ କଂଗ୍ରେସ ଏବଂ ବିଜେଡି ବୟାନବାଜି କରିବା ଆରମ୍ଭ କରି ଦେଇଛନ୍ତି। ଯଦି କିଛି ତଥ୍ୟ ଅଛି ତାହେଲେ ତଥ୍ୟ ସହ ସମ୍ପୃକ୍ତ ରାଜନୈତିକ ଦଳ ଇଲେକ୍ସନ କମିଶନର କିମ୍ବା ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ସମ୍ମଖରେ ଫେରାଦ ହୁଅନ୍ତୁ।
ସେମାନେ ସାଧାରଣ ଲୋକଙ୍କଠାରୁ ପତ୍ୟାଖ୍ୟାତ ହେବା ପରେ ନିଜର ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଯାଇ ଜନସାଧରଣଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରିବା ପାଇଁ ଅପପ୍ରୟାସ କରୁଛନ୍ତି। ନିର୍ବାଚନ କମିଶନରଙ୍କ ପରି ଏକ ସାମ୍ବିଧାନିକ ସଂସ୍ଥା ଉପରେ ବିନା କୌଣସି ତଥ୍ୟରେ ଆରୋପ ଲଗାଇବା ସମ୍ବିଧାନ ପ୍ରତି ଗଭୀର ଅପମାନ। ଯଦି ତଥ୍ୟ ଅଛି, ତେବେ ମାନ୍ୟବର କୋର୍ଟ ଓ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୁଅନ୍ତୁ। ଯଥୋଚିତ ପଦକ୍ଷେପ ନ ନେଇ ନାଟକ ବାଜି କରିବା ଓ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ଘେରାଉ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା